ହିନ୍ଦୁମାନେ ୨୨ବର୍ଷ ଭିତରେ ବିବାହ କଲେ ମୁସଲିମଙ୍କ ଭଳି ଅଧିକ ପିଲା ଜନ୍ମ କରିପାରିବେ: ବଦରୁଦ୍ଦିନ ଅଜମଲ

ନୂଆଦିଲ୍ଲୀ: ଅଧିକ ପିଲା ଜନ୍ମ କରିବାର ଟିପ୍ସ ହିନ୍ଦୁମାନେ ମୁସଲମାନଙ୍କଠାରୁ ନେବା ଉଚିତ୍। ଏଭଳି ବୟାନ ଦେଇ ବିବାଦରେ ଛନ୍ଦି ହୋଇଛନ୍ତି ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ(ଏଆଇଡିୟୁଏଫ) ମୁଖ୍ୟ ବଦରୁଦ୍ଦିନ ଅଜମଲ। ସେ କହିଛନ୍ତି ଯେ ମୁସଲମାନଙ୍କ ପରି ହିନ୍ଦୁମାନେ କମ ବୟସରେ ବିବାହ କରିବା ଉଚିତ୍। ଏହା ସହ ହିନ୍ଦୁମାନେ ସେମାନଙ୍କର ଜନସଂଖ୍ୟା ବୃଦ୍ଧି ପାଇଁ ମୁସଲମାନଙ୍କ ଫର୍ମୁଲା ବ୍ୟବହାର କରିବା ଉଚିତ୍।

ବଦରୁଦ୍ଦିନ ଅଜମଲଙ୍କ କହିବା ମୁତାବକ, ମୁସଲମାନ ପୁରୁଷମାନେ ୨୦-୨୨ ବର୍ଷ ବୟସରେ ବିବାହ କରୁଥିବାବେଳେ ମୁସଲମାନ ମହିଳାମାନେ ୧୮ବର୍ଷ ବୟସରେ ବିବାହ କରନ୍ତି, ଯାହା ଆଇନ ଅନୁଯାୟୀ ଧାର୍ଯ୍ୟ ବୟସ ସୀମା ଅଟେ। ଅନ୍ୟ ପଟେ ହିନ୍ଦୁମାନେ ୪୦ବର୍ଷ ପୂର୍ବରୁ ୧, ୨ ବା ୩ଟି ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖନ୍ତି। ଠିକ ସମୟ‌ରେ ପିଲା ଜନ୍ମ ନ କରି ଟଙ୍କା ସଞ୍ଚୟ କରନ୍ତି ଏବଂ ମଜା କରନ୍ତି। ୪୦ବର୍ଷ ପରେ ଘର ଲୋକେ ଚାପ ପକାଇବ‌ାରୁ ବା ଅନ୍ୟ କାରଣରୁ ମହିଳା ଓ ପୁରୁଷଙ୍କୁ ବିବାହ କରିବାକୁ ପଡେ। ହେଲେ ୪୦ବର୍ଷ ପରେ ପିଲା ଜନ୍ମ ହେବା ସହଜ ନଥିବାରୁ ସେମାନେ ପିଲା ଜନ୍ମ କରିପାରନ୍ତି ନାହିଁ। ସେଥିପାଇଁ ହିନ୍ଦୁ ପୁରୁଷମାନେ ୨୦-୨୨ ବର୍ଷ ବୟସରେ ବିବାହ କରିବା ସହ ମହିଳାମାନେ ୧୮-୨୦ବର୍ଷ ଭିତରେ ବିବାହ କରିବା ଉଚିତ। ଏଭଳି ହେଲେ ହିନ୍ଦୁମାନେ ବି ମୁସଲମାନଙ୍କ ଭଳି ପିଲା ଜନ୍ମ କରିପାରିବେ।

ବଦରୁଦ୍ଦିନଙ୍କ ଏଭଳି ବୟାନ ଉପରେ ପ୍ରତିକ୍ରିୟା ରଖି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ କହିଛନ୍ତି, ମୁଁ ବଦରୁଦ୍ଦିନଙ୍କ ବୟାନ ଉପରେ କିଛି କହିବାକୁ ଚାହେଁ ନାହିଁ। ହେଲେ ଜଣେ କେବେ ବିବାହ କରିବ ଏବଂ କେବେ ପିଲା ଜନ୍ମ କରିବ, ତାହା ଜଣକର ବ୍ୟକ୍ତିଗତ ନିଷ୍ପତ୍ତି ‌ହେବା ଜରୁରୀ।

Comments are closed.