ଚକ୍ରପେଷି ଗ୍ରାହ ନାଶି ଉଦ୍ଧରିଲ ଆପଣ ( ଗଜେନ୍ଦ୍ର ମୋକ୍ଷଣ )

ଗଜେନ୍ଦ୍ର ମୋକ୍ଷଣ କାର୍ତ୍ତିକ ମାହାତ୍ମ୍ୟ ଓ ଶ୍ରୀମଦ ଭାଗବତ ମହା ପୁରାଣରେ ଭଗବାନଙ୍କ ଲୀଳା ବିଷୟକ ଏକ ଭକ୍ତି ରସାତ୍ମକ ଅତୀବ ରୋଚକ ଉପାଖ୍ୟାନ l ଏହି ପ୍ରସଙ୍ଗ ଅତିବଡ଼ି କୃତ ଆମର ଓଡ଼ିଆ ଭାଗବତର ଅଷ୍ଟମ ସ୍କନ୍ଧ ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ଅଧ୍ୟାୟରେ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି l
ଓଡ଼ିଆର ଇଷ୍ଟ ତଥା ହିନ୍ଦୁ ଜଗତର ପରମ ଆରାଧ୍ୟ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀମନନାରାୟଣଙ୍କ ସ୍ୱରୂପ ହୋଇଥିବାରୁ ତାଙ୍କର ବହୁ ଭଜନ ଓ ଜଣାଣରେ ଏ ପ୍ରସଙ୍ଗର ବର୍ଣ୍ଣନା ଦେଖାଯାଏ l ଆମ ରାଜ୍ୟର ଘରେ ଘରେ ପରିଚିତ ସାଲବେଗଙ୍କ ରଚିତ ‘ଆହେ ନୀଳ ଶଇଳ’ ଜଣାଣରେ ଲେଖାଅଛି :-
ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ l
ଚକ୍ରପେଷି ଗ୍ରାହନାଶି ଉଦ୍ଧରିଲ ଆପଣ ll
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ ମାନ ଉଦ୍ଧାରଣ ଜଣାଣରେ ଲେଖିଛନ୍ତି :-
ଲକ୍ଷେ ଯୋଜନରେ ବାରଣ ଚିନ୍ତିଲା
ତା’ ଡାକ ଶୁଣିଲ ପଶା ଖେଳେ l
ମାରକଣ୍ଡ ୠଷି ଯାଉଥିଲେ ଭାସି
ଉଦ୍ଧରି ଧରିଲ ବାହୁ ବଳେ ll
ସତ୍ୟ ଯୁଗର କଥା l ଜୟ ଓ ବିଜୟ ନାମକ ଦୁଇ ଜଣ ୠଷି ଥିଲେ l ସେମାନେ ବିଭିନ୍ନ ସ୍ଥାନ ଭ୍ରମଣ କରି ଯଜ୍ଞ ଆଦି ପୁରୋହିତ କର୍ମମାନ କରୁଥିଲେ l ଏକଦା ଜଣେ ରାଜା ଯଜ୍ଞ ଆୟୋଜନ କରି ତାଙ୍କୁ ନିମନ୍ତ୍ରଣ କଲେ l ରୂଷିଦ୍ବୟ ଆସି ରାଜାଙ୍କର ଯଜ୍ଞ ସମାପନ କଲେ l ଯଜ୍ଞ ସମାପନାନ୍ତେ ରାଜା ସେ ଦୁଇ ଋଷି ଭ୍ରାତାଙ୍କୁ ପ୍ରଚୁର ଧନରତ୍ନ ଦକ୍ଷିଣା ଦାନ କରି ସନ୍ତୁଷ୍ଟ କଲେ l ରୂଷି ଦ୍ୱୟ ତପଚାରୀ,ଏତେ ଧନ ରତ୍ନ ନେଇ ସେମାନେ କରିବେ କ’ଣ ? ବଡ଼ ଭାଈ ଜୟ କହିଲା, ଚାଲ ଭାଈ ଧନ ସବୁ ନେଇ ଆମ ଗୁରୁଙ୍କୁ ସମର୍ପଣ କରି ଦେବା l ସେ ଆମ୍ଭକୁ ସମସ୍ତ ଜ୍ଞାନ ଦେଇଛନ୍ତି, ସେ ଆମର ଜ୍ଞାନ ନେତ୍ର ଖୋଲି ଦେଇଛନ୍ତି,ଏଣୁ ତାଙ୍କୁ ଆମେ ଗୁରୁଦକ୍ଷିଣା ସ୍ୱରୂପ ଏସବୁ ଧନ ଦେଇ ଦେବା l ଏକଥା ସାନ ଭାଇ ବିଜୟ ଶୁଣି କହିଲା ଗୁରୁ ତପଚାରୀ, ସେ ଏତେ ଧନ ନେଇ କ’ଣ କରିବେ ? ତାଙ୍କୁ ଆମେ ଏଇ ପାର୍ଥିବଧନ ଦେଇ ସନ୍ତୁଷ୍ଟ କରିପାରିବାନାହିଁ l ଉପଯୁକ୍ତ ଗୁରୁ ଦକ୍ଷିଣା ହେବ,ଗୁରୁଙ୍କ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା l ମୁଁ ଭାବୁଛି ଏ ସବୁ ଧନକୁ ଆମେ ଆମର ପିତା ମାତାଙ୍କୁ ଦେଇ ଦେବା l ସେମାନେ ଆମର ଆଦିଗୁରୁ, ସେମାନେ ଆମର ସୃଷ୍ଟିର କାରଣ l ଏକଥା ଶୁଣି ବଡ଼ ଭାଇ ଜୟ ଖୁବ କ୍ରୋଧାନ୍ୱିତ ହୋଇଯାଇ କହିଲେ,ଧନ ରତ୍ନ ଦେଖି ତୋ’ର ବୋଧ ହୁଏ ସଂସାର ଆଡ଼କୁ ମନ ବଳୁଛି l ଏ ସଂସାରକୁ ତୁ ସତ୍ୟ ପ୍ରାୟ ମଣି ମାୟା ମୋହରେ ପଡିଛୁ l ଶ୍ରୀଗୁରୁଦେବଙ୍କ କଥା ଅଗ୍ରାହ୍ୟ କରି ତୁ ଏକ ଗ୍ରାହ ହୋଇ ଜଳରେ ବାସ କରିବା ଯୋଗ୍ୟ l ଏ କଥା ଶୁଣି ବିଜୟ କହିଲେ, ମୋର କିଛି ଦୋଷନାହିଁ ଭାଈ,ମୁଁ ଆଦିଗୁରୁ ପିତା ମାତାଙ୍କ କଥା କହୁଥିଲି l ଅଥଚ, ତୁମେ ମୂର୍ଖତା ବଶତଃ ମୋତେ ଅଭିଶାପ ଦେଇ ମୂର୍ଖ ଗଜପରି ଆଚରଣ କଲ l ଏଣୁ ତୁମେ ମଧ୍ୟ ଏହି ଆଚରଣ ନିମନ୍ତେ ଗଜ ହୋଇ ଅରଣ୍ୟରେ ବାସ କରିବାକୁ ଯୋଗ୍ୟ l ପ୍ରକାଶ ଥାଉକି ଏହି କଥାରୁ ଗଜମୂର୍ଖ ଶବ୍ଦଟି ଆସିଅଛି l ଅଜ୍ଞାନ ପଣରେ ଦୁହେଁ ଦୁହିଁଙ୍କୁ ଅଭିଶାପ ଦେଇ ଅନୁତପ୍ତ ହେଲେ l କିଛି ଉପାୟ ନପାଇ ଦୁହେଁ ନାରାୟଣଙ୍କୁ ସ୍ମରଣ କଲେ l ପ୍ରଭୁ ତାଙ୍କ ପ୍ରାର୍ଥନାଶୁଣି ସେଠାରେ ଆବିର୍ଭୂତ ହେଲେ l ସେ ବୁଝାଇଲେ ତୁମେ ଦୁହେଁ ତପଚାରୀ l ତୁମର ବଚନ ତପଃ ସିଦ୍ଧ l ଏଣୁ ତୁମ ମାନଙ୍କ ଏ ବଚନ ଅନ୍ୟଥା ହେବ ନାହିଁ l ତୁମକୁ ଅଭିଶାପର ଫଳ ଭୋଗ କରିବାକୁ ପଡ଼ିବ l ତହୁଁ ବିଜୟ, କୁମ୍ଭୀର ହୋଇ ତ୍ରିକୂଟ ପର୍ବତ ନିକଟରେ ଅବସ୍ଥିତ ବରୁଣ ସରୋବରରେ ବାସ କଲେ l ଜୟ ହସ୍ତୀ ହୋଇ ସେ ତ୍ରିକୂଟ ପର୍ବତ ପାଖରେ ଥିବା ଦ୍ରୋଣିବନରେ ବାସ କଲେ l ତ୍ରିକୂଟ ପର୍ବତ ଓ ଦ୍ରୋଣିବନ ଥିଲା ସବୁଜ ତରୁଲତା ଶୋଭିତ ମନୋରମ ଅରଣ୍ୟ l ଗଜରାଜ ହାତୀ ଯୂଥ ଓ ହସ୍ତୀନି ମାନଙ୍କୁ ନେଇ ଅରଣ୍ୟରେ ଆନନ୍ଦରେ କାଳ କାଟିଲା l ବନରେ ସବୁ ପଶୁମାନେ ତାର ଆଶ୍ରିତ ହୋଇ ଚଳୁଥାନ୍ତି l ଏଣେ କୁମ୍ଭୀର ହଂସ,କାରଣ୍ଡଵଙ୍କ କଳରବ ରତ ତଥା ପଦ୍ମକୁମୁଦ ଶୋଭିତ ବରୁଣ ସରୋବରରେ ଆନନ୍ଦରେ ବାସ କରୁଥାଏ l
ଏହିପରି ବହୁ ବର୍ଷ ବିତିଗଲା l ଦିନେ ଗଜ ରାଜ ପ୍ରବଳ ଗ୍ରୀଷ୍ମ କାଳରେ ତୃଷାର୍ତ୍ତ ହୋଇ ଜଳ ପାନ ପାଇଁ ପୁଷ୍କରିଣୀ ନିକଟରେ ପହଞ୍ଚିଲା l ସାଙ୍ଗରେ ଥାନ୍ତି ହସ୍ତୀ ହସ୍ତୀନି ଯୂଥ l
ଏମନ୍ତେ ବନେ ଏକ ଦିନେ l
ଗଜେନ୍ଦ୍ର ବିଚାରଇ ମନେ ll
ଏ ଗ୍ରୀଷ୍ମକାଳେ ଏ ବନସ୍ତେ l
ତୃଷାର୍ତ୍ତ ହୋଇଲୁ ସମସ୍ତେ ll
ଜଳ ନ କରିଲେ ଆହାର l
କେମନ୍ତେ ଧରିବା ଶିକାର ll
ସେମାନେ ସେହି ପୁଷ୍କରୀଣୀରେ ପଶି ଜଳ ପାନ କଲେ l ପ୍ରବଳ ନିଦାଘ କାଳରେ ସୁଶୀତଳ ଜଳ ସିଞ୍ଚି ହୋଇ ଆନନ୍ଦ କରୁଥାନ୍ତି l ତାଙ୍କର ଆନନ୍ଦ ସହ ପୁଷ୍କରିଣୀର ଜଳ ଆନ୍ଦୋଳିତ ହେଉଥାଏ l
ସେମାନଙ୍କର ରବ ଓ ଜଳ ଆନ୍ଦୋଳନରେ ବ୍ୟତି ବ୍ୟସ୍ତହୋଇ ସେ ହ୍ରଦରେ ବାସ କରୁଥିବା କୁମ୍ଭୀର ବିଚଳିତ ହୋଇ ପଡ଼ିଲା l ସେ ହ୍ରଦ କୂଳକୁ ଆସି ଗଜରାଜର ପାଦକୁ ତାର ତୀକ୍ଷ୍ଣ ଦାନ୍ତରେ କାମୁଡି ଧରିଲା l
ଅଗାଧ ଜଳେ ଗ୍ରାହ ଥିଲା l
ଜଳେ ସେ ଶବଦ ଶୁଣିଲା ll
ଧଇଲା ଗଜ ପତି ପାଦ l
ଶବଦ କରି ଘୋର ନାଦ ll
କୁମ୍ଭୀର ଗ୍ରାସରେ ପଡ଼ି ଗଜରାଜ ତାହାର ସମସ୍ତ ଶକ୍ତି ପ୍ରୟୋଗକରି ମୁକୁଳିବାକୁ ଚେଷ୍ଟା କରୁଥାଏ l ସାଙ୍ଗରେ ଥିବା ହସ୍ତୀ ହସ୍ତୀନୀ ମାନେ ମଧ୍ୟ ତାକୁ ଟାଣୁଥାନ୍ତି l କିନ୍ତୁ ସେମାନେ ଗଜରାଜକୁ କୌଣସି ମତେ ମୁକୁଳାଇ ପାରୁ ନଥାନ୍ତି l ବହୁ କଷ୍ଟ, ଶ୍ରମ ଓ ଅବସାଦ ଫଳରେ ଗଜ ରାଜର ମୁଖରୁ ରୁଧିର ସ୍ରବିବାକୁ ଲାଗିଥାଏ l
ସେ ହସ୍ତୀ ପଲ ତାକୁ ଧରି l
ଟାଣନ୍ତି ଘୋର ନାଦ କରି ll
ମୁଖରୁ ରୁଧିର ଗଳଇ l
କେବେ ହେଁ ଗଜ ନ ଟଳଇ ll
ଏହିଭଳି ଗଜ, କୁମ୍ଭୀରଙ୍କ ଯୁଦ୍ଧ ଲାଗିରହି କେତେ ଶହସ୍ର ବର୍ଷ ବିତି ଗଲା l ସ୍ୱର୍ଗରୁ ଦେବତା ମାନେ ଏହା ଦେଖୁଥାନ୍ତି l
ଏମନ୍ତେ ଗଜ ଗ୍ରାହ ଯୁଦ୍ଧ l
ଗଗନେ ଦେଖନ୍ତି ବିବୁଧ l
ଏମନ୍ତେ ଶହସ୍ର ବରଷ l
ଯୁଦ୍ଧ ନୋହିଲା ଅବଶେଷ ll
ଗ୍ରାହସହ ଯୁଦ୍ଧ କରି କରି କ୍ରମେ ଗଜରାଜର ଶକ୍ତି କ୍ଷୀଣ ହେଲା l ଆଉ କ୍ରୁର ଗ୍ରାହ କବଳରୁ ମୁକ୍ତିର କୌଣସି ଉପାୟ ପାଉ ନ ଥାଏ l ପୂର୍ବ ଜନ୍ମାର୍ଜିତ ପୁଣ୍ୟ ବଳରେ ତାର ବୁଦ୍ଧି ସ୍ଫୁରିଲା l ମନେ ମନେ ବିଚାର କଲା ସର୍ବ ସଙ୍କଟର ତ୍ରାଣକର୍ତ୍ତା ଶ୍ରୀହରିଙ୍କ ଶରଣ ପଶିବ l ଏହା ବିଚାରି ସେ ଆର୍ତ୍ତ ସ୍ୱରରେ ନାରାୟଣଙ୍କୁ ସ୍ମରଣ କଲା l
ଏମନ୍ତେ ପୂର୍ବ ପୁଣ୍ୟ ବଳେ l
ବୁଦ୍ଧି ସ୍ଫୁରିଲା ତାକୁ ଜଳେ ll
ଅନ୍ତରେ କରଇ ବିଚାର l
