ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ଦେଲେ ଇଣ୍ଡିଆ ବ୍ଲକ ନେତା

0

ନୂଆଦିଲ୍ଲୀ : କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ ପକ୍ଷରୁ ଗତ କିଛିଦିନ ହେବା ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ଭୋଟ ଚୋରି ଅଭିଯୋଗ ଆଣାଯାଇ ତାଙ୍କ ଇସ୍ତଫା ଦାବି କରାଯାଉଛି । ହଜାର ହଜାର ନେତା ଓ କର୍ମୀ ବିଭିନ୍ନ ସ୍ଥାନରେ ପ୍ରତିବାଦ ଜାରି ରଖିଛନ୍ତି । ଶୁକ୍ରବାର ଇଣ୍ଡିଆ ବ୍ଲକର ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ୪ ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ଦାବିଗୁଡ଼ିକ ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବହିଷ୍କାର, ଏସଆଇଆର ଇଲେକ୍ଟ୍ରୋରାଲ ରୋଲ୍‌ର ବ୍ୟାଜ୍ୟାପ୍ତି, ବାଲାଟ ପେପର ଭୋଟିଂ ବ୍ୟବସ୍ଥାର ପୁନଃପ୍ରଚଳନ ଏବଂ ଗତ ୨ ବର୍ଷ ମଧ୍ୟରେ ହୋଇଥିବା ସମସ୍ତ ନିର୍ବାଚନର ପୁନର୍ବିଚାର ଆଦି ଅନ୍ୟତମ । ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିବା ଏହି ୧୦ ଜଣିଆ ପ୍ରତିନିଧି ମଣ୍ଡଳୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ, ସିପିଆଇଏମ ସାଧାରଣ ସମ୍ପାଦକ ଏମ.ଏ. ବାବେ, ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ ଇତ୍ୟଦ ସାମିଲ ହୋଇଥିଲେ । ନିର୍ବାଚନ କମିଶନରେ ହୋଇଥିବା ଅବ୍ୟବସ୍ଥାରେ ରାଷ୍ଟ୍ରପତି ସିଧାସଳଖ ହସ୍ତକ୍ଷେପ କରନ୍ତୁ ବୋଲି ଏହି ନେତାମାନେ ଦାବି ଜଣାଇଥିଲେ । ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ‘ରାଷ୍ଟ୍ରପତି ଆମ ଦାବିକୁ ଅସ୍ୱୀକାର କରି ନ ଥିଲେ, ବରଂ ‘ଭୋଟ ଚୋରି’ର ପ୍ରମାଣ ମାଗିଥିଲେ । ନିର୍ବାଚନକୁ କିଭଳି ଭାବେ ଚୋରି କରାଯାଇଛି, ତାହାର ପ୍ରମାଣ ଆମ ପାଖରେ ଅଛି । ସାରା ଦେଶ ମଧ୍ୟ ଏହାକୁ ଦେଖିଛି ।’ ଇଣ୍ଡିଆ ବ୍ଲକ ପକ୍ଷରୁ ଏ ନେଇ ସୋମବାର ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତିଙ୍କୁ ସାକ୍ଷାତ କରାଯାଇ ତାଙ୍କୁ ଏ ସମ୍ପର୍କିତ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ଗାନ୍ଧୀ କହିଥିଲେ ।

Leave A Reply

Your email address will not be published.