ନେରେଡି ବ୍ୟାରେଜ ନିର୍ମାଣ ନେଇ ଉଚ୍ଚସ୍ତରୀୟ କମିଟିର ସାରା ଗ୍ରାମ ଗସ୍ତ ଓ କ୍ଷେତ୍ରସ୍ଥଳ ପରିଦର୍ଶନ ।

0

ଗଜପତି,୮।୧୦( ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ନେରେଡି ବ୍ୟାରେଜ ପ୍ରକଳ୍ପ ସମ୍ପର୍କରେ ତଦାରଖ ପାଇଁ ଉଚ୍ଚସ୍ତରୀୟ ସୁପରଭାଇଜିଂ କମିଟିର ଗସ୍ତ ଖବର ପାଇ ସାରା, ବାଡିଗାଁ, ନୂଆ ବାଡିଗାଁ ଓ ଆଦର୍ଶନଗର ଅଞ୍ଚଳର ଶହଶହ ଗ୍ରାମବାସୀ ଏକତ୍ରିତ ହୋଇ ପ୍ରକଳ୍ପ ଦ୍ବାରା ଉପୁଜୁଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ୧୯୬୨ ମସିହାରୁ ନେରେଡି ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ବେଳେ ୨୦୧୭ ମସିହାରୁ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲରେ ଏହି ବିବାଦକୁ ନେଇ ଆଲୋଚନା ଜାରି ରହିଥିଲା।ପରେ ଟ୍ରିବ୍ୟୁନାଲର ଆଦେଶ କ୍ରମେ ଓଡ଼ିଶା ସରକାର ଏ‌ହି ପ୍ରକଳ୍ପ ନିମନ୍ତେ ୧୦୬ ଏକର ଜମି ଆନ୍ଧ୍ରପ୍ରଦେଶ ସରକାରଙ୍କୁ ହସ୍ତାନ୍ତର କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ସ୍ଥାନୀୟ ଜନସାଧାରଣଙ୍କ ସହିତ ପ୍ରକଳ୍ପ ସମ୍ପର୍କରେ ପର୍ଯ୍ୟାପ୍ତ ଆଲୋଚନା ହୋଇନଥିବା ଜନସାଧାରଣ ଅଭିଯୋଗ କରିଛନ୍ତି।ପ୍ରକଳ୍ପ ନିର୍ମାଣ ହେଲେ ସ୍ଥାନୀୟ ଅଞ୍ଚଳର କେତେ ଜମି ପ୍ରଭାବିତ ହେବ, ବ୍ୟାକ୍‌ ୱାଟର ଯୋଗୁଁ କେତେ ହେକ୍ଟର ଜମି ଜଳମଗ୍ନ ହେବ ଏବଂ କେଉଁ କେଉଁ ଗ୍ରାମ ଓ ପରିବାର ପ୍ରଭାବିତ ହେବେ, ସେ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ଜନସାଧାରଣଙ୍କ ସମ୍ମୁଖରେ ରଖିବାକୁ ଦାବି ହୋଇଛି। ଏଥିସହ ଜମି ଅଧିଗ୍ରହଣ ପୂର୍ବରୁ ପଲ୍ଲୀସଭା ଓ ଗ୍ରାମସଭା ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ମତାମତ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଗ୍ରାମବାସୀମାନେ ଆହୁରି କହିଛନ୍ତି ଯେ, ୧୯୮୦ ମସିହାର ବନ୍ୟାରେ ଅନେକ ଲୋକଙ୍କ ଜମି ନଦୀଗର୍ଭରେ ମିଶିଯାଇଥିଲା। ସେହି ସମୟରେ କ୍ଷତିଗ୍ରସ୍ତ ଜମି ମାଲିକମାନଙ୍କୁ ମଧ୍ୟ ଉପଯୁକ୍ତ କ୍ଷତିପୂରଣ ଦେବାକୁ ସେମାନେ ଦାବି ରଖିଛନ୍ତି। ବ୍ୟାରେଜ ନିର୍ମାଣ ଦ୍ୱାରା ଉପରମୁଣ୍ଡ ଜଳମଗ୍ନ ହେବା ସହ ତଳମୁଣ୍ଡର ଲୋକେ ଜଳ ପାଇବାରୁ ବଞ୍ଚିତ ହେବାର ଆଶଙ୍କା ଥିବା ନେଇ ମଧ୍ୟ ଗ୍ରାମବାସୀ ଚିନ୍ତା ପ୍ରକଟ କରିଛନ୍ତି।ପ୍ରାରମ୍ଭିକ ଆଲୋଚନା ସମୟରେ କାଶୀନଗର ତହସିଲଦାର ସୁଧୀର କୁମାର ନନ୍ଦ ଉପସ୍ଥିତ ହୋଇ ଉଚ୍ଚସ୍ତରୀୟ କମିଟି ଏହି ଅଞ୍ଚଳକୁ ଆସି ଆଲୋଚନା କରିବାକୁ ଥିବା ସୂଚନା ଦେଇଥିଲେ। ଏଥିସହ ଗ୍ରାମବାସୀ ନିଜର ଯୁକ୍ତିସଙ୍ଗତ ଦାବି ଓ ସମସ୍ୟାଗୁଡ଼ିକ କମିଟି ସମ୍ମୁଖରେ ଉପସ୍ଥାପନ କରିବାକୁ ସେ ପରାମର୍ଶ ଦେଇଥିଲେ।