ଧୋୟାଞ୍ଚଳଵାସିଙ୍କୁ ସରକାରଙ୍କ ଉପହାସ :କେବଳ ସାରଦ ଜମି ପାଇଁ ସହାୟତ ଘୋଷଣା : ଚାଷୀଙ୍କ ମୁଣ୍ଡରେ ଚଡ଼କ !
ପଟ୍ଟାମୁଣ୍ଡାଇ ୨୪/୯ –ବନ୍ୟା ଦୁର୍ଦ୍ଦଶାରୁ ସଂପୂର୍ଣ୍ଣ ମୁକୁଳି ନଥିବା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳବାସୀ ଲଗାଣ ବର୍ଷା ଯୋଗୁଁ ଗତ ୩ ଦିନ ହେବ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଛନ୍ତି। ପ୍ରାୟତଃ କୃଷି ଓ ପଶୁ ତଥା ଗୋ ସମ୍ପଦ ଉପରେ ନିର୍ଭର କରୁଥିବା ଧୋୟାଞ୍ଚଳ ଲୋକମାନଙ୍କ କଷ୍ଟ କହିଲେ ନସରେ I ଦୀର୍ଘ ୨ ମାସ ଧରି ଉଭୟ ବ୍ରାହ୍ମଣୀ ଓ କାଣୀନଦୀରେ ବନ୍ୟା ପରେ ବନ୍ୟା ଆସିବା ଫଳରେ ସଞ୍ଚିତ ଗୋ ଖାଦ୍ୟ ପ୍ରାୟତଃ ଶେଷ ହୋଇଯାଇଥିଲା I ବନ୍ୟା ବିପନ୍ନ ଲୋକଙ୍କୁ ସରକାରୀ ରିଲିଫ ଆକାରରେ ୩ ଥର ଗୋଖାଦ୍ୟ ଯୋଗାଇ ଦିଆଯାଇଥିଲା Iଯାହାକି ସମୁଦ୍ରକୁ ଶଙ୍ଖେ। ଅନ୍ୟ ପକ୍ଷରେ ଗ୍ରାମାଞ୍ଚଳରେ ଥିବା ଦେଶୀ ଗାଈ ଗୋରୁ ଛଣ,ନଡା କୁଟା ସହିତ ଘାସ ଉପରେ ପ୍ରାୟତଃ ନିର୍ଭର କରିଥାନ୍ତି I ଏମାନଙ୍କ ପାଇଁ ସରକାରୀ ଦାନା କିଛି ନୁହେଁ କହିଲେ ଚଳେ ବନ୍ୟାପରେ ଜମିରେ ଏପର୍ଯ୍ୟନ୍ତ ନୂଆ ଘାସ ସୃଷ୍ଟି ହୋଇନି I ଏପଟେ ଘାସ ଅଭାବ ସାଙ୍ଗକୁ ଲଘୁଚାପ ଜନିତ ବର୍ଷା ଲାଗି ରହି ଥିବାରୁ ଗାଈ ଗୋରୁ ଭୋକ ଉପାସରେ କାଳ କାଟୁଛନ୍ତି Iପଟ୍ଟାମୁଣ୍ଡାଇ ଅଞ୍ଚଳର ବୟସ୍କ ପୁରୁଖା ଲୋକମାନେ କୁହନ୍ତି ଏଭଳି ଦୟନୀୟ ଅବସ୍ଥା ୫୦ ବର୍ଷ ମଧ୍ୟରେ କେବେ ଦେଖା ଦେଇ ନଥିଲା । ଏହି ଦୁର୍ଦ୍ଦିନ ସମୟରେ କୃଷିଜୀବି ପରିବାର ରାଜ୍ୟ ସରକାରଠୁ ଆର୍ଥିକ ସହାୟତା ଆଶା କରୁଥିବା ବେଳେ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ କେବଳ ” ସାରଦ କିସମ” ଜମି ପାଇଁ ହେକ୍ଟର ପିଛା ୮୫୦୦ ଟଙ୍କା ଦେବା ପାଇଁ ଘୋଷଣା କରି ସେହି ପୁରୁଣା ନୀତି ଆପଣାଇ ଛନ୍ତି Iଯାହାକି ବନ୍ୟାଞ୍ଚଳବାସୀଙ୍କୁ ନିରାଶ କରିଛି। ତେଵେ ଗୁରୁତ୍ୱ ପୂର୍ଣ୍ଣ ବିଷୟ ଏହିକି ଯେ ପଟ୍ଟାମୁଣ୍ଡାଇ ତହସିଲ ଅଧୀନରେ ଉଭୟ ଅଣ୍ଢରା ଓ ଅଳପୁଆ ରାଜସ୍ବ ସର୍କଲର ବିଭିନ୍ନ ରାଜସ୍ବ ଗ୍ରାମରେ ସାଧାରଣତଃ ବିଆଳି ଦୋଫସଲି, ପାଳ ଓ ସାରଦ କିସମ ଜମି ରହିଛି I ଯାହା ଦଶନ୍ଧି ଦଶନ୍ଧି ପୂର୍ବରୁ ସ୍ଥିରୀକୃତ ହୋଇଛି Iଏଥିରେ ଅନେକ ତ୍ରୁଟି ବିଚ୍ୟୁତି ଥିବା ଅତୀତରେ ସରକାର ସ୍ବୀକାର ମଧ୍ୟ କରିଥିଲେ। ୨୦୧୧ ମସିହାରେ ପ୍ରଳୟଙ୍କରି ବନ୍ୟା ପରେ କୃଷି କ୍ଷତି ସହାୟତା ବଣ୍ଟନ ସମୟରେ ଏହି ପ୍ରସଙ୍ଗ ସମଗ୍ର ବନ୍ୟାଞ୍ଚଳବାସୀଙ୍କୁ ଅନେକ ଅସୁବିଧାରେ ପକାଇଥିଲା। ଅଣ୍ଢରା ରାଜସ୍ବ ଗ୍ରାମର ପାଖାପାଖି ଥିବା ୨ଟି ପ୍ଲଟ ଭିନ୍ନ ଭିନ୍ନ କିସମର ଥିବା ଭଳି ଅନେକ ଦୃଷ୍ଟାନ୍ତ ନଜରକୁ ଆସିଛି Iରାଉଳିଆ ଭଳି ରାଜସ୍ବ ଗ୍ରାମରେ ୧ ଡେସିମିଲ ସାରଦ କିସମ ଜମି ନାହିଁ। ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳର କୃଷକ ସହାୟତା ପାଇବାରୁ ବଞ୍ଚିତ ହେବା ସ୍ପଷ୍ଟ ହୋଇଯାଇଛି I ଏଠାରେ ପ୍ରଶ୍ନ ଉଠୁଛି ସେଠାରେ କଣ ଚାଷୀ ଧାନ ଚାଷ କରିନଥିଲେ? ରାଜ୍ୟ ସରକାର ତଥା ରାଜସ୍ବ ବିଭାଗ ଅବିଳମ୍ବେ ଏଭଳି ତ୍ରୁଟିପୂର୍ଣ୍ଣ ପଦ୍ଧତିକୁ ବାଦ ଦେଇ ସମବାୟ ସମିତି ଓ ବିଭିନ୍ନ ଗ୍ରାମରେ ନିଯୁକ୍ତ କୃଷକ ସାଥୀ ମାନଙ୍କ ଠାରୁ ସଠିକ ତଥ୍ୟ ସଂଗ୍ରହ କରି ସହାୟତା ପ୍ରଦାନ କରିବାକୁ ଅଣ୍ଢରା ପ୍ରାଥମିକ କୃଷି ସମବାୟ ସମିତିର ପ୍ରାକ୍ତନ ସଭାପତି ସମବାୟବିତ୍ ଚିତ୍ତରଞ୍ଜନ ମଲ୍ଲିକ ଦୃଢ ଦାବି କରିଛନ୍ତି।