ନବରଙ୍ଗପୁର, ୦୬.୧୧.୨୦୨୬:(ଶେଖର ଖୁରା) ମାଣ୍ଡିଆ ତଥା ଅନ୍ୟାନ୍ୟ ମିଲେଟ୍ର ଗୁରୁତ୍ୱ, ପୁଷ୍ଟିକର ଗୁଣ ଓ ଏହାର ବହୁମୁଖୀ ଉପଯୋଗିତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ ମିଲେଟ୍ ଚାଷର ପ୍ରସାର ଓ ଚାଷୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ଆଜି ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଓ ଖାଦ୍ୟ ମହୋତ୍ସବ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଆୟୋଜନ ଏବଂ ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍, ଶ୍ରୀ ଅନ୍ନ ଅଭିଯାନର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ମାନ୍ୟବର ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପାଢ଼ୀ, ମାନ୍ୟବର ଝରିଗାଁ ବିଧାୟକଙ୍କ ପ୍ରତିନିଧି ଜଗଦୀଶ ବିଷୋୟୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ପ୍ରମୋଦ କୁମାର ପୃଷ୍ଟି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କୃଷି ବିଭାଗର କର୍ମଚାରୀ, ଶ୍ରୀ ଅନ୍ନ ଅଭିଯାନର କର୍ମଚାରୀ ଓ ପ୍ରାୟ ୧୨୦ ଜଣ ଚାଷୀ ଯୋଗଦେଇଥିଲେ।
ଏହି ଅବସରରେ ଅତିଥିମାନେ ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ୍ର ପୁଷ୍ଟିକର ଗୁଣ, ସ୍ୱାସ୍ଥ୍ୟ ଉପକାରିତା ଏବଂ କୃଷି କ୍ଷେତ୍ରରେ ଏହାର ଗୁରୁତ୍ୱ ସମ୍ପର୍କରେ ନିଜ ନିଜର ମତବ୍ୟକ୍ତ କରିଥିଲେ। ମିଲେଟ୍ ଚାଷର ପରିମାଣ ଓ ଉତ୍ପାଦନ ବୃଦ୍ଧି, ପାରମ୍ପରିକ ଦେଶୀୟ ବିହନର ସଂରକ୍ଷଣ, ଆଧୁନିକ ଚାଷ ପ୍ରଣାଳୀର ପ୍ରୟୋଗ ଏବଂ ଉତ୍ପାଦିତ ଶସ୍ୟର ଉପଯୁକ୍ତ ବଜାର ସଂଯୋଗ ମାଧ୍ୟମରେ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ।
ଖାଦ୍ୟ ମହୋତ୍ସବ ଏହି କାର୍ଯ୍ୟକ୍ରମର ଏକ ମୁଖ୍ୟ ଆକର୍ଷଣ ଥିଲା। ଏଥିରେ ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ପାରମ୍ପରିକ ଓ ସୁସ୍ୱାଦୁ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା। ମିଲେଟ୍କୁ ବ୍ୟବହାର କରି ବିଭିନ୍ନ ପ୍ରକାରର ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ ବୋଲି ଏହି ପ୍ରଦର୍ଶନୀ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ଏଥିସହ ଦୈନନ୍ଦିନ ଖାଦ୍ୟ ତାଲିକାରେ ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ୍କୁ ସାମିଲ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।
ମିଲେଟ୍ ଚାଷର ପ୍ରସାର ସହ ଏହାର ଉତ୍ପାଦନ, ପ୍ରକ୍ରିୟାକରଣ, ମୂଲ୍ୟବୃଦ୍ଧି, ବଜାର ସଂଯୋଗ ଓ ଉପଭୋଗ ବୃଦ୍ଧି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଉତ୍ସବ ମାଧ୍ୟମରେ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସୃଷ୍ଟି ହେବା ସହ ମିଲେଟ୍ର ଚାଷ ଓ ବ୍ୟବହାରକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏକ ଉତ୍ତମ ମଞ୍ଚ ସୃଷ୍ଟି ହୋଇଥିଲା ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମହେଶ ପାଢ଼ୀ ପରିଚାଳନା କରିଥିଲେ ।ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର