ଗଜପତି,୧୧.୭(ମନୋଜ ପାଢ଼ୀ) : ଗଜପତି ଜିଲ୍ଲାରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହିତ ଅପରାଧ ନିୟନ୍ତ୍ରଣକୁ ଅଧିକ ପ୍ରଭାବଶାଳୀ କରିବା ଏବଂ ଚାଲୁଥିବା ବିଭିନ୍ନ ମାମଲାର ତଦନ୍ତ ଅଗ୍ରଗତି ସମୀକ୍ଷା କରିବା ଉଦ୍ଦେଶ୍ୟରେ ଜିଲ୍ଲା ପୁଲିସ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ କ୍ରାଇମ୍ ରିଭ୍ୟୁ ବୈଠକ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ଗଜପତି ଜିଲ୍ଲା ଏସପି ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାର ସମସ୍ତ ସବ୍-ଡିଭିଜନାଲ୍ ପୁଲିସ ଅଧିକାରୀ, ଥାନା ଅଧିକାରୀ, ତଦନ୍ତକାରୀ ଅଧିକାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ । ଜିଲ୍ଲାରେ ବର୍ତ୍ତମାନର ଆଇନ ଶୃଙ୍ଖଳା ପରିସ୍ଥିତି, ଗୁରୁତ୍ୱପୂର୍ଣ୍ଣ ଅପରାଧିକ ମାମଲାର ତଦନ୍ତ, ଫେରାର ଅଭିଯୁକ୍ତଙ୍କୁ ଗିରଫ, ୱାରେଣ୍ଟ କାର୍ଯ୍ୟକାରୀକରଣ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ ଏବଂ ଟ୍ରାଫିକ୍ ପରିଚାଳନା ସମ୍ପର୍କରେ ବୈଠକରେ ବିସ୍ତୃତ ସମୀକ୍ଷା କରାଯାଇଥିଲା ।ଏସ୍ପି ସମସ୍ତ ପୁଲିସ ଅଧିକାରୀଙ୍କୁ ଲୋକଙ୍କ ଅଭିଯୋଗର ତ୍ୱରିତ ସମାଧାନ, ମାମଲାର ଶୀଘ୍ର ତଦନ୍ତ, ଅପରାଧ ରୋକିବା ପାଇଁ ନିୟମିତ ପାଟ୍ରୋଲିଂ, ଗୁଇନ୍ଦା ସୂଚନା ସଂଗ୍ରହ ଓ ସମ୍ବେଦନଶୀଳ ଅଞ୍ଚଳରେ କଡ଼ା ନଜର ରଖିବାକୁ ବୈଠକରେ ନିର୍ଦ୍ଦେଶ ଦେଇଥିଲେ । ତା ସହ ସାଧାରଣ ଲୋକଙ୍କ ସହିତ ପୁଲିସର ସମନ୍ୱୟ ବୃଦ୍ଧି କରି ଜନବନ୍ଧୁ ପୁଲିସ୍ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ବୈଠକ ଶେଷରେ ଗଜପତି ପୁଲିସ୍ ପକ୍ଷରୁ ଜିଲ୍ଲାବାସୀଙ୍କୁ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଏବଂ ଅପରାଧମୁକ୍ତ ପରିବେଶ ପ୍ରଦାନ କରିବା ପାଇଁ ପୁଲିସ୍ ସଦା ପ୍ରତିବଦ୍ଧ ବୋଲି ଦୃଢ଼ତାର ସହ ପ୍ରକାଶ କରାଯାଇଥିଲା । ସାଧାରଣ ଲୋକଙ୍କ ସହଯୋଗରେ ଜିଲ୍ଲାରେ ଆଇନ ଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା ଦିଗରେ ଗଜପତି ପୁଲିସ କାର୍ଯ୍ୟ ଜାରି ରଖିବ ବୋଲି ସୂଚନା ଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.