ଭୁବନେଶ୍ବର : ଆଗକୁ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ନେଇ ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ଆସନ୍ତା ୨ଦିନ ଗୁରୁତ୍ବପୂର୍ଣ୍ଣ। ଏହି ତିନି ଜିଲାରେ ବନ୍ୟାସ୍ଥିତି ଅନୁଧ୍ୟାନ ଓ ପରିଚାଳନାରେ ସମ୍ପୃକ୍ତ ଜିଲାର ଜିଲାପାଳଙ୍କ ପରାମର୍ଶ ଓ ସହଯୋଗ କରିବା ପାଇଁ ରାଜ୍ୟ ସରକାର ୩ଜଣ ଆଇଏଏସ୍ଙ୍କୁ ଦାୟିତ୍ବ ଦେଇଛନ୍ତି। ବାଲେଶ୍ବର ଜିଲାକୁ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଭଦ୍ରକ ପାଇଁ ସୁଧାଂଶୁ ମୋହନ ସାମଲ ଏବଂ ଯାଜପୁର ଜିଲା ଦାୟିତ୍ବ ପି.ଅନ୍ବେଷା ରେଡ୍ଡୀଙ୍କୁ ଦିଆଯାଇଛି। ଏହି ଅଧିକାରୀମାନେ ତୁରନ୍ତ ସମ୍ପୃକ୍ତ ଜିଲାଗସ୍ତ କରି ବନ୍ୟା ପରିଚାଳନାରେ ସହଯୋଗ କରିବାକୁ ନିର୍ଦେଶ ଦିଆଯାଇଛି। ଆସନ୍ତାକାଲି(ସୋମବାର) ଭଦ୍ରକ ଏବଂ ଯାଜପୁର ଜିଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରିଦର୍ଶନ କରିବେ। ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଅଗଷ୍ଟ ୧୮ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ୧୭ରେ ବର୍ଷାର ପରିମାଣ ବଢ଼ିବ ଏବଂ ୧୮ରେ ବର୍ଷା ପରିମାଣ କିଛିଟା କମିବାର ଆକଳନ କରାଯାଇଛି। ୧୯ରୁ ପାଗରେ ସୁଧାର ଆସିପାରେ। ଜୁନ ୧ରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୯୫୩ ମି.ମି. ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷାଠାରୁ ପ୍ରାୟ ୨୭% ଅଧିକ।
ସୂଚନା ଅନୁସାରେ ଚଳିତ ପର୍ଯ୍ୟାୟ ବନ୍ୟାରେ ଉପରୋକ୍ତ ଜିଲାର ୪୯ଟି ବ୍ଲକ, ୩୩୧ ଗ୍ରାମ ପଞ୍ଚାୟତ, ୯୪୭ଟି ଗାଁ, ୫ଟି ସହରାଞ୍ଚଳ ପ୍ରଭାବିତ ହୋଇଛି। ଏଥିରେ ୫ଲକ୍ଷ ୧୫ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ୨ଲକ୍ଷ ୩୭ହଜାର ଲୋକଙ୍କୁ ନିରାପଦ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅଦ୍ୟାବଧି ୨୯୩ଟି ଶିବିରରେ ରନ୍ଧାଖାଦ୍ୟ, ଚୁଡା ଓ ଗୁଡ ଆଦି ଯୋଗାଇ ଦିଆଯାଉଛି। ୩୬ଟି ଓଡ଼୍ରାଫ, ୭ଏନ୍ଡିଆର୍ଏଫ୍ ଏବଂ ୪୩ଟି ଅଗ୍ନିଶମ ସେବା ବାହିନୀ ମୁତୟନ ହୋଇଛନ୍ତି। ବିଦ୍ୟୁତ ଓ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ବିଦ୍ୟୁତ ସେବା ସ୍ୱାଭାବିକ କରିବା ପାଇଁ ଟିପିଏନ୍ଓଡିଏଲ୍ ଅଧିକାରୀମାନେ କ୍ଷେତ୍ରରେ ନିୟୋଜିତ ଅଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ବହୁ ଗାଁରେ ପାଣି ପଶିଥିବାରୁ ପ୍ରାୟ ୭୫ ହଜାର ବିଜୁଳି ଉପଭୋକ୍ତଙ୍କୁ ବିଜୁଳି ସରବରାହ ବନ୍ଦ ରହିଛି।
ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସମୀକ୍ଷା ବୈଠକ ହୋଇଛି। ଏସ୍ଆର୍ସି ରାଜେଶ ପ୍ରଭାକର ପାଟିଲ, ରାଜସ୍ୱ ସଚିବ ଅରବିନ୍ଦ ପାଢ଼ୀ, ଜଳ ସମ୍ପଦ ସଚିବ ଶୋଭା ଶର୍ମା, ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀଙ୍କ ସମେତ ଅନ୍ୟାନ୍ୟ ବିଭାଗର ସଚିବମାନେ ଉପସ୍ଥିତ ଥିଲେ। ବୈଠକ ପରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ କହିଛନ୍ତି, ପୂର୍ବରୁ ବନ୍ୟା ପରିଚାଳନା ଅଭିଜ୍ଞତା ଦୃଷ୍ଟିରୁ ଏହି ୩ ଅଧିକାରୀଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ବାଲେଶ୍ବର ଜିଲାକୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ତରଫରୁ ଜଣେ ଅତିରିକ୍ତ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ମଧ୍ୟ ପଠାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳକୁ ତରନ୍ତୁ ଆର୍ଥିକ ସହାୟତା ଦେବା ପାଇଁ ଜିଲାପାଳଙ୍କୁ ରାଜସ୍ବ ବିଭାଗ ପରାମର୍ଶ ଦେଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲା ବନ୍ୟାରେ ପ୍ରଭାବିତ ହୋଇଛି। ସମ୍ପୃକ୍ତ ଜିଲାରେ ପରିସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଯେଉଁମାନେ ପୂର୍ବରୁ ଛୁଟିରେ ଅଛନ୍ତି, ସେମାନଙ୍କୁ ମଧ୍ୟ ଶୀଘ୍ର କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ ଦିଆଯାଇଛି। ସମସ୍ତ ଅଧିକାରୀଙ୍କୁ କ୍ଷେତ୍ରରେ ରହି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରିବାକୁ କୁହାଯାଇଛି।
ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ବର୍ଷା ଓ ବନ୍ୟା ପ୍ରଭାବିତ ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାର ଜିଲାପାଳଙ୍କ ସହ ଆଲୋଚନା କରି ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ଯେଉଁ ଅଞ୍ଚଳରେ ସମ୍ଭବ, ସେଠାରେ ବିଦ୍ୟୁତ ସରବରାହ ପୁନଃସ୍ଥାପନ କରାଯିବ। ସେହିଭଳି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଟିମ୍ ମୁତୟନ କରାଯାଇଛି। ମେଡିକାଲ କଲେଜ ଗୁଡ଼ିକର ଭେଷଜ ବିଭାଗର