ଫଳକ ଲଗାଇ ଲୁଟି ନେଲେ ଦେଢ଼ ଲକ୍ଷ ଟଙ୍କା

ଭୋଗରାଇ: ୧୩/୯:  ଗାଁକୁ ଭଲ ରାସ୍ତା ନଥିବାରୁ ବାରମ୍ୱାର ଅଭିଯୋଗ କଲେ ଗ୍ରାମ ବାସୀ। ଆଉ ଏପଟେ ୫ ବର୍ଷ ଧରି ରାସ୍ତା ନିର୍ମାଣକୁ ନେଇ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଗଲା। ହେଲେ କାମ କିନ୍ତୁ ଶୂନ। କେବଳ  ଫଳକ ଲଗାଇ ଦେଢ଼ ଲକ୍ଷ ଟଙ୍କା ଚଳୁ କରିଦେଲେ। ଏମିତିକି ଲାଗିଥିବା ଫଳକ ଏବେ ଓଲଟି ପଡ଼ିବା ସହ ତା’ଉପରେ ଅନାବନା ଗଛଲତା ମାଡ଼ିଗଲାଣି। । ପ୍ରତିବର୍ଷ ପରି ଚଳିତ ବର୍ଷା ଋତୁରେ ଘରୁ ବାହାରିଲେ ରାସ୍ତାରେ ଆଣ୍ଠୁଏ ପାଣି। ଦୀର୍ଘ ବର୍ଷ ହେଲା ୫୦ ରୁ ଅଧିକ ପରିବାର ଏହି ଦୁର୍ଦ୍ଦଶା ଭୋଗ କରିଆସୁଛନ୍ତି। ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ମନ୍ଦାରସାହି ପଞ୍ଚାୟତ ଅନ୍ତର୍ଗତ ହରିପୁର ଗାଁରେ ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଥାଉକି, ମନ୍ଦାରସାହି ପଞ୍ଚାୟତ ସୀମାନ୍ତ ଗାଁ ହରିପୁର ଭିତରେ ଥିବା ରାସ୍ତା ସବୁ ଏବେ ମଧ୍ୟ ମାଟି ରାସ୍ତା ହୋଇ ରହିଛି। ବର୍ଷା ଦିନ ଆସିଲେ ଲୋକଙ୍କ ଯନ୍ତ୍ରଣା ବଢ଼େ। ଲୋକେ ଆଣ୍ଠୁଏ ପାଣିରେ ଘରୁ ବାହାରୁଛନ୍ତି। ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଦୀର୍ଘ ବର୍ଷ ହେଲା ରାସ୍ତା ନିର୍ମାଣ ହୋଇପାରୁ ନାହିଁ। ଗତ ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ଏହି ଗାଁରେ ଥିବା କଚ୍ଚା ରାସ୍ତାଗୁଡ଼ିକୁ ପର୍ଯ୍ୟାୟକ୍ରମେ କଂକ୍ରିଟ ରାସ୍ତାରେ ରୂପାନ୍ତରିତ କରିବେ ବୋଲି ତତ୍କାଳୀନ ବିଜୟୀ ସରପଞ୍ଚ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ୫ ବର୍ଷ ବିତିଗଲା ପରେ ମଧ୍ୟ କାମ ଶୂନ। ଇଞ୍ଚେ ବି ରାସ୍ତା କଂକ୍ରିଟ ହେଲା ନାହିଁ।

ଚାଲାକିର ସହ ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମବାସୀଙ୍କ ଅସନ୍ତୋଷକୁ ଦେଖି ୨୦୨୧-୨୨ ଆର୍ଥିକ ବର୍ଷର ୧୫ ତମ ସିଏଫସି ପାଣ୍ଠିରୁ ଦେଢ଼ ଲକ୍ଷ ଟଙ୍କା ମଞ୍ଜୁର କରାଗଲା। ଏବଂ ୨୦୨୧ ଡିସେମ୍ବର ମାସରେ ଫଳକ ଲଗାଗଲା। ମନ୍ଦାରସାହି ପାଟଣା ଶୀତଳା ମାତା ମନ୍ଦିରଠାରୁ ହରିପୁର କୈଳାସ ଗିରିଙ୍କ ଘର ପର୍ଯ୍ୟନ୍ତ ସବୁଠାରୁ ଗଭୀର ଏବଂ ଅଧିକ ପାଣି ଜମୁଥିବା ରାସ୍ତାକୁ କଂକ୍ରିଟ ରାସ୍ତାରେ ରୂପାନ୍ତରିତ କରିବା ନେଇ ସିଏଫସି ପାଣ୍ଠିରୁ ଦେଢ଼ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା।

ବିଭାଗୀୟ କାର୍ଯ୍ୟାଦେଶ ରହିଥିଲା ବେଳେ ସଂପୃକ୍ତ ଠିକାଦାର ସେଠାରେ ପ୍ରାୟ ଶହେ ଫୁଟ ଲେଖାଏଁ ବାଲି ଓ ମେଟାଲ ଆଣି ଗଚ୍ଛିତ କରିଥିଲେ। ନିର୍ବାଚନ ଶେଷ ହୋଇଗଲା, ହେଲେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ କେବଳ ଫଳକରେ ରହିଗଲା। ପରେ ସଂପୃକ୍ତ ଠିକାଦାର ତଥା ପୂର୍ବତନ ସରପଞ୍ଚ ଗିରିଜା ଶଙ୍କର ଦାସଙ୍କ ପୁଅ ଦୀପକ କୁମାର ଦାସ ଗଚ୍ଛିତ ବାଲି ଓ ମେଟାଲ ଉଠାଇ ନେବାକୁ ଉଦ୍ୟମ କରିଥିଲା ବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ। ସେହି ବାଲି ଓ ମେଟାଲ ଏପର୍ଯ୍ୟନ୍ତ ସେଠାରେ ସେମିତି ଗଚ୍ଛିତ ହୋଇ ରହିଛି। ପରେ ନୂତନ ଭାବେ ନିର୍ବାଚିତ ହୋଇଥିବା ସରପଞ୍ଚ ମମତା ସାହୁଙ୍କୁ ସ୍ଥାନୀୟ ଲୋକେ ଏହି ସମସ୍ୟା ସମ୍ପର୍କରେ ଅବଗତ କରାଇବା ପରେ ସରପଞ୍ଚ ଶ୍ରୀମତି ସାହୁ ମଧ୍ୟ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ରାସ୍ତା ନିର୍ମାଣ କାର୍ଯ୍ୟ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତାହା ମଧ୍ୟ ପ୍ରତିଶ୍ରୁତିରେ ରହିଗଲା।

ଅନ୍ୟପକ୍ଷରେ ମନ୍ଦାରସାହି ପଞ୍ଚାୟତରେ ୨୦୨୧-୨୨ ଆର୍ଥିକ ବର୍ଷର ୧୫ ତମ ସିଏଫସିର କୈାଣସି କାର୍ଯ୍ୟ ବାକି ନଥିବା ପଞ୍ଚାୟତ ସମିତି ସୂତ୍ରରୁ ଜଣାପଡିଛି। ନିର୍ମାଣ କାର୍ଯ୍ୟ ନକରି ସମସ୍ତ ଟଙ୍କା ହଡ଼ପ କରାଯାଇଥିବାକୁ ନେଇ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ ତଦନ୍ତ ପୂର୍ବକ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତୁରନ୍ତ ଏହି ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Comments are closed.