ଫେଡେରର୍‌ ଯୁଗର ଅବସାନ: ସେନା ପାଇଁ ଅଯୋଗ୍ୟ, ଟେନିସ୍ କୋର୍ଟରେ ଅସାଧାରଣ

ବାସେଲ: ସ୍ବିଜରଲାଣ୍ଡର ମହାନ ଟେନିସ ତାରକା ରୋଜର ଫେଡେରର୍‌ ଗୁରୁବାର ଅବସର ଘୋଷଣା କରିଛନ୍ତି। ଆସନ୍ତା ସପ୍ତାହରେ ଆୟୋଜିତ ହେବାକୁ ଥିବା ଲାଭର କପ୍‌ ପରେ ପେସାଗତ ଟେନିସରୁ ଏହି ପୂର୍ବତନ ଏକ ନମ୍ବର ଖେଳାଳି ବିଦାୟ ନେବେ। ଏଥି ସହିତ ଗୋଟିଏ ଯୁଗଳ ଅବସାନ ଘଟିବ। ଲାଭର କପ୍ ମୋର ଶେଷ ଏଟିପି ପ୍ରତିଯୋଗିତା ହେବ ବୋଲି ଫେଡେରର୍‌ ଗୁରୁବାର ଟ୍ବିଟର୍‌ରେ ପ୍ରକାଶ କରିଛନ୍ତି। ତଥାପି ନିଜ ଦେଶରେ ଘରୋଇ ଇନ୍‌ଡୋର ପ୍ରତିଯୋଗିତା ଖେଳିବା ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି। ଏହି ମହାନ ଟେନିସ ଖେଳାଳି ଅବସର ବିଷୟରେ ଏକ ୪ ପୃଷ୍ଠାର ଲେଖା ମଧ୍ୟ ଟ୍ବିଟର୍‌ରେ ପୋଷ୍ଟ କରିଛନ୍ତି।

‘‘ବର୍ଷ ବର୍ଷ ଧରି ଟେନିସ୍‌ରୁ ମୁଁ ଅନେକ ଉପ‌ହାର ପାଇଛି, ଅନେକ ଲୋକଙ୍କୁ ଭେଟିବାର ସୁଯୋଗ ପାଇଛି, ବିନା ଦ୍ବିଧାରେ ଏସବୁକୁ କହିବି ସର୍ବୋତ୍ତମ। ମୋର ବନ୍ଧୁ, ପ୍ରତିଦ୍ବନ୍ଦ୍ବୀ ଏବଂ ସମସ୍ତ ପ୍ରଶଂସକ ମୋତେ ସୁନ୍ଦର କ୍ରୀଡ଼ା ଜୀବନ ଦେଇଛନ୍ତି। ଆଜି ମୁଁ କିଛି ସୂଚନା ତୁମମାନଙ୍କୁ ଦେବାକୁ ଚାହୁଁଛି। ମୋତେ ଏବେ ୪୧ ବର୍ଷ ବୟସ। ମୁଁ ୨୪ ବର୍ଷ ଧରି ୧୫୦୦ରୁ ଅଧିକ ମ୍ୟାଚ୍‌ ଖେଳିଲେଣି। ଟେନିସ ମୋତେ ବହୁତ କିଛି ଦେଇଛି, ଯାହା ମୋ ସ୍ବପ୍ନଠୁ ବି ଅଧିକ। ହେଲେ ଗତ ୩ ବର୍ଷ ଧରି ଆହତ ସମସ୍ୟା ଏବଂ ବହୁବାର ଅସ୍ତ୍ରୋପଚାର ମୋତେ ଖେଳିବାକୁ ଅନୁମତି ଦେଉନି। ତେଣୁ ପ୍ରତିଯୋଗିତା ମୂଳକ ଜୀବନର ଅବସାନ ଘଟାଇବାର ଏହା ପ୍ରକୃଷ୍ଟ ‌ସମୟ ବୋଲି ଅନୁଭବ କରୁଛି। ଲଣ୍ଡନରେ ଆସନ୍ତା ସପ୍ତାହରେ ଆୟୋଜିତ ହେବାକୁଥିବା ଲାଭର କପ୍‌ ମୋର ଶେଷ ଏଟିପି ପ୍ରତିଯୋଗିତା‌ ହେବ। ଭବିଷ୍ୟତରେ ମୁଁ ଅଧିକ ଟେନିସ ଖେଳିପାରେ, କିନ୍ତୁ ଗ୍ରାଣ୍ଡ ସ୍ଲାମ୍‌ କିମ୍ବା ଟୁର୍‌ ନୁହେଁ।’’ ବୋଲି ଫେଡେରର୍‌ ଅବସରକାଳୀନ ପୋଷ୍ଟ‌ରେ ଉଲ୍ଲେଖ କରିଛନ୍ତି।