ଟିମ୍ ରିଲିଫ୍ କ୍ୟାମ୍ପରେ ଉପସ୍ଥିତ ରହିଛନ୍ତି। ଆବଶ୍ୟକ ପରିମାଣର ସାପ କାମୁଡା ପ୍ରତିଷେଧକ ଇଞ୍ଜେକ୍ସନ ମହଜୁଦ ରଖାଯାଇଛି। ଆବଶ୍ୟକ ଔଷଧ, ହାଲୋଜେନ ବଟିକା, ବ୍ଲିଚିଙ୍ଗ ପାଉଡର ରହିଛି। ରାପିଡ୍ ରେସ୍ପନ୍ସ ଟିମ୍ ଗୁଡ଼ିକ ନିୟମିତ ଭାବେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଛନ୍ତି। ବନ୍ୟାସ୍ଥିତି ଉପରେ ନଜର ରଖିବାକୁ ଜଳ ସମ୍ପଦ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ଦିନରାତି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପାଣି କମିବା ପରେ ବନ୍ୟା ଯୋଗୁଁ ହୋଇଥିବା ଘାଇ ମରାମତି କରାଯିବ। ବର୍ତ୍ତମାନ କ୍ଷୟକ୍ଷତିର ଆକଳନ ମଧ୍ୟ ଚାଲିଛି। ବନ୍ୟାଜଳରେ କୁମ୍ଭୀର ଆକ୍ରମଣର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ କରାଯାଇଛି। ବନ୍ୟାଜଳ ଦେଖିବା କିମ୍ବା ସେଲ୍ଫି ନେବା ପାଇଁ ନଦୀବନ୍ଧ ଓ ବିପଦପୂର୍ଣ୍ଣ ସ୍ଥାନକୁ ନଯିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ସେହିଭଳି ଜିଲାପାଳଙ୍କୁ ରିଲିଫ୍ ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ନିର୍ଦେଶ ଦିଆଯାଇଛି। ଆଗାମୀ ଦିନରେ ବର୍ଷା ବଢ଼ିବାର ଆକଳନ ଥିବାରୁ ସମସ୍ତ ଜିଲାପାଳଙ୍କୁ ସତର୍କ ଓ ପ୍ରସ୍ତୁତ ରହିବାକୁ କୁହାଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ୫ ହଜାର କୁଇଣ୍ଟାଲ ଗୋ-ଖାଦ୍ୟ ଯୋଗାଇ ଦିଆଯାଇଛି। ଏନେଇ ବିଭାଗର ୩୬ଟି ଆରଏଟି କାର୍ଯ୍ୟ କରୁଛି ଏବଂ ୫୦ଟି ଶିବିର କାର୍ଯ୍ୟକ୍ଷମ ଅଛି।
ଅନ୍ୟପଟେ ସମସ୍ତ ସହରାଞ୍ଚଳ କର୍ତ୍ତୃପକ୍ଷ ସତର୍କତା ଅବଲମ୍ବନ କରିବା ସହ ଯେକୌଣସି ପରିସ୍ଥିତିରେ ତ୍ୱରିତ, ସମନ୍ୱିତ ଓ ଜନକୈନ୍ଦ୍ରିକ ପଦକ୍ଷେପ ସୁନିଶ୍ଚିତ କରିବାକୁଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ପାଢ଼ୀ ନିର୍ଦେଶ ଦେଇଛନ୍ତି। ସମସ୍ତ କର୍ମଚାରୀ, ଯନ୍ତ୍ରପାତି ଓ ଆବଶ୍ୟକ ସାଜସଜ୍ଜାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ସଜାଗ ରଖିବା ସହ ରାପିଡ୍ ରେସ୍ପନ୍ସ ଟିମ୍ଗୁଡ଼ିକୁ ସକ୍ରିୟ ରଖିବାକୁ ନିର୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ବିଭାଗ ଓ ଜିଲା ପ୍ରଶାସନର ସହଯୋଗ ନେଇ କାମ କରିବାକୁ କୁହାଯାଇଛି।
ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲାରେ ବନ୍ୟା ଆସିଛି। ବନ୍ୟାପାଣିେର ଉବୁଟୁବୁ ହେଉଛି ଉତ୍ତର ଓଡ଼ିଶା। ପାଣି ଛାଡୁ ନଥିବାରୁ ବନ୍ୟା ବିପନ୍ନଙ୍କ ଜନଜୀବନ ବିପର୍ଯ୍ୟସ୍ତ ହୋଇ ପଡିଛି। ଗାଁରେ ବନ୍ୟାପାଣି ଥିବାରୁ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ବନ୍ୟା ପ୍ରଭାବିତ। ହଠାତ୍ ପାଣି ମାଡି ଆସୁଥିବାରୁ କେହି ଆପଣାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ବ୍ୟସ୍ତ ଅଛନ୍ତି। ବ୍ରାହ୍ମଣୀରେ ବନ୍ୟା ଆସୁଥିବା ବେଳେ ବୈତରଣୀ, ସୁବର୍ଣ୍ଣରେଖା ଏବଂ ଜଳକାରେ ବନ୍ୟା ପରିସ୍ଥିତି ଏବେବି ଉଦ୍ବେଗଜନକ। ବ୍ରାହ୍ମଣୀ ଫୁଲୁଥିବା ବେଳେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖା ଏବଂ ଜଳକାରେ ପାଣି ଛିଡୁଛି ସତ, ହେଲେ ବନ୍ୟା ବିପନ୍ନଙ୍କ ଦୁଃଖ ସରିନାହିଁ। ସମ୍ଭାବ୍ୟ ଅବପାତ ସୁବର୍ଣ୍ଣରେଖା ଉପରମୁଣ୍ଡରେ ପ୍ରବଳ ବର୍ଷିବାର ସମ୍ଭାବନା ଥିବାରୁ ପୁଣି ଆଗକୁ ସୁବର୍ଣ୍ଣରେଖା
ବନ୍ୟା ଆଣିବାର ଆଶଙ୍କା ରହିଛି।
ଜଳ ସମ୍ପଦ ବିଭାଗର ସୂଚନାନୁଯାୟୀ, ବ୍ରାହ୍ମଣୀର ପାନପୋଷଠାରେ ବିପଦ ସଙ୍କେତ ୧୭୮.୪୨ମିଟର ଥିବାସ୍ଥଳେ ଏଠାରେ ରବିବାର ସନ୍ଧ୍ୟା ୬ଟା ବେଳକୁ ୧୭୫.୧୦ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ଗତ ଦୁଇଦିନ ତଳେ ଏଠାରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲା। ପାନପୋଷରେ ପାଣି ଛିଡୁଥିବା ବେଳେ ଜେନାପୁରରେ ବ୍ରାହ୍ମଣୀ ଫୁଲିବାରେ ଲାଗିଛି। ଆଜି ସନ୍ଧ୍ୟା ୮ଟା ବେଳକୁ ଜେନାପୁରରେ ବିପଦ ସଙ୍କେତ ୨୩ମିଟର ଥିବାବେଳେ ୨୧.୯୩ ମିଟରରେ ବ୍ରାହ୍ମଣୀ ଜଳ ପ୍ରବାହିତ ହେଉଥିଲା। ଏଠାରେ ଜଳସ୍ତର ବଢ଼ୁଥିବାରୁ କେନ୍ଦ୍ରାପଡା ଜିଲାର ବ୍ରାହ୍ମଣୀକୂଳିଆ ଗାଁଗୁଡିକରେ ବନ୍ୟା ଆସିଛି। ଅନ୍ୟପଟେ ରେଙ୍ଗାଲି ଜଳ ଭଣ୍ଡାର ସର୍ବାଧିକ ଜଳଧାରଣ କ୍ଷମତା ୧୨୩.୫୦ମିଟର ଥିବାବେଳେ ୧୨୩.୦୨ମିଟରରେ ପହଞ୍ଚିଛି। ଜଳ ଭଣ୍ଡାର ଜଳସ୍ତର ବଢ଼ୁଥିବାରୁ ଆଗକୁ ପୁଣି ଗେଟ୍ ଖୋଲିବାର ସମ୍ଭାବନା ରହିଛି। ବର୍ତ୍ତମାନ ଜଳ ଭଣ୍ଡାର ଦୁଇଟି ଗେଟ୍ ଖୋଲା ଅଛି। ଉପରମୁଣ୍ଡରୁ ଜଳ ଭଣ୍ଡାରକୁ ୭୧୬୭.୬୧କ୍ୟୁମେକ୍ ଜଳ ପ୍ରବେଶ କରୁଥିବା ବେଳେ ୩୮୩୯.୭୨କ୍ୟୁମେକ୍ ଜଳ ନିଷ୍କାସିତ ହେଉଛି। ଯଦି ରେଙ୍ଗାଲି ଜଳ ଭଣ୍ଡାରରୁ ଅଧିକ ଗେଟ୍ ଖୋଲାଯିବ ତେବେ ବନ୍ୟା ପରିସ୍ଥିତି ଆହୁରି ବିପନ୍ନ ହୋଇପଡିବ। ବୈତରଣୀ ବନ୍ୟାଜଳ ଛାଡୁନାହିଁ। ଚଳିତ ବର୍ଷ ୪ଥର ବୈତରଣୀରେ ବନ୍ୟା ଆସିବା ହେତୁ ଭଦ୍ରକ ଏବଂ ଯାଜପୁରରେ ବନ୍ୟା ବିପନ୍ନଙ୍କୁ ଦୁଃଖ ବଢ଼ିଗଲାଣୀ। ଘରେ ପାଣି ପଶିବା ସହିତ ଚାଷ ଜମିରେ ଫସଲ ଉଜାଡି ଦେଲାଣି।
ଆଖୁଆପଦାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ୧୮.୩୮ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ଉପରେ ବୈତରଣୀ ଜଳସ୍ତର ଥିବାରୁ ବନ୍ୟା ପ୍ରଭାବିତ ଗାଁ ଗୁଡିକରୁ ପାଣି ଛାଡୁନାହିଁ। ଆନନ୍ଦପୁରରେ ବିପଦ ସଙ୍କେତ ୩୮.୩୬ ମିଟର ଥିବାବେଳେ ୩୭.୦୭ ମିଟରରେ ପ୍ରବାହିତ ହେଉଛି ବୈତରଣୀ। ଏଠାରେ ବିପଦ ସଙ୍କେତ ତଳେ ଜଳସ୍ତର ଥିଲେ ବି ବନ୍ୟାପାଣି ଛାଡୁ ନଥିବାରୁ ବିପନ୍ନ ଘରକୁ ଫେରି ପାରୁନାହାନ୍ତି। ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟା ଆସିଛି। ରାଜଘାଟ ଏବଂ ଜାମଶୋଲାଘାଟରେ ଜଳସ୍ତର ବିପଦ ସଙ୍କେତ ତଳକୁ ଖସିଥିଲେ ମଧ୍ୟ ବନ୍ୟା ଅଞ୍ଚଳରୁ ପାଣି ଛାଡିନାହିଁ। ରାଜଘାଟରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ମିଟର ଥିବାବେଳେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ୮.୭୦ମିଟରରେ ଜଳ ପ୍ରବାହିତ ହେଉଛି। ଏଠାରେ ଶୀର୍ଷ ବନ୍ୟାଜଳ ୧୦.୫୦ମିଟର ଛୁଇଁଥିଲା। ବନ୍ୟାଜଳ ଶୀର୍ଷ ଛୁଇଁବା ପରେ କମିବାର ଆରମ୍ଭ କରିଛି। ଜାମଶୋଲାଘାଟରେ ବିପଦ ସଙ୍କେତ ୧୯.୧୬ମିଟର ଥିବାବେଳେ ୪୭.୪୮ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। କିନ୍ତୁ ସୋମବାର ସନ୍ଧ୍ୟାରୁ ମଙ୍ଗଳବାର ସୁବର୍ଣ୍ଣରେଖା ଉପରମୁଣ୍ଡ ଝାଡଖଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଗକୁ ପୁଣି ସୁବର୍ଣ୍ଣରେଖାରେ ବନ୍ୟା ଆସିବା ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ।
ସେହିପରି ଭାବେ ଜଳକା ସାମାନ୍ୟ ବିପଦ ସଙ୍କେତ ତଳକୁ ଖସିଛି। ମଥାନୀରେ ଜଳକାର ବିପଦ ସଙ୍କେତ ୬.୫ମିଟର ଥିବାବେଳେ ୬.୪୬ମିଟରରେ ପ୍ରବାହିତ ହେଉଛି। ଜଳକାରେ ବନ୍ୟା ଆସିବା ଦ୍ବାରା ବାଲେଶ୍ବର ଜିଲାର ବସ୍ତା ଅଞ୍ଚଳରେ ବନ୍ୟା ଆସିଛି। କିନ୍ତୁ ଜଳକା ପାଣି ସମୁଦ୍ର ଟାଣୁ ନଥିବାରୁ ଏଠାରେ ବନ୍ୟା ପରିସ୍ଥିତିରେ ସୁଧାର ଆସୁନାହିଁ। ବୈତରଣୀ, ସୁବର୍ଣ୍ଣରେଖା ଏବଂ ଜଳକାରେ ବନ୍ୟା ଆସିବା ଦ୍ବାରା କେଉଁଠି ରାସ୍ତା ଉପରେ ପାଣି ଚାଲିଛି ତ ଆଉ କେଉଁଠି ଘର ଭିତରେ ପାଣି ରହିଛି।