ଗଜପତି, 4/9(ମନୋଜ ପାଢ଼ୀ):ପ୍ରବଳ ବର୍ଷାରେ ଓଡିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ବି୍ପତ୍ତି ଦେଖା ଦେଇଥିବା ବେଳେ ଗଜପତିରେ ଜଳାଭାବ ଦେଖା ଦେଇଛି । ଗଜପତି ଜିଲ୍ଲାର ସମ୍ବଲପୁର ପଞ୍ଚାୟତର ଦୁର୍ଗମ ବନ ପାହାଡ଼ ଘେରା ଯାଜପୁର ଗ୍ରାମରେ ବର୍ତ୍ତମାନ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହୋଇଛି. ଏହି ଗ୍ରାମରେ ବସବାସ କରୁଥିବା 200 ରୁ ଉର୍ଦ୍ଧ ଲୋକଙ୍କ ପିଇବା ପାଣି ପାଇଁ ପାହାଡିଆ ନାଳର ଚୁଆ ପାଣି ଉପରେ ଲୋକେ ଭରସା କରି ଜୀବନଯାପନ କରୁଥିବା ସୂଚନା ମିଳିଛି । ଦୁର୍ଗମ ଯାଜପୁର ଗାଁର ଲୋକଙ୍କ ପାଇଁ ପାନୀୟଜଳ ଏବେ ବି ଏକ ବଡ଼ ସମସ୍ୟା ହୋଇ ରହିଛି। ପ୍ରାୟ ୨୦୦ ଜନବସତି ଥିବା ଏହି ଗାଁରେ ଆଜି ପର୍ଯ୍ୟନ୍ତ ସ୍ଥାୟୀ ପାନୀୟଜଳ ବ୍ୟବସ୍ଥା ହୋଇନଥିବାରୁ ବର୍ଷତମାମ ଲୋକେ ଝରଣାର ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି । ଗାଁରେ ପାନୀୟ ଜଳଯୋଗାଣ ପାଇଁ ଗୋଟିଏ ମାତ୍ର କୂଅ ଖୋଳାଯାଇଛି।
ହେଲେ ସେଥିରୁ ଗୋଳିଆ ପାଣି ବାହାରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଏହି ପାଣି ପିଇବା ତ ଦୂରର କଥା, ଦୈନନ୍ଦିନ ବ୍ୟବହାର ପାଇଁ ମଧ୍ୟ ଉପଯୋଗୀ ହେଉନାହିଁ ବୋଲି ଲୋକେ ଅଭିଯୋଗ କରି କହିଛନ୍ତି ଗ୍ରାମଠାରୁ କିଛି ଦୂରରେ ଲୋକେ ଜଙ୍ଗଲ ମଧ୍ୟରେ ଥିବା ଝରଣା ନିକଟକୁ ଯାଇ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି। ବର୍ଷା ଦିନେ ଏହି ସମସ୍ୟା ଆହୁରି ଗମ୍ଭୀର ହୋଇପଡ଼ୁଛି। ଝରଣାର ପାଣି ମାଟି ଓ ଅଳିଆ ଆବର୍ଜନାରେ ମିଶି ଗୋଳିଆ ହୋଇଯାଉଥିବାରୁ ଏହାକୁ ପାନୀୟ ଜଳ ରୂପେ ବ୍ୟବହାର କରିପାରୁନାହାନ୍ତି ବୋଲି ଗ୍ରାମବାସୀମାନେ ଅତ୍ୟନ୍ତ ଦୁଃଖର ସହ ପ୍ରକାଶ କରି ସରକାର ଏସବୁକୁ ଦୃଷ୍ଟିରେ ରଖି ପିଇବା ପାଣି ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି ।
Comments are closed.