ଭୁବନେଶ୍ୱର, ୨୭ା୦୮: ସକ୍ଷମ ଓଡ଼ିଶା ପୂର୍ବ ପକ୍ଷରୁ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାଠାରେ ଏକ ବୃହତ୍ ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ପ୍ରାୟ ୫୦୦ ଜଣ ଅଂଶଗ୍ରହଣ କରିଥିବାବେଳେ ୧୮୨ ଜଣ ଦିବ୍ୟାଙ୍ଗଜନଙ୍କୁ ବିଭିନ୍ନ ପ୍ରକାରର ସହାୟକ ଉପକରଣ ବଣ୍ଟନ କରାଯାଇଛି।
ଏହି ଅବସରରେ ମୋଟରାଇଜଡ଼ ବ୍ୟାଟେରୀ ଚାଳିତ ଯାନ, ହ୍ୱିଲଚେୟାର, ଟ୍ରାଇସାଇକେଲ, କମୋଡ୍ ହ୍ୱିଲଚେୟାର, କ୍ରଚ୍, ସହାୟକ ବେଲ୍ଟ, ଭେଷ୍ଟ ଓ ହିୟାରିଂ ଏଡ୍ ଆଦି ଉପକରଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଏହା ଦ୍ୱାରା ଦିବ୍ୟାଙ୍ଗଜନଙ୍କ ଗତିଶୀଳତା, ସ୍ୱାଧୀନତା, ଆତ୍ମନିର୍ଭରଶୀଳତା ଓ ସମ୍ମାନଜନକ ଜୀବନଯାପନରେ ସହାୟତା ମିଳିବ।
ସମାବେଶକୁ ସମ୍ବୋଧନ କରି ମୁଖ୍ୟ ଅତିଥି ଖଣ୍ଡପଡ଼ାର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ସମାବେଶୀ ସମାଜ ଗଠନ ଓ ଦିବ୍ୟାଙ୍ଗଜନଙ୍କୁ ସଶକ୍ତ କରିବା ଦିଗରେ ସକ୍ଷମର ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲାମାଜିଷ୍ଟ୍ରେଟ୍ ମଧୁମିତା ରଥ ଏକ ନ୍ୟାୟସଙ୍ଗତ ଓ ସୁସ୍ଥ ସମାଜ ଗଠନ ପାଇଁ ସାମୂହିକ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ।



ଅନ୍ୟମାନଙ୍କ ମଧ୍ୟରେ ସକ୍ଷମର ଜାତୀୟ ଉପାଧ୍ୟକ୍ଷ କମଳାକାନ୍ତ ପାଣ୍ଡେ, ଜାତୀୟ ମହାସଚିବ ଉମେଶ ଅନ୍ଧାରେ, ଓଡ଼ିଶା ରାଜ୍ୟ ସଚିବ ମନସ୍ମିତା ଜେନା, ନୟାଗଡ଼ ଶାଖା ସଭାପତି ଅଖିଲ ମହାରଣା ଓ ଏସ୍ଭିଏନ୍ଆଇଆର୍ଟିଏଆର୍ର ନିର୍ଦ୍ଦେଶକ ପି.ପି. ମହାନ୍ତିଙ୍କ ସମେତ ବହୁ ସ୍ୱେଚ୍ଛାସେବୀ, ସାମାଜିକ କର୍ମୀ ଓ ସମୁଦାୟର ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।
ପ୍ରକୃତ ସଶକ୍ତିକରଣ କେବଳ ସହାୟତା ପ୍ରଦାନ କରିବା ନୁହେଁ — ଏହା ସୁଯୋଗ ସୃଷ୍ଟି କରିବା, ଆତ୍ମବିଶ୍ୱାସ ପୁନଃସ୍ଥାପନ କରିବା ଏବଂ ପ୍ରତ୍ୟେକ ଦିବ୍ୟାଙ୍ଗଜନଙ୍କୁ ସମାଜରେ ଗର୍ବର ସହିତ ଠିଆ ହେବାକୁ ସକ୍ଷମ କରିବା ବୋଲି ସକ୍ଷମ ଓଡ଼ିଶା ପୂର୍ବ ପକ୍ଷରୁ ଦର୍ଶା ଯାଇଥିଲା । “ ସକ୍ଷମ ଭାରତ : ସମର୍ଥ ଭାରତ”ଗଠନର ବୃହତ ଲକ୍ଷ୍ୟକୁ ସାକାର କରିବା ଦିଗରେ ଓଡ଼ିଶାରେ ଦିବ୍ୟାଙ୍ଗଜନ ମାନଙ୍କର ସଶକ୍ତିକରଣ, ସ୍ୱାବଲମ୍ବନ ଓ ସମ୍ମାନଜନକ ଜୀବନ ଧାରଣକୁ ସୁନିଶ୍ଚିତ କରିବା ନେଇ ସକ୍ଷମ ଓଡ଼ିଶା ପୂର୍ବ ପକ୍ଷରୁ ଏଭଳି ପ୍ରୟାସ ଆଗାମୀ ଦିନରେ ମଧ୍ୟ ଜାରୀ ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।