ଏହି ଅବସରରେ ଉତ୍କଳ ହିତୈଷିଣୀ ସମାଜର ସମ୍ପାଦକ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ଉତ୍କଳ ସମ୍ମିଳନୀର ଜିଲ୍ଲା ସମ୍ପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ନେରେଡି ପ୍ରକଳ୍ପ ସମ୍ପର୍କିତ ସମସ୍ତ ତଥ୍ୟ ସ୍ଥାନୀୟ ଲୋକଙ୍କୁ ଅବଗତ କରାଇବା ସହ ତାଙ୍କର ମତାମତକୁ ଗୁରୁତ୍ୱ ଦେବାକୁ ଦାବି ହୋଇଛି। ବ୍ୟାରେଜ ପ୍ରକଳ୍ପକୁ ନେଇ ବଂଶଧାରା ସୁରକ୍ଷା ସମିତି ପକ୍ଷରୁ ଅଧିକାରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ସମିତିର ଆବାହକ ଶ୍ରୀ ବ୍ରଜମୋହନ ନାୟକ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ସ୍ୱାଗତ ଜଣାଇଥିଲେ।ସେଣ୍ଟ୍ରାଲ ୱାଟର କମିଶନର ମୁଖ୍ୟ ଯନ୍ତ୍ରୀ ଶ୍ରୀ ଜି. ନାଗମୋହନଙ୍କ ନେତୃତ୍ୱରେ ଆସିଥିବା ଅଧିକାରୀ ଓ କର୍ମଚାରୀମାନେ ଜନସାଧାରଣଙ୍କ ସହଯୋଗରେ ପ୍ରକଳ୍ପ ସମ୍ପର୍କିତ ସମସ୍ତ ସନ୍ଦେହ ଦୂର କରାଯିବ ବୋଲି ଆଶ୍ୱାସନା ଦେଇଥିଲେ।
ଆଲୋଚନାରେ ଗଜପତି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହନାଗା, ଉପଜିଲ୍ଲାପାଳ ସୁଶ୍ରୀ ଭାଗବତ ଶ୍ୟାମଲ ରାଓ, କାଶୀନଗର ବିଡିଓ ଶ୍ରୀ ଡମ୍ବରୁଧର ମଲ୍ଲିକ, ତହସିଲଦାର ଶ୍ରୀ ସୁଧୀର କୁମାର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ।ଆଲୋଚନା ସମୟରେ ବ୍ୟାରେଜ ନିର୍ମାଣ ପରେ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ବ୍ୟାକ୍‌ୱାଟର ରହିବାର ସମ୍ଭାବନା ଥିବା ଅଧିକାରୀମାନେ ପ୍ରକାଶ କରିଥିଲେ। ଏହାସହ ୬ ଲକ୍ଷ କ୍ୟୁସେକ୍‌ ଜଳ ଓଡ଼ିଶା ପାଇବାର ବ୍ୟବସ୍ଥା ରହିଥିବା ଜଣାପଡ଼ିଥିଲା। ପ୍ରକଳ୍ପର ଷ୍ଟ୍ରକ୍ଚର ନିର୍ମାଣ ପାଇଁ ପ୍ରାୟ ୧୦୬ ଏକର ଜମି ଆବଶ୍ୟକ ଥିବା ଅଧିକାରୀମାନେ ସୂଚନା ଦେଇଥିଲେ।ସାଉଥ୍ କୋଷ୍ଟ, ବିଶାଖାପାଟଣାର ଚିଫ୍ ଇଞ୍ଜିନିୟର ଶ୍ରୀ କେ. ଶେଷବାବୁ ମଧ୍ୟ ଆଲୋଚନାରେ ନିଜ ପକ୍ଷ ରଖିଥିଲେ। ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଜନସାଧାରଣଙ୍କ ସହଯୋଗ କାମନା କରିବା ସହ ଆପୋଷ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ।ସେହିପରି ସିଡବ୍ଲ୍ୟୁସି ଚେୟାରମ୍ୟାନ୍ ମଧ୍ୟ ଆପୋଷ ସମାଧାନ ମାଧ୍ୟମରେ ବିଷୟର ସମାଧାନ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ଅରୁଣପାଲ ଆନ୍ତଃରାଜ୍ୟ ଜଳ ସମସ୍ୟା ସମ୍ପର୍କିତ ଚିଫ୍ ଇଞ୍ଜିନିୟର ସମ୍ପୂର୍ଣ୍ଣ ନକ୍ସା ଅନୁଧ୍ୟାନ କରିବା ପରେ ପ୍ରକଳ୍ପ ସମ୍ପର୍କିତ ଚିତ୍ର ଅଧିକ ସ୍ପଷ୍ଟ ହେବ ବୋଲି କହିଥିଲେ।ଆଲୋଚନା ପରେ ଅଧିକାରୀମାନଙ୍କ ସମେତ ସମସ୍ତେ ବଂଶଧାରା ବ୍ୟାରେଜ ନିର୍ମାଣସ୍ଥଳ ପରିଦର୍ଶନ କରି ପ୍ରକଳ୍ପର ବିଭିନ୍ନ ଦିଗ ଅନୁଧ୍ୟାନ କରିଥିଲେ।ଘଟଣାସ୍ଥଳରେ ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ମାଧବାନନ୍ଦ ନାୟକ ଓ କାଶୀନଗର ଥାନା ଅଧିକାରୀ ଶ୍ରୀ ତ୍ରିନାଥ ସେଠୀଙ୍କ ନେତୃତ୍ୱରେ ପୁଲିସ ବାହିନୀ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।

Leave A Reply

Your email address will not be published.