ଏଣିକି ହିନ୍ଦୀରେ ଏମ୍‌ବିବିଏସ୍‌ ପାଠ ପଢ଼ିବେ ପିଲା; ୩ଟି ଇଂରାଜି ଡାକ୍ତରୀ ପୁସ୍ତକର ହେଲା ହିନ୍ଦୀ ଅନୁବାଦ

ଭୋପାଳ: ମଧ୍ୟପ୍ରଦେଶର ୧୩ଟି ସରକାରୀ ଡାକ୍ତରୀ କଲେଜ୍‌ରେ ୩ ପ୍ରକାରର ଏମ୍‌ବିବିଏସ୍‌ ବିଷୟବସ୍ତୁ ଆନାଟୋମି, ଫିଜିଓଲୋଜି ଏବଂ ବାୟୋକେମେଷ୍ଟ୍ରିକୁ ହିନ୍ଦୀରେ ପଢ଼ାଯିବ। ବର୍ତ୍ତମାନ ଏହା କେବଳ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେବ।  ଆସନ୍ତାକାଲି ଭୋପାଳଠାରେ ଇଂରାଜୀରୁ ହିନ୍ଦୀକୁ ଅନୁବାଦ ହୋଇଥିବା ଏହି ଏମ୍‌ବିବିଏସ୍‌ ପାଠ୍ୟକ୍ରମ  ପୁସ୍ତକକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଉନ୍ମୋଚନ କରିବେ।

ଏ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ୍‌ କହିଛନ୍ତି କି ‘ଡାକ୍ତରୀ ପାଠ ହିନ୍ଦୀରେ ପଢ଼ାଯାଇ ପାରିବନି ବୋଲି ଲୋକମାନଙ୍କ ମନରେ ଯେଉଁ ଧାରଣା ରହିଛି ସେ ଧାରଣା ଏବେ ବଦଳିବାକୁ ଯାଉଛି। ହିନ୍ଦୀ ମାଧ୍ୟମରେ ପାଠ ପଢ଼ି ମଧ୍ୟ ଆମେ ଜୀବନରେ ଆଗକୁ ଯାଇପାରିବା ବୋଲି ଏହା ଶିକ୍ଷା ଦେବ। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀଙ୍କ ଅଭିଳାଷ‌ ଯେ ଶିକ୍ଷା ଗ୍ରହଣ ମାତୃଭାଷାରେ ହେବା ଉଚିତ।’

ଏମବିବିଏସ୍ ପାଠ ଲାଗି ହିନ୍ଦୀରେ ବହି ପ୍ରସ୍ତୁତ କରିବା ଲାଗି ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ସେଲ୍ ‘ମନ୍ଦାର’ ଗଠନ କରାଯାଇଥିଲା। ଏହି ସେଲ୍ ଏକ ସୁସଂଯୋଜିତ ପାଠ୍ୟକ୍ରମ ପ୍ରସ୍ତୁତ କରିଥିଲା। ଏଥିରେ ଡାକ୍ତରୀ କ୍ଷେତ୍ରର ବିଶେଷଜ୍ଞମାନେ ସଦସ୍ୟ ରହିଥିଲେ। ୯୭ ମେଡିକାଲ୍‌ କଲେଜ୍‌ର ଶିକ୍ଷକ ଓ ବିଶେଷଜ୍ଞମାନେ ମିଶି ୫,୫୬୮ ଘଣ୍ଟା କ‌ାଳ  ମସ୍ତିଷ୍କ ଖଟାଇ ଏହି ପାଠ୍ୟଖସଡ଼ା ଓ ପୁସ୍ତକ ପ୍ରସ୍ତୁତ କରିଛନ୍ତି।

ଡାକ୍ତରୀ ଶିକ୍ଷା ମନ୍ତ୍ରୀ ବିଶ୍ବାସ ସରଙ୍ଗଙ୍କ କହିବାନୁସାରେ ହିନ୍ଦୀ ପୁସ୍ତକ ସହ ଇଂରାଜୀ ପୁସ୍ତକ ବି ଉପଲବ୍ଧ ରହିବ। ମାତ୍ର ଟେକ୍‌ନିକାଲ୍‌ ଶବ୍ଦ ସବୁ ପୂର୍ବ ପରି ଇଂରାଜିରେ ହିଁ ପଢ଼ିବାକୁ ମିଳିବ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ହିନ୍ଦୀରେ ଡାକ୍ତରୀ ପାଠ ପଢ଼ାଇବାରେ ମଧ୍ୟପ୍ରଦେଶ ହେବ ଦେଶର ପ୍ରଥମ ରାଜ୍ୟ ହେବ।

Comments are closed.