ପୁରୁଷ ଏକକରେ ବହୁ ବର୍ଷ ଧରି ରାଜ କରିଥିବା ଫେଡେରର୍‌ ଅନେକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ନିସନ୍ଦେହରେ ସେ ଜଣେ ସର୍ବକାଳୀନ ମହାନ ଟେନିସ ଖେଳାଳି। ସେ ୨୦ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି ସହ ୧୦୩ ଏଟିପି ମୁକୁଟ କରାୟତ୍ତ କରିଛନ୍ତି। ଈଭାନ ଜୁବିସିକ ଓ ସେଭେରିନ ଲୁଥିଙ୍କ ପ୍ରଶିକ୍ଷଣରେ ଫେଡେରର୍‌ ୧୯୯୮ରେ ପେସାଗତ ଟେନିସ ଜୀବନ ଆରମ୍ଭ କରିଥିଲେ। ୧୯୯୮ ୱିମ୍ବଲଡନ୍‌ରେ କନିଷ୍ଠ ବର୍ଗରେ ଉଭୟ ଏକକ ଓ ଯୁଗଳ ବିଜେତା ହୋଇଥିଲେ। ୨୦୧୮ରେ ୩୬ ବର୍ଷ ବୟସରେ ବିଶ୍ବର ଏକ ନମ୍ବର ହେବାରେ ବୟୋଜ୍ୟେଷ୍ଠ ଖେଳାଳି ହୋଇଥିଲେ। ସେ ମଧ୍ୟ କ୍ରମାଗତ ୨୩୭ ସପ୍ତାହ ଧରି ବିଶ୍ବ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିବାର ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିଲେ। ଏହି ସ୍ବିଜରଲାଣ୍ଡ କିଂବଦନ୍ତି ତାଙ୍କ କ୍ୟାରିୟର ମଧ୍ୟରେ ୧୫୨୬ ଏକକ ଏବଂ ୨୨୩ ଯୁଗଳ ମ୍ୟାଚ୍‌ ଖେଳିଛନ୍ତି। ଅଲିମ୍ପିକ୍‌ରେ ଗୋଟିଏ ସ୍ବର୍ଣ୍ଣ (ଯୁଗଳ, ୨୦୦୮) ଏବଂ ଗେଟିଏ ରୌପ୍ୟ (ଏକକ, ୨୦୧୨) ଜିତିଛନ୍ତି। ‌ସେ ମଧ୍ୟ ୨୦୧୪ ଡେଭିସ କପ୍‌ ବିଜେତା ସ୍ବିଜରଲାଣ୍ଡର ସଦସ୍ୟ ରହିଥିଲେ। ସ୍ବିଜରଲାଣ୍ଡକୁ ୨୦୦୧, ୨୦୧୮ ଓ ୨୦୧୯ ହୋପ୍‌ମାନ କପ୍‌ ବିଜେତା କରିବାରେ ତାଙ୍କର ମଧ୍ୟ ଅବଦାନ ରହିଥିଲା।

