ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଆର୍ଥିକ ସହାୟତା

କେନ୍ଦୁଝର : ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ଅଞ୍ଚଳର ଏହି ଘଟଣା ଏବେ ସବୁଠି ଚର୍ଚ୍ଚାରେ। ଅଞ୍ଚଳର ଜିତୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ନିଜ ମୃତ ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଯାଇଥିଲେ କିନ୍ତୁ ସେଠାରେ ବ୍ୟାଙ୍କ୍ କର୍ମଚାରୀ ତାଙ୍କୁ ପ୍ରମାଣ ମାଗିଥିଲେ। ଆଉ ପ୍ରମାଣ ପାଇଁ ଜିତୁ ସିଧାସଳଖ ଭଉଣୀଙ୍କ କଙ୍କାଳ ନେଇ ପହଞ୍ଚିଥିଲେ। ଯାହାପରେ ଏକ ବ୍ୟାଙ୍କରେ ଉପୁଜିଥିଲା ଏକ ଛାତିଥରା ଦୃଶ୍ୟ।

ଏହି ଘଟଣା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଥିଲା। ଯାହା ପରେ ମଙ୍ଗଳବାର ଜିତୁଙ୍କୁ ଜମା ଟଙ୍କା ଫେରାଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ୧୯ ହଜାର ୪୦୨ ଟଙ୍କା ଜିତୁ ମୁଣ୍ଡାଙ୍କୁ ପ୍ରଦାନ କରାଯାଇଥିବା ବେଳେ, ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ପାଟଣା ବିଡିଓ। ଜିତୁଙ୍କୁ ରେଡକ୍ରସରୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟଯେ ,ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଆର୍ଥିକ ସହାୟତା  ପାଇଛନ୍ତି ଜିତୁ ମୁଣ୍ଡା। ଅସହାୟ ବ୍ୟକ୍ତି ଯେପରି ଏଭଳି ସ୍ତିତିକୁ ପୁନର୍ବାର ସାମ୍ନା ନକରନ୍ତି ତଦାରଖ  ନିଁର୍ଧେସ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ଏହି ମାମଲାରେ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ମାମଲା ରୁଜୁ କରାଯାଇଛି। ସେହିଭଳି ଘଟଣାକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ‘‘ଦାନ ମାଝୀଙ୍କ ପରେ ଏହା ରାଜ୍ୟରେ ଦ୍ବିତୀୟ ଘଟଣା। ଏମିତି ଘଟଣା ଆଗକୁ ନଘଟୁ।’’ ସେ ଆହୁରି କହିଛନ୍ତି, ‘‘ଦାୟୀ ଅଧିକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉ, ଯେମିତି ଆଉ କେହି ଏମିତି କରିବା ପାଇଁ ସାହସ ନକରିବ ।ଜିଲ୍ଲାପାଳ ଏଘଟଣାରେ ତଦନ୍ତ କରିଛନ୍ତି, ଟଙ୍କା ପାଇଲେଣି। ଏମିତି ପରିସ୍ଥିତି କାହିଁକି ହେଲା, ଜିଲ୍ଲାପାଳଙ୍କ ସହ ଆଲୋଚନା କରିବି।’’ ଦୋଷୀ ବ୍ୟାଙ୍କ କର୍ମଚାରୀଙ୍କ ଉପରେ କଡ଼ା କର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ।

Comments are closed.