ଜଳେଶ୍ୱର ନାବାଳିକା ହତ୍ୟା ଘଟଣା: ତଦନ୍ତରେ ଶିଥିଳତା ନେଇ ସିପିଆଇ(ଏମ୍)ର ଅସନ୍ତୋଷ, ୭ ଦିନର ମହଲତ

0
ବାଲେଶ୍ୱର, ନଭେମ୍ବର ୫ (କୃଷ୍ଣ କୁମାର ମହାନ୍ତି): ଜଳେଶ୍ୱରରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତରେ ଶିଥିଳତା ଏବଂ ନିରପେକ୍ଷତାର ଅଭାବ ଅଭିଯୋଗ କରି ସିପିଆଇ(ଏମ୍), ବାଲେଶ୍ୱର ଜିଲ୍ଲା କମିଟି ପକ୍ଷରୁ ପୋଲିସ ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି। ଆସନ୍ତା ସାତ ଦିନ ମଧ୍ୟରେ ଉପଯୁକ୍ତ ପଦକ୍ଷେପ ନିଆ ନଗଲେ ଦଳ ପକ୍ଷରୁ ଗଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଗୁରୁବାର ଅପରାହ୍ନ ୨ଟାରେ ସିପିଆଇ(ଏମ୍)ର ଏକ ପ୍ରତିନିଧି ଦଳ ପୂର୍ବାଞ୍ଚଳ ପୋଲିସ ମହାନିର୍ଦ୍ଦେଶକଙ୍କ ଅନୁପସ୍ଥିତିରେ ତାଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଥିଲେ। ଘଟଣାକୁ ୨୨ ଦିନରୁ ଊର୍ଦ୍ଧ୍ୱ ବିତିଥିଲେ ମଧ୍ୟ ପୋଲିସ ମାତ୍ର ଜଣଙ୍କୁ ଗିରଫ କରିଥିବା ଏବଂ ଅନ୍ୟ ତିନି ଜଣଙ୍କୁ ସନ୍ଦେହରେ ଥାନାରେ ଅଟକ ରଖିଥିବା ନେଇ ଦଳ ଅସନ୍ତୋଷ ପ୍ରକାଶ କରିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ପୋଲିସ ପ୍ରଶାସନ ଗୁରୁତ୍ୱର ସହ ନେଉନଥିବା ଦାବିପତ୍ରରେ ଅଭିଯୋଗ କରାଯାଇଛି।
ଦଳ ପକ୍ଷରୁ ଆହୁରି ଅଭିଯୋଗ କରାଯାଇଛି ଯେ, ଜଳେଶ୍ୱର ମହିଳା ଚାଲାଣର ଏକ ପ୍ରମୁଖ କେନ୍ଦ୍ର ହୋଇଥିବା ସତ୍ତ୍ୱେ ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ରୋକିବା ପାଇଁ ୨୦୨୩ରୁ ଟାସ୍କଫୋର୍ସ ଗଠନ ହୋଇଥିଲେ ମଧ୍ୟ ଜିଲ୍ଲା ପୋଲିସ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାରେ ବିଫଳ ହୋଇଛି।
ଏହା ସହିତ ମୃତ ନାବାଳିକାଙ୍କ ଶବର ପରିଚୟ ନିଶ୍ଚିତ କରିବା ପାଇଁ ଏଯାଏଁ ଡିଏନ୍‌ଏ ପରୀକ୍ଷା କରାଯାଇନଥିବା ନେଇ ପ୍ରତିନିଧି ଦଳ ପ୍ରଶ୍ନ ଉଠାଇଥିଲା। ନାମ୍ପୋ ଫାଣ୍ଡିରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ କେଉଁ ଚାପରେ ଫାଣ୍ଡି ଅଧିକାରୀ ଛାଡ଼ିଥିଲେ, ତାହାର ସ୍ୱତନ୍ତ୍ର ତଦନ୍ତ କରି ସମ୍ପୃକ୍ତ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ କଠୋର ଶାସ୍ତିମୂଳକ ପଦକ୍ଷେପ ନେବାକୁ ମଧ୍ୟ ଦାବି କରାଯାଇଛି।
ପୋଲିସ ପ୍ରଶାସନ ଏଭଳି ଆଚରଣ ଜାରି ରଖିଲେ ଜନସାଧାରଣଙ୍କ ଆସ୍ଥା ହରାଇବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।
ଏହି ପ୍ରତିନିଧି ଦଳରେ ଜିଲ୍ଲା ସମ୍ପାଦକ ଶିଶିର ହୁଇଙ୍କ ସମେତ ସମ୍ପାଦକମଣ୍ଡଳୀ ସଭ୍ୟ ସୀତାଂଶୁ ସେନାପତି, ପ୍ରେମରଞ୍ଜନ ପାତ୍ର, ଦିଲ୍ଲୀପ ଗିରି, ପ୍ରସନ୍ନ ପାଣିଗ୍ରାହୀ ଓ ପ୍ରଭାକର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply

Your email address will not be published.