ଫେଡେରରଙ୍କ ଜନ୍ମ ୧୯୮୧ ମସିହା ଅଗଷ୍ଟ ୮ ତାରିଖରେ ସ୍ବିଜରଲାଣ୍ଡର୍‌ ବାସେଲଠାରେ ହୋଇଥିଲା। ତାଙ୍କ ପିତା ରୋବର୍ଟ ଫେଡେରର ହେଉଛନ୍ତି ଜର୍ମାନୀ ବଂଶୋଦ୍ଭବ। ଅନ୍ୟପକ୍ଷରେ ମାତା ଲିନେଟ୍ ଫେଡେରର ଦକ୍ଷିଣ ଆଫ୍ରିକୀୟ। ତାଙ୍କର ଜଣେ ବଡ଼ ଉଭଣୀ ଅଛନ୍ତି, ଯାହାଙ୍କ ନାଁ ଡାଏନା। ଫେଡେରର୍‌ଙ୍କ ମା’ ଦକ୍ଷିଣ ଆଫ୍ରିକୀୟ ହୋଇଥିବାରୁ ସେ ହେଉଛନ୍ତି ଉଭୟ ସ୍ବିଜରଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକାର ନାଗରିକ। ଫ୍ରାନ୍ସ ଓ ଜର୍ମାନୀ ସୀମାରେ ଥିବା ବିର୍ସଫେଲଡେନ୍ ସହରରେ ସେ ବଡ଼ ହୋଇଛନ୍ତି। ସ୍ବିସ୍ ଓ ଜର୍ମାନୀ ଭାଷା ସହ ଫରାସୀ, ଇଂଲିସ୍ ଆଦି ଭାଷା ସେ ପ୍ରାଞ୍ଜଳ ଭାବେ କହିପାରନ୍ତି। ୧୯୯୨-୯୩ରେ ସ୍ବିସ୍ ଇନ୍‌ଡୋର ଟେନିସ୍ ପ୍ରତିଯୋଗିତାରେ ଏକାଧିକବାର ବଲ୍‌ବଏ ଦାୟିତ୍ବ ତୁଲାଇଛନ୍ତି ଫେଡେରର୍‌। ସ୍ବିଜରଲାଣ୍ଡର ସବୁ ପୁରୁଷଙ୍କ ଭଳି ଯୁବ ଫେଡେରର ମଧ୍ୟ ସେନା ବାହିନୀରେ ଯୋଗଦେବା ବାଧ୍ୟତାମୂଳକ ଥିଲା। ହେଲେ ୨୦୦୩ ମସିହାରେ ଏଥିଲାଗି ସେ ଅନୁପଯୁକ୍ତ ବିବେଚିତ ହୋଇଥିଲେ। ଫଳରେ ତାଙ୍କୁ ସେନାବାହିନୀରେ ଯୋଗଦେବାକୁ ପଡ଼ିନଥିଲା। ସେ ଅବଶ୍ୟ ପରବର୍ତ୍ତୀ ସମୟରେ ‌ବେସାମରିକ ସୁରକ୍ଷା ବାହିନୀ‌ରେ କିଛି ମାସ କାମ କରିଥିଲେ। ଏଥିଲାଗି ତାଙ୍କୁ ନିଜ ରୋଜଗାରର ୩ ପ୍ରତିଶତ କର ଆକାରରେ ଦେବାକୁ ପଡ଼ୁଥିଲା। ‌ସେନାବାହିନୀ ପାଇଁ ଅନୁପଯୁକ୍ତ ସାବ୍ୟସ୍ତ ହୋଇଥିବା ସେହି ଫେଡେରର ପରବର୍ତ୍ତୀ ସମୟରେ ଟେନିସ୍ କୋର୍ଟରେ ଅସାଧାରଣ ଖେଳ ଖେଳି ସମଗ୍ର ବିଶ୍ବକୁ ଚକିତ କରି ଦେଇଥିଲେ। ବିଦ୍ୟାଳୟସ୍ତରରେ ବ୍ୟାଡମିଣ୍ଟନ୍ ଏବଂ ବାସ୍କେଟବଲ୍ ଭଳି ଖେଳ ଖେଳିଥିବାରୁ ଟେନିସ୍ କୋର୍ଟରେ ହାତ ଏବଂ ଆଖି ମଧ୍ୟରେ ସେ ଅପୂର୍ବ ସମନ୍ବୟ ରକ୍ଷା କରିପାରୁଥିଲେ ବୋଲି ବହୁବାର କହିଛନ୍ତି ଫେଡେରର।

