ନ୍ୟାୟଦର୍ଶନର ଦୁର୍ଲଭ ଗବେଷଣାରେ”ବିଦ୍ୟାବାରିଧି” ଉପାଧି ହାସଲ କଲେ ପାରଳାର ଡଃ ବିଶ୍ୱଭୂଷଣ ମିଶ୍ର ।

0

ଗଜପତି, ୯।୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଭାରତୀୟ ଦର୍ଶନ, ନ୍ୟାୟଶାସ୍ତ୍ର ଓ ସଂସ୍କୃତ ଶାସ୍ତ୍ରଚର୍ଚ୍ଚାର ଏକ ଗଭୀର ଓ ଦୁର୍ଲଭ ବିଷୟ ଉପରେ ଉଚ୍ଚସ୍ତରୀୟ ଗବେଷଣା କରି ବିଦ୍ୟାବାରିଧି (Ph.D.) ଉପାଧି ହାସଲ କରିଛନ୍ତି ପାରଳାଖେମୁଣ୍ଡିର ସୁଯୋଗ୍ୟ ସନ୍ତାନ ଡଃ ବିଶ୍ୱଭୂଷଣ ମିଶ୍ର। ତାଙ୍କର ଏହି ସଫଳତା ପରିବାର ଓ ଆତ୍ମୀୟସ୍ୱଜନଙ୍କ ସହ ପାରଳାର ସାରସ୍ୱତ ଓ ଶିକ୍ଷାକ୍ଷେତ୍ରରେ ମଧ୍ୟ ଆନନ୍ଦ ଓ ଗୌରବମୟ ପରିବେଶ ସୃଷ୍ଟି କରିଛି।ପିତାଶ୍ରୀ ରଘୁନାଥ ମିଶ୍ରଙ୍କ ସୁପୁତ୍ର ଡଃ ବିଶ୍ୱଭୂଷଣ ମିଶ୍ରଙ୍କ ପୈତୃକ ସମ୍ପର୍କ କତଲକଇଠା ଗ୍ରାମ ସହ ଥିବାବେଳେ ବର୍ତ୍ତମାନ ସେ ପୋଷ୍ଟ ଅଫିସ ଲେନ୍, ପାରଳାଖେମୁଣ୍ଡିରେ ଅବସ୍ଥାନ କରୁଛନ୍ତି।ଗଭୀର ଶାସ୍ତ୍ରୀୟ ବିଷୟରେ ଗବେଷଣାରତ ଡଃ ମିଶ୍ରଙ୍କ Ph.D. ଗବେଷଣାର ବିଷୟ—
“न्यायसूत्रभाष्यवार्त्तिकतात्पर्यटीकापरिशुद्धिदीशाहेत्वाभासपदार्थतत्त्वसमीक्षणम्” ଥିଲା।ଏହା ଭାରତୀୟ ନ୍ୟାୟଦର୍ଶନର ଏକ ଗଭୀର ଶାସ୍ତ୍ରୀୟ ପରମ୍ପରା ସହ ସମ୍ପୃକ୍ତ‌ଅଟେ। ନ୍ୟାୟସୂତ୍ର, ତାହାର ଭାଷ୍ୟ, ବାର୍ତ୍ତିକ, ତାତ୍ପର୍ଯ୍ୟଟୀକା ଓ ପରିଶୁଦ୍ଧି ପରି ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥପରମ୍ପରାକୁ ଆଧାର କରି ହେତ୍ୱାଭାସ ଓ ପଦାର୍ଥତତ୍ତ୍ୱର ସ୍ୱରୂପ, ତାତ୍ତ୍ୱିକ ଆଧାର ଓ ଶାସ୍ତ୍ରୀୟ ବିଚାରଧାରାର ସମୀକ୍ଷା ଏହି ଗବେଷଣାର ମୁଖ୍ୟ ଆକର୍ଷଣ ଅଟେ।ନ୍ୟାୟଦର୍ଶନରେ ‘ହେତୁ’ ହେଉଛି ଅନୁମାନର ଏକ ମୌଳିକ ଅଂଶ,ଯେଉଁ ହେତୁ ସାଧ୍ୟକୁ ଯଥାର୍ଥ ଭାବେ ସିଦ୍ଧ କରିବାରେ ବିଫଳ ହୁଏ, ତାହାକୁ ହେତ୍ୱାଭାସ ବୋଲି କୁହାଯାଏ। ଯୁକ୍ତିର ଶୁଦ୍ଧତା, ତର୍କର ବୈଧତା ଓ ଜ୍ଞାନର ପ୍ରାମାଣିକତା ବିଚାର କ୍ଷେତ୍ରରେ ଏହାର ବିଶେଷ ଗୁରୁତ୍ୱ ରହିଛି।ସେହିପରି ପଦାର୍ଥତତ୍ତ୍ୱ ନ୍ୟାୟ-ବୈଶେଷିକ ଦର୍ଶନର ମୌଳିକ ତତ୍ତ୍ୱଗୁଡ଼ିକୁ ବୁଝିବାର ଏକ ପ୍ରମୁଖ ଆଧାର। ତେଣୁ ଡଃ ମିଶ୍ରଙ୍କ ଗବେଷଣା ଭାରତୀୟ ତର୍କଶାସ୍ତ୍ର ଓ ଦାର୍ଶନିକ ଚିନ୍ତନର ପ୍ରାଚୀନ ପରମ୍ପରାକୁ ଆଧୁନିକ ଗବେଷଣା ଦୃଷ୍ଟିରେ ଅନୁଧ୍ୟାନ କରିବାର ଏକ ଉଲ୍ଲେଖନୀୟ ପ୍ରୟାସ ବୋଲି ମନେ କରାଯାଉଛି।