ଗଜପତି,(ମନୋଜ କୁମାର ପାଢୀଙ୍କ ରିପୋର୍ଟ)ତା.୨୪।୯:– ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆନ୍ଧ୍ରପ୍ରଦେଶର କଳିଙ୍ଗପାଟନମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ୨୩ ସେପ୍ଟେମ୍ବର ରାତି ୧୧:୩୦ ମିନିଟ୍ ସମୟରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ କଳିଙ୍ଗପାଟନମ୍ର ଦକ୍ଷିଣ-ପଶ୍ଚିମ ଅଞ୍ଚଳ ଦେଇ ଅତିକ୍ରମ କରିଛି।
ଏହି ପ୍ରକ୍ରିୟା ସମୟରେ ପବନର ବେଗ ବୃଦ୍ଧି ପାଇଥିବାବେଳେ ଉପକୂଳ ଅଞ୍ଚଳରେ ଝଡ଼ ପବନ ସହ ପ୍ରବଳ ବର୍ଷା ଜାରି ରହିଛି। ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ଘଣ୍ଟାପ୍ରତି ୬୫ କିମି ପର୍ଯ୍ୟନ୍ତ ପବନ ଏବଂ ଝଟକା ପବନ ଅଧିକ ବେଗରେ ବହିବାର ସତର୍କତା ଜାରି କରାଯାଇଥିଲା।ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ଗଞ୍ଜାମ, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଭଳି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ରହିଛି। ଗଜପତି ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହାର ପ୍ରଭାବରେ ଭାରି ବର୍ଷା ଜାରି ରହିଛି।ତେବେ ପୂର୍ବରୁ ଆକଳନ କରାଯାଇଥିବା ବାତ୍ୟାର ଆଶଙ୍କା ଟଳି ଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ପାଣିପାଗ ପ୍ରଣାଳୀ ଗଭୀର ଅବପାତ ଭାବେ ସ୍ଥଳଭାଗ ଅତିକ୍ରମ କରି ଆଗକୁ ବଢ଼ୁଛି। ତଥାପି ଏହାର ପ୍ରଭାବରେ ଗଜପତି ଜିଲ୍ଲାରେ ବର୍ଷା ଓ ପବନ ଜାରି ରହିଥିବା ବେଳେ ପୂର୍ବରୁ ଦିଆଯାଇଥିବା ରେଡ୍ ଆଲର୍ଟ ପ୍ରତ୍ୟାହାର ହୋଇଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.