ଗଞ୍ଜାମ ଇତିହାସ’ ଉନ୍ମୋଚିତ।

ଗଜପତି :  ମୋହନା କେଶରୀନଗର ମାଣିକପୁର ହନୁମାନ ମନ୍ଦିର ଠାରେ ‘ଗଞ୍ଜାମ ଇତିହାସ’ ପୁସ୍ତକ ଉନ୍ମୋଚନ କରାଯାଇଛି । ମୋହନାର ଯୁବ ଲେଖକ ତଥା ଇତିହାସ ସଂକଳନ ଗଞ୍ଜାମ କବିଭାଗ ପ୍ରମୁଖ ଲକ୍ଷ୍ମୀକାନ୍ତ ପାତ୍ରଙ୍କ ଦ୍ୱାରା ରଚିତ ଏହି ପୁସ୍ତକକୁ ଉନ୍ମୋଚନ କରିଥିଳେ ମୁଖ୍ୟ ଅତିଥି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) କ୍ଷେତ୍ର ପ୍ରଚାରକ ରମାପଦ ପାଲ୍ । ପୁସ୍ତକରେ ଭାରତ ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ ଗଞ୍ଜାମ ଜିଲ୍ଳା ଇତିହାସ ସମ୍ପର୍କରେ ଲେଖା ଯାଇଥିବା ବେଳେ ବହୁ ଅଜଣା ବିଷୟ ବର୍ଣ୍ଣିତ ହୋଇଛି ।
ଘୁମୁସର ରାଜା କୃଷ୍ଣଭଞ୍ଜଙ୍କ ନେତୃତ୍ୱରେ ଘୁମୁସର ବିଦ୍ରୋହ ଆରମ୍ଭ ହୋଇଥିଲା । ପାରଳା ରାଜା ନାରାୟଣ ଦେଓଙ୍କ ନେତୃତ୍ୱରେ ୧୭୬୭ ରେ ଆରମ୍ଭ ହୋଇଥିଲା ପାରଳା ବିଦ୍ରୋହ । ଦିଗପହଣ୍ଡି ରାଜା ମଣିଦେବ ଏବଂ ଶେରଗଡ଼ ରାଜା ଅଦ୍ୱୈତ ସିଂଙ୍କ ସମେତ ଅନ୍ୟ ରାଜାମାନେ ଏହି ସଂଗ୍ରାମକୁ ସମର୍ଥନ କରି ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ କରିଥିଲେ । ରାଜଶକ୍ତି ଦୁର୍ବଳ ହେବା ପରେ ଘୁମୁସର ତଥା ପାରଳାରେ ବିଷୋୟୀମାନେ ବିଦ୍ରୋହକୁ ଆଗକୁ ନେଇଥିଲେ । ଓଡ଼ିଶାରେ ୧୮୦୦ ମସିହାରେ ପ୍ରଥମ ଥର ପାଇଁ ବର୍ତ୍ତମାନର ସାନଖେମୁଣ୍ଡି ଅଞ୍ଚଳର ଆଡ଼ପଡ଼ା ଠାରେ ଇଂରେଜମାନଙ୍କ ଦ୍ୱାରା ତୋପର ବ୍ୟବହାର ଫଳରେ ଶେରଗଡ଼ ଜମିଦାରଙ୍କ ଶରୀରରୁ ମସ୍ତକ ଛିନ୍ନ ହୋଇଯାଇଥିବା ବର୍ଣ୍ଣନା କରିଛନ୍ତି ଲେଖକ । ଗବେଷଣା ସମୟରେ କିଛି ସ୍ଥାନରେ ତୋପର ସନ୍ଧାନ ପାଇଥିବାରୁ ତାହାକୁ ପ୍ରତ୍ନତତ୍ତ୍ୱ ବିଭାଗ ଯତ୍ନ ନେବାକୁ ମଧ୍ୟ ଦାବି କରିଛନ୍ତି ସେ । ଉନ୍ମୋଚନ କାର୍ଯ୍ୟକ୍ରମରେ ଆର୍‌ଏସ୍‌ଏସ୍ ସହ-ପ୍ରାନ୍ତ ପ୍ରଚାରକ ସୃଷ୍ଟିଧର ବିଶ୍ୱାଳ, ହିଲ୍‌ଟପ୍ କଲେଜ ଅଧ୍ୟାପକ ପ୍ରଣବାନନ୍ଦ ପାଟଯୋଷୀ, ବରିଷ୍ଠ ସଙ୍ଗଠକ ତରଣୀସେନ ଦାସ, ଗୌରାଙ୍ଗ, ପାଣିଗ୍ରାହୀ, ଅଶୋକ ରଣଜିତ, ଶାନ୍ତନୁ ମାଝୀ, ମଧୁସୂଦନ ପାଢ଼ୀ, ପ୍ରମିଳା ପଣ୍ଡା, କ୍ଷେତ୍ରବର ବିଶୋଇ ଓ ଲକ୍ଷ୍ମଣ ଚୌଧୁରୀ ଯୋଗଦେଇଥିଲେ ।

Comments are closed.