ନିଜର ଏହି ସଫଳତାକୁ ଡଃ ମିଶ୍ର କେବଳ ନିଜର ସାଧନାର ଫଳ ଭାବେ ନ ଦେଖି ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ଶ୍ରୀରାଧାରାଣୀଙ୍କ କୃପା, ମାତାପିତାଙ୍କ ଆଶୀର୍ବାଦ, ଗୁରୁଜନଙ୍କ ମାର୍ଗଦର୍ଶନ, ଶିକ୍ଷକମାନଙ୍କ ପ୍ରେରଣା ଏବଂ ପରିବାର ଓ ଶୁଭେଚ୍ଛୁମାନଙ୍କ ସ୍ନେହକୁ ଏହାର ମୂଳ ଆଧାର ବୋଲି ଉଲ୍ଲେଖ କରିଛନ୍ତି।ଏହି ଅବସରରେ ସେ ଶ୍ରୀ ସି. ପି. ରାଧାକୃଷ୍ଣନ, ଡଃ ସୁକାନ୍ତ ମଜୁମଦାର, ପ୍ରଫେସର ଶ୍ରୀନିବାସ ବର୍ଖେଡ଼ି, ପ୍ରଫେସର ମୁରଲୀ ମନୋହର ପାଠକ, ମହର୍ଷି ପାଣିନି ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି, ପ୍ରଫେସର ଶିବଶଙ୍କର ମିଶ୍ର ଓ ପ୍ରଫେସର ବିଷ୍ଣୁପଦ ମହାପାତ୍ରଙ୍କ ସମେତ ତାଙ୍କର ଗବେଷଣା ଯାତ୍ରାରେ ସହଯୋଗ, ମାର୍ଗଦର୍ଶନ ଓ ଆଶୀର୍ବାଦ ପ୍ରଦାନ କରିଥିବା ସମସ୍ତ ଗୁରୁଜନ ଓ ଶୁଭେଚ୍ଛୁଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।ପାରଳାଖେମୁଣ୍ଡି ଦୀର୍ଘଦିନ ଧରି ଶିକ୍ଷା, ସାହିତ୍ୟ, ସଂସ୍କୃତି ଓ ଶାସ୍ତ୍ରଚର୍ଚ୍ଚାର ଏକ ସମୃଦ୍ଧ ପରମ୍ପରା ବହନ କରିଆସିଛି। ଏହି ପରମ୍ପରାର ମାଟିରୁ ଜଣେ ଗବେଷକ ଭାରତୀୟ ଦର୍ଶନର ଏତେ ଗଭୀର ଏବଂ ପ୍ରାଚୀନ ଶାସ୍ତ୍ରୀୟ ବିଷୟକୁ ନେଇ ଗବେଷଣା କରି ବିଦ୍ୟାବାରିଧି ଉପାଧି ହାସଲ କରିବା ନିଶ୍ଚିତ ଭାବେ ସହରବାସୀଙ୍କ ପାଇଁ ଗର୍ବର ବିଷୟ।ଡଃ ବିଶ୍ୱଭୂଷଣ ମିଶ୍ରଙ୍କ ଏହି ସଫଳତା କେବଳ ଏକ ଶିକ୍ଷାଗତ ଉପାଧି ନୁହେଁ; ବରଂ ଭାରତୀୟ ଦର୍ଶନ ଓ ଶାସ୍ତ୍ରୀୟ ଜ୍ଞାନ ପରମ୍ପରା ପ୍ରତି ତାଙ୍କର ଦୀର୍ଘ ଅଧ୍ୟୟନ, ନିଷ୍ଠା ଓ ସାଧନାର ସ୍ୱୀକୃତି । ତାଙ୍କର ଏହି ଗବେଷଣା ଆଗାମୀ ପିଢ଼ିର ଛାତ୍ରଛାତ୍ରୀ ଓ ଶାସ୍ତ୍ରପ୍ରେମୀମାନଙ୍କୁ ଭାରତୀୟ ଦର୍ଶନର ଗଭୀର ଅଧ୍ୟୟନ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ ପାଇଛି।ପାରଳା ମାଟିର ଏହି ସୁଯୋଗ୍ୟ ସନ୍ତାନଙ୍କ ଗୌରବମୟ ସଫଳତା ପାଇଁ ଅଭିନନ୍ଦନର ସୁଅ ଛୁଟିଛି।ତାଙ୍କର ଜ୍ଞାନ ସାଧନା ଆହୁରି ବିସ୍ତୃତ ହେଉ, ଭାରତୀୟ ଦର୍ଶନ ଓ ସଂସ୍କୃତ ଶାସ୍ତ୍ରଚର୍ଚ୍ଚାରେ ତାଙ୍କର ଅବଦାନ ଆହୁରି ସମୃଦ୍ଧ ହେଉ ବୋଲି ପାରଳାବାସୀ ଶୁଭେଚ୍ଛା ବାର୍ତ୍ତାରେ ଜଣାଇଛନ୍ତି।

Leave A Reply

Your email address will not be published.