ଦିଲ୍ଲୀରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମହାମହିମ ରାଷ୍ଟ୍ରପତି

ରାଜଧାନୀରେ ପ୍ରଥମ ଥର ପାଇଁ ସ୍ଥାପିତ ହେଲା ଜଣେ ଓଡ଼ିଆ ବରପୁତ୍ରଙ୍କ ପ୍ରତିମୂର୍ତ୍ତି

0
ନୂଆଦିଲ୍ଲୀ, ୪ ଅଗଷ୍ଟ (କୃଷ୍ଣ କୁମାର ମହାନ୍ତି): ରାଜଧାନୀ ଦିଲ୍ଲୀର ଲଜପତ ଭବନ ପରିସରରେ ସୋମବାର ଏକ ଐତିହାସିକ ଅଧ୍ୟାୟର ଶୁଭାରମ୍ଭ ହୋଇଛି। ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଅନାବରଣ କରିଛନ୍ତି। ଦିଲ୍ଲୀରେ ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହେବା ଘଟଣା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି।
ପ୍ରତିମୂର୍ତ୍ତି ଅନାବରଣ ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଲୋକସେବକ ମଣ୍ଡଳର ସଂସ୍ଥାପକ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ଲୋକସେବକ ମଣ୍ଡଳର ସଭାପତି ରାଜକୁମାର, ଉପସଭାପତି ଦୀପକ ମାଲବ୍ୟ, ସମ୍ପାଦକ ରମାନାଥ ଝା ଏବଂ କୋଷାଧ୍ୟକ୍ଷ ତଥା ‘ସମାଜ’ର ପ୍ରକାଶକ ରାଜେନ୍ଦ୍ର କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହାକୁ ଏକ ଐତିହାସିକ ଏବଂ ଗୌରବମୟ କ୍ଷଣ ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ, ଏହା ଓଡ଼ିଶାର ମହାନ ଐତିହ୍ୟ, ଜନସେବା ଓ ରାଷ୍ଟ୍ରନିର୍ମାଣ ମୂଲ୍ୟବୋଧ ପ୍ରତି ଏକ ଶ୍ରଦ୍ଧାଞ୍ଜଳି।
ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ଲାଲା ଲଜପତ ରାୟଙ୍କ ଜୀବନ ଓ ଆଦର୍ଶ ଆଜି ମଧ୍ୟ ଦେଶବାସୀଙ୍କ ପାଇଁ ପଥପ୍ରଦର୍ଶକ ହୋଇ ରହିଛି। ସେମାନଙ୍କ ଜନସେବା, ତ୍ୟାଗ, ଶିକ୍ଷା ଓ ରାଷ୍ଟ୍ରନିଷ୍ଠାର ଆଦର୍ଶ ‘ବିକଶିତ ଭାରତ’ ଗଠନରେ ନୂତନ ପ୍ରେରଣା ଯୋଗାଉଛି।
ସାଂସଦ ଅପରାଜିତା ଷଡ଼ଙ୍ଗୀ ଗୋପବନ୍ଧୁଙ୍କୁ ଜଣେ କିମ୍ବଦନ୍ତୀ ପୁରୁଷ ଭାବେ ବର୍ଣ୍ଣନା କରି କହିଥିଲେ ଯେ, ଶିକ୍ଷା, ସାହିତ୍ୟ, ସାମ୍ବାଦିକତା, ଜନସେବା ଏବଂ ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ତାଙ୍କ ଅବଦାନ ସଦା ସର୍ବଦା ଦେଶବାସୀଙ୍କୁ ପ୍ରେରିତ କରିବ।
ଏହି ଐତିହାସିକ ଅବସରକୁ ସାକ୍ଷୀ ରହିବା ପାଇଁ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଯୋଗ ଦେଇଥିଲେ। ଦିଲ୍ଲୀରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ସେମାନେ ଓଡ଼ିଶାର ଗୌରବ ଓ ସ୍ୱାଭିମାନର ପ୍ରତୀକ ବୋଲି ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ସାଂସଦ ବୈଜୟନ୍ତ ପଣ୍ଡା, ସପ୍ତଗିରି ଉଲାକା, ଡ. ସସ୍ମିତ ପାତ୍ର, ଦେବାଶିଷ ସାମନ୍ତରାୟ, ସୁଜିତ କୁମାର, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, ସନ୍ତୃପ୍ତ ମିଶ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ, ପ୍ରଶାସକ, କଳାକାର, ଲେଖକ ଓ ସମାଜସେବୀ ଉପସ୍ଥିତ ଥିଲେ।
ଉତ୍କଳମଣିଙ୍କ ପରିବାର ସଦସ୍ୟ ଧୀରେନ୍ଦ୍ରନାଥ ଦାସ, ଦେବେନ୍ଦ୍ରନାଥ ଦାସ, ସ୍ମିତା ଦାସ ଓ ଆଦିତ୍ୟ ଦାସ ମଧ୍ୟ ଯୋଗ ଦେଇଥିଲେ।
ଲୋକସେବକ ମଣ୍ଡଳର ସଭାପତି ରାଜକୁମାର କହିଥିଲେ ଯେ, ଦେଶର ରାଜଧାନୀରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ତାଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ଦେଶବ୍ୟାପୀ ପ୍ରସାରିତ କରିବ ଏବଂ ନୂତନ ପିଢ଼ିକୁ ଜନସେବା ପାଇଁ ପ୍ରେରିତ କରିବ।
ଉଲ୍ଲେଖଯୋଗ୍ୟ ଯେ, ଭାସ୍କର୍ଯ୍ୟ ଶିଳ୍ପୀ ରବି ନାରାୟଣ ରଥଙ୍କ ଦ୍ୱାରା ପିତ୍ତଳ ଓ ତମ୍ବା ଧାତୁରେ ନିର୍ମିତ ଏହି ପ୍ରତିମୂର୍ତ୍ତିର ଓଜନ ପ୍ରାୟ ୫୨ କିଲୋଗ୍ରାମ। ଲୋକସେବକ ମଣ୍ଡଳର ପରାମର୍ଶକ୍ରମେ ଏହି ଭାସ୍କର୍ଯ୍ୟ ନିର୍ମାଣ କରାଯାଇଥିବା କଥା ଶିଳ୍ପୀ ଶ୍ରୀ ରଥ ସୂଚନା ଦେଇଛନ୍ତି।
Leave A Reply

Your email address will not be published.