ସମୁଦ୍ରରେ ଭାରତର ବଢ଼ିଲା ଦବଦବା, ନୌସେନାରେ ସାମିଲ ହେଲା ୩ ଯୁଦ୍ଧଜାହାଜ

କୋଲକାତାର ଏକ ସ୍ବତନ୍ତ୍ର ଉତ୍ସବରେ ଏହି ଯୁଦ୍ଧ ଜାହାଜଗୁଡିକୁ ଲୋକର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି।

କୋଲକାତା : ଭାରତୀୟ ନୌସେନାରେ ସାମିଲ ହେଲା ୩ ଯୁଦ୍ଧ ଜାହାଜ (Naval Ships)। କୋଲକାତାସ୍ଥିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ପୋର୍ଟରେ ୩ଟି ସ୍ୱଦେଶୀ ଯୁଦ୍ଧପୋତ INS ଦୁନଗିରି, INS ଆଗ୍ରେ ଏବଂ INS ସଂଶୋଧକକୁ ଦେଶକୁ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi)। ଏଗୁଡ଼ିକ ୭୫ ପ୍ରତିଶତରୁ ଅଧିକ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ। ଏହି ଯୁଦ୍ଧପୋତଗୁଡ଼ିକ ଗାର୍ଡେନ୍ ରିଚ୍ ସିପ ବିଲଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଦ୍ୱାରା ନିର୍ମିତ ହୋଇଛି

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ସମୁଦ୍ର ସହ ଦେଶର ବିକାଶ, ସୁରକ୍ଷା ଏବଂ ସମୃଦ୍ଧି ଜଡ଼ିତ ରହିଛି। ଏହି ତିନିଟି ଜାହାଜର ସାମିଲ ହେବା ଭାରତର ସାମୁଦ୍ରିକ ସୁରକ୍ଷାକୁ ନୂଆ ଶକ୍ତି ଯୋଗାଇବ। ସାମୁଦ୍ରିକ କ୍ଷମତା ବିନା କୌଣସି ରାଷ୍ଟ୍ର ମହାନ ଶକ୍ତି ହୋଇପାରିବ ନାହିଁ। ଆଜି, ବିଶ୍ୱର ଅଧିକାଂଶ ବାଣିଜ୍ୟ ସମୁଦ୍ର ମାର୍ଗରେ ହେଉଛି। ପ୍ରତିରକ୍ଷା କ୍ଷେତ୍ରରେ ଭାରତ କେବଳ କିଣିବନି, ନିର୍ମାତା ବି ହେବ। ନିର୍ମାତା ହେଲେ ହିଁ ନିର୍ଣ୍ଣାୟକ ହୋଇପାରିବ ଦେଶ।

INS ଦୁନାଗିରି:

INS ଦୁନାଗିରି ହେଉଛି ପ୍ରୋଜେକ୍ଟ-17A ଅନ୍ତର୍ଗତ ଏକ ଅତ୍ୟାଧୁନିକ ଷ୍ଟେଲ୍ଥ ଗାଇଡେଡ୍–ମିସାଇଲ ଫ୍ରିଗେଟ୍। ଏହା ସମୁଦ୍ର, ଆକାଶ ଏବଂ ସ୍ଥଳ– ତିନୋଟି କ୍ଷେତ୍ରରେ ଯୁଦ୍ଧ କରିବାର କ୍ଷମତା ରଖିଥାଏ। ଉନ୍ନତ ସେନ୍ସର, ଅସ୍ତ୍ର ପ୍ରଣାଳୀ ଏବଂ ଷ୍ଟେଲ୍ଥ ପ୍ରଯୁକ୍ତି ସହ ଏହା ଭାରତୀୟ ନୌସେନାର ଅନ୍ୟତମ ଆଧୁନିକ ଯୁଦ୍ଧଜାହାଜ ଭାବେ ଗଣାଯାଉଛି।

INS ସଂଶୋଧକ:

INS ସଂଶୋଧକ ହେଉଛି ଏକ ବଡ଼ ସର୍ଭେ ଜାହାଜ। ଏହାର ପ୍ରଧାନ କାର୍ଯ୍ୟ ସମୁଦ୍ର ତଳଭାଗର ମାନଚିତ୍ର ପ୍ରସ୍ତୁତ କରିବା, ନୌଚଳାଚଳ ପାଇଁ ସୁରକ୍ଷିତ ମାର୍ଗ ଚିହ୍ନଟ କରିବା ଏବଂ ସାମୁଦ୍ରିକ ଗବେଷଣାରେ ସହଯୋଗ କରିବା। ଏହାକୁ ଏକ “ଭାସମାନ ସାମୁଦ୍ରିକ ଗବେଷଣାଗାର” ଭାବେ ମଧ୍ୟ ବର୍ଣ୍ଣନା କରାଯାଉଛି।

INS ଆଗ୍ରେ:

INS ଆଗ୍ରେ ହେଉଛି ଆଣ୍ଟି–ସବମରିନ୍ ୱାରଫେୟାର ଶାଲୋ ୱାଟର କ୍ରାଫ୍ଟ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶତ୍ରୁ ପକ୍ଷର ପାଣିତଳ ବୁଡ଼ାଜାହାଜ (ସବମରିନ୍) ଚିହ୍ନଟ କରିବା ଏବଂ ସେଗୁଡ଼ିକୁ ପ୍ରତିହତ କରିବା। ଉପକୂଳ ଅଞ୍ଚଳରେ ଭାରତର ସୁରକ୍ଷା ବ୍ୟବସ୍ଥାକୁ ଏହା ଅଧିକ ସଶକ୍ତ କରିବ।

ଏହି ତିନୋଟି ଜାହାଜ ଭାରତୀୟ ନୌସେନାର ୱାରଶିପ୍ ଡିଜାଇନ୍ ବ୍ୟୁରୋ ଦ୍ୱାରା ପରିକଳ୍ପିତ ଏବଂ କୋଲକାତାର ଗାର୍ଡେନ ରିସର୍ଚ୍ଚ ସିପ୍ ବିଲଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଦ୍ୱାରା ନିର୍ମିତ। ଏଥିରେ ୭୫ ପ୍ରତିଶତରୁ ଅଧିକ ସ୍ୱଦେଶୀ ଉପକରଣ ଓ ପ୍ରଯୁକ୍ତି ବ୍ୟବହୃତ ହୋଇଛି, ଯାହା ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ବଡ଼ ପ୍ରୋତ୍ସାହନ ଦେବ।

 

Comments are closed.