ଫେଡେରର୍‌ ସର୍ବକାଳୀନ ଶ୍ରେଷ୍ଠ: ସେରେନା

ଟେନିସ୍ ଜଗତର ସବୁଠାରୁ ଲୋକପ୍ରିୟ ତାରକା ରୋଜର ଫେଡେରର ନିଜ ଅଢ଼େଇ ଦଶନ୍ଧିର ଜାଜ୍ଜ୍ବଲ୍ୟମାନ ଟେନିସ୍ ଜୀବନରେ ପୂର୍ଣ୍ଣଛେଦ ଟାଣିବା ପରେ ସମଗ୍ର ବିଶ୍ବ ତାଙ୍କୁ ସଲାମ କରିଛି। ଟେନିସ୍ ଦୁନିଆର ବହୁ ମହାନ ତାରକା ଫେଡେରର୍‌ଙ୍କୁ ଭୂୟଶୀ ପ୍ରଶଂସା କରିଛନ୍ତି। ଆମେରିକାର କିଂବଦନ୍ତି ମହିଳା ଟେନିସ୍ ‌ଖେଳାଳି ସେରେନା ୱିଲିୟମ୍ସ ତାଙ୍କୁ ସର୍ବକାଳୀନ ଶ୍ରେଷ୍ଠ ପୁରୁଷ ଟେନିସ୍ ତାରକା ବିବେଚନା କରିଛନ୍ତି। ‘‘ରୋଜର ଫେଡେରର, ଏହି ଦୁଇଟି ଶବ୍ଦ ଟେନିସ୍‌ଠାରୁ ଅଭିନ୍ନ। ମହାନତାର ଶ୍ରେଷ୍ଠ ଉଦାହରଣ। ଫେଡେରର ଥିଲେ ଭିନ୍ନ ସ୍ତରର ଖେଳାଳି। ଟେନିସ୍‌କୁ ସବୁଦିନ ପାଇଁ ବଦଳାଇ ଦେଇଥିଲେ ସେ। ତାଙ୍କ ଭଳି ଜଣେ ଖେଳାଳିଙ୍କୁ ଦେଖିବା, ଅନୁସରଣ କରିବା ଏବଂ ତାଙ୍କ କଳା କୌଶଳରୁ ଅନେକ କିଛି ଶିଖିବାର ଥିଲା। ସତରେ ସେ ଜଣେ ମହାନ ଖେଳାଳି। ସର୍ବକାଳୀନ ଶ୍ରେଷ୍ଠ।

‘୨୪ ବର୍ଷ ୨୪ ଘଣ୍ଟା ପରି ଲାଗୁଛି’

ନିଜ ଅବସରକାଳୀନ ଟ୍ବିଟର୍‌ ବାର୍ତ୍ତାରେ ଫେଡେରର କହିଛନ୍ତି ୨୪ ବର୍ଷର ଖେଳ ଜୀବନ ମୋତେ ୨୪ ଘଣ୍ଟା ପରି ଲାଗୁଛି। ଏହି ସ୍ବପ୍ନର ଅଭିଯାନରେ ମୋ ପତ୍ନୀ ମିର୍କା ମୋତେ ଢେର ସମର୍ଥନ ଦେଇଛନ୍ତି। ଅନେକ ମ୍ୟାଚ୍ ପୂର୍ବରୁ ସେ ମୋର ମନୋବଳ ବଢ଼ାଇଛନ୍ତି। ଅଗଣିତ ମ୍ୟାଚ୍ ଦେଖିଛନ୍ତି। ୮ ମାସର ଗର୍ବବତୀ ଥିଲା ବେଳେ ମଧ୍ୟ ମୋର ଆତ୍ମବିଶ୍ବାସ ବଢ଼ାଇବାକୁ କେବେ ବି ଅବହେଳା କରିନାହାନ୍ତି। ସମର୍ଥନ ପାଇଁ ମୁଁ ମୋର ୪ ପିଲାଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି। ମାତା-ପିତା, ଭଉଣୀ, ପ୍ରଶିକ୍ଷକ, ପ୍ରତିଦ୍ବନ୍ଦ୍ବୀ ସମସ୍ତଙ୍କୁ ଧନ୍ୟବାଦ ‌ଜଣାଉଛି।

ଆପଣମାନଙ୍କୁ ବହୁତ ଭଲପାଏ, କେବେ ବି ଛାଡ଼ି ପାରିବିନି
ଫେଡେରର୍‌ ମଧ୍ୟ ପ୍ରଶଂସକଙ୍କ ପାଇଁ ଭାବବିହ୍ବଳ ବାର୍ତ୍ତା ଛାଡ଼ିଛନ୍ତି। ସେ କହିଛନ୍ତି ଯେ ପ୍ରଶଂସକଙ୍କୁ ମୋର ସ୍ବତନ୍ତ୍ର ଧନ୍ୟବାଦ। ଆପଣମାନେ ଜାଣିପାରିବେନି ମୋତେ କେତେ ଶକ୍ତି ଓ ସାହସ ଦେଇଛନ୍ତି। ଦର୍ଶକରେ ଭରା ଷ୍ଟାଡିୟମ୍‌କୁ ଯିବା ସବୁବେଳେ ମୋତେ ରୋମାଞ୍ଚିତ କରିଆସିଛି। ଆପଣଙ୍କ ବିନା ମୋର ସବୁ ସଫଳତା ଖୁସି ଓ ଉଲ୍ଲାସଭରା ହେବା ପରିବର୍ତ୍ତେ ପୂରା ଫିକା ଲାଗିଥା’ନ୍ତା।

ପାରିବାରିକ ଜୀବନ

ରୋଜର ଫେଡେରର୍‌ ୧୯୮୧ ଅଗଷ୍ଟ ୮ ତାରିଖରେ ସ୍ବିଜରଲାଣ୍ଡର ବାସେଲରେ ଜନ୍ମ ଗ୍ରହଣ କରିଥିଲେ। ପିତା ରବର୍ଟ ଫେଡେରର୍‌ ସ୍ବିଜରଲାଣ୍ଡ ଏବଂ ମାତା ଲିନେଟ୍‌ ଦକ୍ଷିଣ ଆଫ୍ରିକାର ହୋଇଥିବାରୁ ଫେଡେରର୍‌ଙ୍କୁ ଏହି ଦୁଇ ଦେଶର ନାଗରିକତ୍ବ ମିଳିଥିଲା। ୨୦୦୯ ଏପ୍ରିଲ ୧୧ ତାରିଖରେ ସେ ପୂର୍ବତନ ସ୍ବିଜରଲାଣ୍ଡ ଖେଳାଳି ମିରୋସ୍ଲାଭା (ମିର୍କା)ଙ୍କୁ ବିବାହ କରିଥିଲେ। ଉଭୟ ୨୦୦୦ ସିଡ୍‌ନି ଅଲିମ୍ପିକ୍‌ରେ ସ୍ବିଜରଲାଣ୍ଡରୁ ପ୍ରତିନିଧିତ୍ବ କରିଥିଲେ। ୨୦୦୨ରେ ମିର୍କା ପାଦଜନିତ ଅଘାତ କାରଣରୁ ଟେନିସରୁ ଦୂରେଇ ଯାଇଥିଲେ। ଉଭୟ ୨୦୦୯ରେ ଯମଜ କନ୍ୟା ସନ୍ତାନର ପିତା ମାତା ହେବାର ସୌଭାଗ୍ୟ ପାଇଥିଲେ। ପୁଣି ୨୦୧୪ରେ ଦୁହେଁ ଯମଜ ପୁତ୍ର ସନ୍ତାନର ପିତା ମାତା ହୋଇଥିଲେ।

Comments are closed.