ଗର୍ଭଣା ସଂକ୍ରାନ୍ତି

ଅର୍ଜୁନୀ ଚରଣ ବେହେରା

ଆଜି ଗର୍ଭଣା ସଂକ୍ରାନ୍ତି କୃଷକ ଆନନ୍ଦ l
ଅଶିଣର ବାଆ ବହେ କ୍ଷେତେ ମନ୍ଦମନ୍ଦ ll
କରି ପିଠା ପଣା କେତେ କୃଷକ ଘରଣୀ l
ପୂଜା କରିଲେଣି ଘରେ ଲକ୍ଷ୍ମୀ ଠାକୁରାଣୀ ll
କୃଷକ ନିଧିଆ ସାରି ସକାଳୁ ସ୍ନାହାନ l
କ୍ଷେତକୁ ଯାଉଛି ଧରି ସିନ୍ଦୁର ଚନ୍ଦନ ll
ଗୁଆଳି ଡ଼ାଳୁଆ ହାତେ ଧରି ବତା ଗଜ l
କ୍ଷେତକୁ ଚଳୁଛି ନିଧି ପିନ୍ଧି ନୂଆ ସଜ ll
ଗୁଆଳି ଡ଼ାଳୁଆ ପୋତି,ପୋତି ଗଜବତା l
କ୍ଷେତରେ ପୂଜିବ ଧନ ଧାନ୍ୟର ଦେବତା ll
କଥାଅଛି ଆଗେ ବୁଣ ପଛେ ବୁଣ ଭାଈ l
ଗର୍ଭଣାକୁ ଧାନ ଗର୍ଭ ଟୁଣୁ ଟୁଣୁ ହୋଇ ll
ଏ ପର୍ବରେ ଆଉ ଏକ ପରମ୍ପରା ଅଛି l
ଓଲ ଗିଳିଥାନ୍ତି କ୍ଷେତପୂଜା ସାରି ଚାଷୀ ll
ସେ ପାଇଁ ଏ ସଂକ୍ରାନ୍ତିର ଓଲଗିଳା ନାମ l
ମହତ ଅଟଇ ଭାଈ ଚାଷୀ ଚାଷ କାମ ll
ଚାଷୀ ଭାଈ ଯୋଗାଉଛି ଆମକୁ ଆହାର l
ଖରାଵର୍ଷା ଖାଇ କେତେ ପ୍ରକୃତି ପାହାର ll
କୃଷକ ଭାଈର ଭାଈ ଚିନ୍ତ ସର୍ବେ ହିତ l
ଆନନ୍ଦେ କୃଷକ ଗାଉ ଉଦାସିଆ ଗୀତ ll
କୃଷକର ପର୍ବେ ଆଜି ବାଜୁଅଛି ଢ଼ୋଲ l
ଆନନ୍ଦସାଗରେ ଭାଈ ହରି ହରି ବୋଲ ll
🙏🙏🙏
ଅର୍ଜୁନୀ
—————-
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.