ଗାଡ଼ି ଜରିମାନା ବକେୟା ଇ-ଚାଲାଣରେ ୫୦% ରିହାତି।

ଜାତୀୟ ଲୋକ ଅଦାଲତରେ ପୈଠ ସୁବିଧା ମିଳିବ।

0

ଭୁବନେଶ୍ୱର : ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ନୂତନ ବିଜ୍ଞପ୍ତି ଅନୁଯାୟୀ, ଆଗାମୀ ଜାତୀୟ ଲୋକ ଅଦାଲତରେ ପୁରୁଣା ଇ-ଚାଲାଣ ଏବଂ ଟ୍ରାଫିକ୍ ଜରିମାନା ଉପରେ ବ୍ୟାପକ ରିହାତି ମିଳିବ। ଦୀର୍ଘ ଦିନ ଧରି ଅଦାଲତରେ ପଡ଼ି ରହିଥିବା ହଜାର ହଜାର ମାମଲାର ସମାଧାନ କରିବା ସହ ବିଚାର ବିଭାଗୀୟ ବୋଝ ହ୍ରାସ କରିବା ଲକ୍ଷ୍ୟରେ ସରକାର ଏହି ‘ୱାନ୍ ଟାଇମ୍ ସେଟେଲମେଣ୍ଟ’ ଯୋଜନା ପ୍ରଣୟନ କରିଛନ୍ତି। 

ଏହି ନିର୍ଦ୍ଦେଶନାମା ଅନୁଯାୟୀ, ବିଭିନ୍ନ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିମାନେ ସ୍ୱଳ୍ପ ଜରିମାନା ଦେଇ ନିଜର ମାମଲାକୁ ସବୁଦିନ ପାଇଁ ରଫାଦଫା କରିପାରିବେ। ଏହି ଯୋଜନାରେ ସାଧାରଣ ନିୟମ ଉଲ୍ଲଂଘନ କ୍ଷେତ୍ରରେ ଚାଲାଣରେ ଥିବା ମୂଳ ଜରିମାନା ରାଶିର ମାତ୍ର ୫୦ ପ୍ରତିଶତ ପୈଠ କରିବାକୁ ପଡ଼ିବ।

ବିଶେଷ କରି ହେଲମେଟ୍ ପିନ୍ଧି ନଥିବା, ସିଟ୍ ବେଲ୍ଟ ବାନ୍ଧି ନଥିବା କିମ୍ବା ବାଇକରେ ତିନି ଜଣ ବସି ଯାତ୍ରା କରୁଥିବା ଚାଳକଙ୍କ ପାଇଁ ଜରିମାନା ରାଶିକୁ ମାତ୍ର ୫୦୦ ଟଙ୍କାକୁ କମାଇ ଦିଆଯାଇଛି। ସେହିପରି ରେଡ୍ ଲାଇଟ୍ ଡେଇଁବା, ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ବ୍ୟବହାର କରିବା ଏବଂ ଭୁଲ୍ ଦିଗରେ ଗାଡ଼ି ଚଳାଇବା ଭଳି ସମ୍ବେଦନଶୀଳ ଅପରାଧ ପାଇଁ ୧୦୦୦ ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଛି।

ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ହାଲୁକା ଯାନ ପାଇଁ ହଜାରେ ଟଙ୍କା ଏବଂ ଭାରୀଯାନ ପାଇଁ ୨ ହଜାର ଟଙ୍କା ଦେଇ ମାମଲାର ସମାଧାନ କରାଯାଇପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁମାନେ ଏହି ଲୋକ ଅଦାଲତ ମାଧ୍ୟମରେ ଜରିମାନା ପୈଠ କରିବେ, ସେମାନଙ୍କ ବିରୋଧରେ କୌଣସି ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।

Leave A Reply

Your email address will not be published.