ବନ୍ୟା ପାଣି କମୁଛି, ହେଲେ ବଢୁଛି ଦୁର୍ଦ୍ଦଶା

ଭଦ୍ରକ-ଯାଜପୁରରେ ବନ୍ୟା ପରେ ଅସହାୟ ଚିତ୍ର

0

ଭୁବନେଶ୍ୱର: ନଦୀର ଜଳସ୍ତର ଧୀରେ ଧୀରେ କମୁଥିଲେ ମଧ୍ୟ ବନ୍ୟା ବିପନ୍ନଙ୍କ ଦୁଃଖ କମିନାହିଁ। ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତିରେ ସୁଧାର ଆସୁଥିଲେ ହେଁ ପ୍ରକୃତିର ତାଣ୍ଡବ ଛାଡ଼ିଯାଇଛି ଉଜୁଡ଼ା ସଂସାର, ନଷ୍ଟ ହୋଇଥିବା ଜୀବିକା ଏବଂ ଅନିଶ୍ଚିତ ଭବିଷ୍ୟତର କରୁଣ ଚିତ୍ର।

ଦୁଇ ଜିଲ୍ଲାରେ ପ୍ରାୟ ୧୫ଟି ଘାଇ ସୃଷ୍ଟି ହୋଇଥିବାରୁ ଅନେକ ଗାଁ ଏବେ ବି ଜଳବନ୍ଦୀ ଅବସ୍ଥାରେ ରହିଛି। ଯାଜପୁରର ୬ଟି ବ୍ଲକରେ ବନ୍ୟା ପାଣି ଧୀରେ ଧୀରେ କମୁଥିଲେ ମଧ୍ୟ ଘର ଭାଙ୍ଗିପଡ଼ିଛି, ଚାଷଜମି ନଷ୍ଟ ହୋଇଛି ଏବଂ ଅନେକ ପରିବାର ଜୀବିକା ହରାଇଛନ୍ତି।

ଭଦ୍ରକରେ ମଧ୍ୟ ପରିସ୍ଥିତି ଚିନ୍ତାଜନକ ରହିଛି। ସାଳନ୍ଦୀ ଓ କାଂଶବାଂଶ ନଦୀର ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ୮ଟି ଘାଇ ଯୋଗୁଁ ୭ଟି ବ୍ଲକର ଅନେକ ଗାଁ ଏବେ ବି ପାଣି ଘେରରେ ରହିଛି। ଚାନ୍ଦବାଲି, ତିହିଡ଼ି, ଧାମନଗର ଓ ବାସୁଦେବପୁର ଅଞ୍ଚଳରେ ବନ୍ୟାର କ୍ଷୟକ୍ଷତି ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।

ଅନ୍ୟପକ୍ଷରେ, କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳରେ ଅନେକ ଗାଁ ଏବେ ବି ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି। ଖୋର୍ଦ୍ଧା ଜିଲ୍ଲାରେ ରାଜୁଆ ନଦୀର ପାଣି ପଶିବାରୁ ବିଭିନ୍ନ ଗାଁ ଜଳବନ୍ଦୀ ହୋଇପଡ଼ିଛି। ପୁରୀ ଜିଲ୍ଲାର କଣାସ, ନିମାପଡ଼ା ଓ ଗୋପ ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ବନ୍ୟା ପାଣି ପଶି ଜନଜୀବନକୁ ପ୍ରଭାବିତ କରିଛି। ତେବେ ଜଳସମ୍ପଦ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ଦିନରେ ବଡ଼ ଧରଣର ବର୍ଷା ନହେଲେ ମହାନଦୀରେ ଆଉ ବଡ଼ ବନ୍ୟାର ଆଶଙ୍କା ନାହିଁ।

Leave A Reply

Your email address will not be published.