ଜୟଲଳିତାଙ୍କ ମୃତ୍ୟୁ ପାଇଁ ଶଶୀକଳାଙ୍କୁ ଦାୟୀ କଲେ ତଦନ୍ତ କମିସନ

ଚେନ୍ନାଇ : ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ ତାମିଲନାଡ଼ୁ ବିଧାନସଭାରେ ଆଗତ ହୋଇଛି । ୨୦୧୬ରେ ଜୟଲଳିତାଙ୍କ ମୃତ୍ୟୁପରେ ତତକାଳୀନ ଏଆଇଏଡିଏମକେ ସରକାର ଦୁଇଟି ତଦନ୍ତ କମିସନ ବସାଇଥିଲେ ।

ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏ.ଅରୁମୁଗସ୍ବାମୀଙ୍କ ଅଧ୍ୟକ୍ଷତାରେ ଥିବା ତଦନ୍ତ କମିସନ ନିଜ ରିପୋର୍ଟରେ ଜୟଲଳିତାଙ୍କ ମୃତ୍ୟୁ ପାଇଁ ତାଙ୍କ ଘନିଷ୍ଠ ବନ୍ଧୁ ଶଶୀକଳାଙ୍କ ଭୂମିକା ଉପରେ ପ୍ରଶ୍ନଚିହ୍ନ ଲଗାଇଛନ୍ତି । ଏହାର ତଦନ୍ତ କରିବାକୁ କମିସନ ପରାମର୍ଶ ଦେଇଛନ୍ତି ।

ତଦନ୍ତ କମିସନ ମଧ୍ୟ ଜୟଲଳିତାଙ୍କ ବ୍ୟକ୍ତିଗତ ଡାକ୍ତର ଡ.ଶିବକୁମାର,  ପୂର୍ବତନ ସ୍ବାସ୍ଥ୍ୟ ସଚିବ ରାଧାକୃଷ୍ଣନ ଓ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ବିଜୟ ଭାସ୍କରଙ୍କୁ ମଧ୍ୟ ଦୋଷୀ ବୋଲି କହିବା ସହ ଅଧିକ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ।

ଏପରିକି ଆପୋଲୋ ହସପିଟାଲର ଭୂମିକା ମଧ୍ୟ ସଂଦେହରେ ରହିଛି । କମିସନ ନିଜ ତଦନ୍ତରୁ ଜାଣିବାକୁ ପାଇଛନ୍ତି ଯେ ଜୟଲଳିତାଙ୍କ ମୃତ୍ୟୁ ଡିସେମ୍ବର ୫, ୨୦୧୬ରେ ହୋଇଥିଲା ବୋଲି ଆପୋଲୋ ହସପିଟାଲ ପକ୍ଷରୁ ଘୋଷଣା କରାଯାଇଥିଲା । କିନ୍ତୁ ପ୍ରକୃତରେ ତାଙ୍କ ମୃତ୍ୟୁ ଡିସେମ୍ବର ୪ ତାରିଖ ଅପରାହ୍ଣ ୩ରୁ ସାଢେ ୩ଟା ମଧ୍ୟରେ ହୋଇଥିଲା । ଏଣୁ ମୃତ୍ୟୁ ଖବରକୁ ଗୋଟିଏ ଦିନ ବିଳମ୍ବରେ ଘୋଷଣା କରାଯାଇଥିଲା ।

ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ପାଇଁ ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶରେ ଏମ୍ସର ଡାକ୍ତରମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା । କମିଟି ଚଳିତ ବର୍ଷ ଆରମ୍ଭରେ ଅରୁମୁଗସ୍ବାମୀ କମିସନଙ୍କୁ ରିପୋର୍ଟ ଦେଇଥିଲା ।

Comments are closed.