ଗଜପତିର ଶ୍ରମିକ ମୁମ୍ବାଇରେ କାର୍ଯ୍ୟରତ ବେଳେ ମୃତ୍ୟୁ

ଗଜପତି 13/7(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଜୟଗଡ ପଞ୍ଚାୟତ ଅନ୍ତର୍ଗତ କାନ୍ତିସାହି ଗ୍ରାମର ୨୪ ବର୍ଷୀୟ ଯୁବକ ସଂକୁରୁ ଗମାଙ୍ଗଙ୍କ ମୁମ୍ବାଇରେ ଶ୍ରମିକ ଭାବେ କାର୍ଯ୍ୟରତ ଅବସ୍ଥାରେ ଅକାଳ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ମୃତ୍ୟୁ ଖବର ଗ୍ରାମରେ ପହଞ୍ଚିବା ଯୋଗୁଁ ଗ୍ରାମର ଶୋକର ଛାୟା ଖେଳି ଯାଇଛି। ସେ ପରିବାରର ଏକମାତ୍ର ପୁଅ ଥିଲେ. ପରିବାରର ଦାରିଦ୍ର୍ୟତା ଯୋଗୁଁ ସଂକୁରୁ ପ୍ରାୟ ଦୁଇ ବର୍ଷ ପୂର୍ବେ ପରିବାର ପରିପୋଷଣ ପାଇଁ ନିଜ ଭିଟା ମାଟି ଛାଡି ମହାରାଷ୍ଟ୍ରର ମୁମ୍ବାଇ ସ୍ଥିତ କଞ୍ଜୁରମାର୍ଗ (ଇଷ୍ଟ)ଅଞ୍ଚଳରେ ମୋବାନୀ ନାମକ ଏକ ଠିକା ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିଲେ। ଶନିବାର କାମ କରୁଥିବା ସମୟରେ ସେ ଉଚ୍ଚ ସ୍ଥାନରୁ ତଳକୁ ଖସି ପଡ଼ିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆର୍ଥକ ଅସମର୍ଥତା କାରଣରୁ ମୁମ୍ବାଇରୁ ମରଶରୀରକୁ ଗ୍ରାମକୁ ଆଣିବା ପରିବାର ପାଇଁ ସମ୍ଭବ ନଥିବା ଯୋଗୁଁ ଗ୍ରାମବାସୀମାନେ ମାନବିକତାର ପରିଚୟ ଦେଇ ଚାନ୍ଦା ସଂଗ୍ରହ କରି ମରଶରୀରକୁ ଗ୍ରାମକୁ ଆଣିବା ପାଇଁ ବ୍ୟବସ୍ଥା କରିଛନ୍ତି।
ସ୍ଥାନୀୟ ଲୋକମାନେ ମୃତ ଶ୍ରମିକଙ୍କ ପରିବାରକୁ ତୁରନ୍ତ ସରକାରୀ ଆର୍ଥକ ସହାୟତା, ଉଚିତ କ୍ଷତିପୂରଣ ଏବଂ ପରିବାରର ଜଣେ ସଦସ୍ୟଙ୍କୁ ଜୀବିକାର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଓ ଜିଲ୍ଲା -ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟଯେ ଗୁମ୍ମା ବ୍ଲକରୁ ପେଟପାଟଣା ପାଇଁ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବେ ଯାଉଥିବା ଶ୍ରମିକମାନଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି. ଗତ 2 ମାସ ମଧ୍ୟରେ 3 ଜଣ ଶ୍ରମିକଙ୍କ ଏଭଳି ଭାବେ ଶୋଚନୀୟ ମୃତ୍ୟୁ ଘଟିଛି. ସରକାର ତଥା ପ୍ରଶାସନ ଗୁମ୍ମା ବ୍ଲକର ଦାଦନ ଶ୍ରମିକମାନଙ୍କ ଏଭଳି ଯାତନା ଦୂର କରିବା ପାଇଁ ସୁଚିନ୍ତିତ ବିହିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ଅଟେ ।

Comments are closed.