ଜେଲ୍‌ ଡିଜିଙ୍କ ହତ୍ୟାକାରୀ ୟାସିର୍‌ ଅହମ୍ମଦ ଗିରଫ

ଶ୍ରୀନଗର: ଗିରଫ ହେଲା ଜମ୍ମୁ କଶ୍ମୀର ପୁଲିସ ଜେଲ୍‌ ମହାନିର୍ଦ୍ଦେଶକ ହେମନ୍ତ ଲୋହିଆଙ୍କ ହତ୍ୟା ଅଭିଯୁକ୍ତ ୟାସିର ଅହମ୍ମଦ। ତାକୁ ଜମ୍ମୁର କାନାଚାକ ଅଞ୍ଚଳରୁ ପୁଲିସ ଗିରଫ କରିଛି। ସେ ଏକ ଚାଷ ଜମି ଭିତରେ ଲୁଚି ରହିଥିଲା ବୋଲି ପୁଲିସ କହିଛି।

ଜେଲ୍‌ ଡିଜି ହେମନ୍ତ ଲୋହିଆଙ୍କୁ ମୃତଦେହ ଉଦୟବାଲା ସ୍ଥିତ ତାଙ୍କର ଜଣେ ବନ୍ଧୁଙ୍କ ଘରୁ ଆଜି ସକାଳୁ ମିଳିଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କ ଗଳା କାଟି ହତ୍ୟା କରାଯାଇଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଚିହ୍ନ ରହିଛି। ତାଙ୍କ ଶବ ଜଳାଇ ଦେବାକୁ ଅଭିଯୁକ୍ତ ଚେଷ୍ଟା ମଧ୍ୟ କରିଛି।

ପୁଲିସ ମୁତାବକ, ଚାକର ୟାସିର ଜେଲ୍‌ ଡିଜିଙ୍କୁ ହତ୍ୟା କରିବା ପରେ ଫେରାର ଥିଲା। ପୁଲିସ ତାକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ରାତିରୁ ଅଭିଯୁକ୍ତଙ୍କ ସନ୍ଧାନରେ ଏହି ସର୍ଚ୍ଚ ଅପରେସନ ଜାରି ରହିଥିଲା ବୋଲି ଏଡିଜିପି ମୁକେଶ ସିଂହ କହିଛନ୍ତି। ଶେଷରେ କାନାଚାକ୍ ଅଞ୍ଚଳରୁ ତାକୁ ଗିରଫ କରାଯାଇଛି। ପୁଲିସ ଅଭିଯୁକ୍ତକୁ ପଚରାଉଚରା ଜାରି ରଖିଛି।

ଜମ୍ମୁ ଏଡିଜିପି ମୁକେଶ ସିଂହଙ୍କ ମୁତାବକ, ଘଟଣାର ତୁରନ୍ତ ପରଠାରୁ ଚାକର ଫେରାର ଥିଲା। ତେଣୁ ଡିଜିଙ୍କୁ ଅନ୍ୟ କେହି ନୁହେଁ ବରଂ ଚାକର ହିଁ ଗଳାକାଟି  ଅତି ଦୟନୀୟ ଭାବେ ହତ୍ୟା କରିଥିବା ସନ୍ଦେହ ଘନୀଭୂତ ହୋଇଥିଲା। ତେଣୁ ଚାକରର ଫଟୋ ଗଣମାଧ୍ୟମ ଜରିଆରେ ସର୍ବସାଧାରଣ ତଥା ସବୁ ରାଜ୍ୟର ପୁଲିସକୁ ଜାରି କରିଦିଆଯାଇଥିଲା। ୟାସିର ଡିଜିଙ୍କ ଘରେ ୬ ମାସ ଧରି କାମ କରିଆସୁଥିଲା ।

Comments are closed.