ସେ ହରି ସଂସାରର ସାର ll
ସଙ୍କଟୁ କରେ ପରିତ୍ରାଣ l
ଯେ ତାରେ ପଶନ୍ତି ଶରଣ ll
ସେ ହରି ରଖୁ ମୋର ପ୍ରାଣ l
ତା ପାଦେ ପଶିଲି ଶରଣ ll
ସେତିକି ବେଳେ ତା ପାଖରେ ଥିବା ଅନ୍ୟ ହାତୀ ମାନେ ଗୋଟିଏ ପଦ୍ମ ଫୁଲ ତୋଳି ଆଣି ଶୁଣ୍ଢରେ ଧରାଇ ଦେଇଥାନ୍ତି l ଅର୍ଘ୍ୟ ସ୍ୱରୂପ ଶୁଣ୍ଢରେ ପଦ୍ମ ଫୁଲଟି ତୋଳି ଧରି କାତର କଣ୍ଠରେ ଶ୍ରୀ ହରିଙ୍କି ବାରମ୍ବାର ପ୍ରଣାମ କରି ଏ ସଙ୍କଟରୁ ପରିତ୍ରାଣ ପାଇଁ ମିନତି କରୁଥାଏ l
ପଦ୍ମ ଗୋଟିଏ ଘେନି ହସ୍ତେ l
ଉର୍ଦ୍ଧ୍ୱେ ଚାହିଁଲା ଶୂନ୍ୟ ପଥେ ll
ବେଗେ ନମିଲା ଶୁଣ୍ଢ ତୋଳି l
ଦେଖନ୍ତେ ପ୍ରଭୁ ବନମାଳି ll
ନାରାୟଣ ସେତେବେଳେ ବୈକୁଣ୍ଠପୁରରେ ମାଆ ଲକ୍ଷ୍ମୀଙ୍କ ସହ ପଶା ଖେଳୁ ଥାନ୍ତି l ଭକ୍ତର ଆକୁଳ ପ୍ରାର୍ଥନା ତାଙ୍କ କର୍ଣ୍ଣ କୁହରରେ ବାଜିଲା,ସେ ଆଉ ଭକ୍ତର ବିକଳ ସହ୍ୟ କରି ପାରିଲେ ନାହିଁ l ପ୍ରଭୁ ତତ୍କ୍ଷଣାତ ଗରୁଡ଼ ପୃଷ୍ଠରେ ଆରୋହଣ କରି ଆସି ହ୍ରଦ ତୀରରେ ଉପସ୍ଥିତ ହେଲେ l ହ୍ରଦରେ ଗ୍ରାହ ପୀଡ଼ିତ ଗଜକୁ ଦେଖି ଗରୁଡ଼ ପୃଷ୍ଠରୁ ଅବତରଣ କରି ସୁଦର୍ଶନ ଚକ୍ରରେ କୁମ୍ଭୀରର ମସ୍ତକ ଛେଦନ କଲେ :- ଗରୁଡ଼ ପୃଷ୍ଠେ ବିଜେ କରି l
କରେ ପ୍ରଚଣ୍ଡ ଚକ୍ର ଧରି l
ବେଗେ ମିଳିଲେ ଗଜପାଶେ l
ବିବୁଧେ ଦେଖନ୍ତି ଆକାଶେ ll
ଗ୍ରାହ ପୀଡିତ ଗଜ ଦେଖି l
ତକ୍ଷଣେ ଗରୁଡ଼ ଉପେକ୍ଷି l
ଜଳେ ପଶିଲେ ଚକ୍ରପାଣି l
ଚକ୍ରେ କୁମ୍ଭୀର ମୁଣ୍ଡ ହାଣି ll
ଭକ୍ତର ଆକୁଳ ପ୍ରାର୍ଥନା ରକ୍ଷାକରି ଭଗବାନ ଗ୍ରାହ ଶିର ଛେଦନ କରିଛନ୍ତି ଏ ଦୃଶ୍ୟ ଆକାଶରେ ରହି ଦେଵଗଣ ଦର୍ଶନ କରୁଥାନ୍ତି l ଅପ୍ସରା ଗଣ ନୃତ୍ୟ କରିବାକୁ ଲାଗିଲେ l ସ୍ୱର୍ଗରୁ ପୁଷ୍ପ ବୃଷ୍ଟି ହେବାକୁ ଲାଗିଲା l ଦେବ ଦୁନ୍ଦୁଭି ବାଜି ଉଠିଲା l
କୁମ୍ଭୀରର ମୃତ୍ୟୁ ସହ ଗଜ ମଧ୍ୟ ସେଇଠି ପଞ୍ଚତ୍ବ ପ୍ରାପ୍ତହେଲା l ସମସ୍ତଙ୍କୁ ଚକିତକରି ସ୍ୱର୍ଗଲୋକରୁ ନାରାୟଣଙ୍କ ରଥ ଆସି ସେହିଠାରେ ଅବତରଣ କଲା l ରଥରେ ବସି ଗଜ ଓ କୁମ୍ଭୀରରୁ ପ୍ରକଟିତ ଜୟ,ବିଜୟ ଭ୍ରାତା ଦ୍ବୟ ବୈକୁଣ୍ଠ ଗମନ କଲେ l ସେଠାରେ ଶ୍ରୀବିଷ୍ଣୁଙ୍କ ଦ୍ୱାରା ବୈକୁଣ୍ଠର ଦ୍ୱାରପାଳ ଜୟ, ବିଜୟ ରୂପେ ନିଯୁକ୍ତି ପାଇଲେ l ଏହି ଗଜ କୁମ୍ଭୀରଙ୍କ ପୂର୍ବଜନ୍ମ ବୃତ୍ତାନ୍ତ କାର୍ତ୍ତିକ ମାହାତ୍ମ୍ୟରେ ଉପରୋକ୍ତ ଭାବରେ ବର୍ଣ୍ଣିତ ହୋଇଛି l ଭାଗବତ ମହାପୁରାଣରେ ଏହା କିନ୍ତୁ ଅନ୍ୟ ଭାବେ ବର୍ଣ୍ଣିତ l ଭାଗବତ ଅନୁଯାୟୀ କୁମ୍ଭୀର ପୂର୍ବ ଜନ୍ମରେ ହୁ ହୁ ନାମକ ଗନ୍ଧର୍ବ ଥିଲା l ଦେବଳ ଋଷିଙ୍କଠାରୁ ସେ ଅଭିଶପ୍ତ ହୋଇ କୁମ୍ଭୀର ଯୋନିରେ ଜନ୍ମ ହୋଇ ଥିଲା l
ଦେବଳ ଶାପୁ ପାର ଗଲା l
ଯେ ବିଷ୍ଣୁ ଚକ୍ରେ ପ୍ରାଣ ଦେଲା ll
ହୁ ହୁ ଗନ୍ଧର୍ବ ତାର ନାମ l
ସ୍ୱଭାବେ ରୂପତେଜ ଧାମ ll
ଦ୍ରାବିଡ଼ ପାଣ୍ଡ୍ୟ ଦେଶରେ ଇନ୍ଦ୍ରଦ୍ୟୁମ୍ନ ନାମା ଜଣେ ବିଷ୍ଣୁପରାୟଣ ରାଜା ଥିଲେ l ଦିନେ ବିଷ୍ଣୁପୂଜାରେ ସେ ବସିଥାନ୍ତି l ଶିଷ୍ୟ ଗଣଙ୍କ ସହିତ ଅଗସ୍ତି ମୁନି ଆସି ସେଠାରେ ପହଞ୍ଚିଲେ l ରାଜା ମୁନିଙ୍କୁ ଦେଖି ଆସନରୁ ଉଠିଲେ ନାହିଁ କି ସମ୍ଭାଷଣ ମଧ୍ୟ କଲେ ନାହିଁ l ମୁନି କ୍ରୋଧିତହୋଇ ଅଭିଶାପ ଦେଲେ,ତୁ ଗଜ ପରିକା ମୂଢ଼ ପଣରେ ମୋତେ ଅବଜ୍ଞା କଲୁ l ଏଣୁ ତୁ ଗଜ ହୋଇ ଯାଆ l ମୁନିଙ୍କ ଅଭିଶାପରୁ ସେହି ରାଜା ଗଜ ରୂପେ ଜନ୍ମ ହୋଇଥିଲେ l
ଅବଜ୍ଞା କଲା ବିପ୍ର ଗଣେ l
ଗଜର ପ୍ରାୟ ମୂଢ଼ ପଣେ ll
ଏ ଧର୍ମ ଦୂଷଣ ପ୍ରସ୍ତାବେ l
ଗଜ ଏ ହେବ ଏହି ଭାବେ ll
ଏହି ପୌରାଣିକ ଆଖ୍ୟାନ ଅଵଲମ୍ବନରେ ମାଘ ପୂର୍ଣ୍ଣିମା ଦିନ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇ ଆସୁଛି l ମର୍ତ୍ତ୍ୟବୈକୁଣ୍ଠ ଶ୍ରୀମନ୍ଦିରର ଦ୍ଵାର ଦେଶରେ ଦ୍ୱାର ପାଳ ରୂପେ ଜୟ ଓ ବିଜୟ ଅବସ୍ଥାନ କରୁଛନ୍ତି l ମହାପ୍ରଭୁଙ୍କ ଦର୍ଶନାର୍ଥୀ ଭକ୍ତଗଣ ପ୍ରଥମେ ଜୟ ବିଜୟଙ୍କୁ ଦର୍ଶନ କରିଥାନ୍ତି l
ଶ୍ରୀମଦ ଭାଗବତ ମହାପୁରାଣରେ ବର୍ଣ୍ଣିତ ଗଜ କୁମ୍ଭୀର ସମ୍ବାଦ ପଠନ ଶ୍ରବଣ ଓ ମନନ ଦ୍ୱାରା ମନୁଷ୍ୟ ବହୁ ପୁଣ୍ୟ ଅର୍ଜନ କରିଥାଏ l ଭାଗବତ କାର ପ୍ରାତଃ ସ୍ମରଣୀୟ ଶ୍ରୀଜଗନ୍ନାଥ ଦାସ ଏଣୁ ଭାଗବତରେ ଲେଖିଛନ୍ତି :-
ଗଜ କୁମ୍ଭୀର ଯୁଦ୍ଧ ବାଣୀ l
ଆନନ୍ଦେ ଶୁଣନ୍ତି ଯେ ପ୍ରାଣୀ ll
ଜନ୍ମ ମରଣେ ନାହିଁ ଭ୍ରାନ୍ତି l
ହେଳେ ସଙ୍କଟୁ ତରି ଯାନ୍ତି ll
ଏହି ପ୍ରସଙ୍ଗ ଊପର ଲିଖିତ କବିମାନଙ୍କ ଅତିରିକ୍ତ ଉତ୍କଳର ଆହୁରି ବହୁ କବିଙ୍କ ରଚନାରେ ସ୍ଥାନ ପାଇଛି ଯଥା :-
ଲକ୍ଷ ଯୋଜନରେ ଗଜ ଡାକ ଦେଲା ତୁମ୍ଭଙ୍କୁ l
ନକ୍ର ନାଶିବାକୁ ଚକ୍ର ଦେଲ ପେଶି ଜଳକୁ ll
— ଗଜପତି ବୀର କିଶୋର ଦେବ —
କାହିଁ ଥିଲା ଚକ୍ର କାହିଁ ଥିଲା ନକ୍ର
ପଲକ ପତନ ନୋହୁ ତ
ଛିଡ଼ିଗଲା ମଥା ରହିଗଲା କଥା
ଡାକିଲା ମାତ୍ରକେ କରୀ ତ
ଅନୁସରିତ ପ୍ରଭୋ କାଳଯାକ ଗଲା ସରି ତ
— ଗୋପାଳ କୃଷ୍ଣ —
ଲକ୍ଷ ଯୋଜନରେ ଗଜ,ଡାକିଲା ହେ ଦେବରାଜ,
ତା ଡାକକୁ ଚତୁର୍ଭୁଜ ଶୁଣିଛ ଶ୍ରବଣ ଡେରି
ଦିନ ବନ୍ଧୁ ଦଇତାରୀ,ଦୁଃଖ ନ ଗଲା ମୋହରି ll
— ବନମାଳୀ —
ମହାପ୍ରଭୁ ଅନନ୍ତ, ତାଙ୍କ କଥା ଅନନ୍ତ,ତାଙ୍କ ଲୀଳା ଅମୃତ !!!
ଜୟ ଜଗନ୍ନାଥ
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.