ଗଜପତି,୪.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଜିଲ୍ଲାସ୍ତରୀୟ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ, ମାନ୍ୟବର ବିଧାୟକ ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ, ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀଦ୍ର ହନାଗା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ. ପ୍ରକାଶ ରାଓ,ଉଦ୍ୟାନ ବିଭାଗ, ଉପନିର୍ଦ୍ଦେଶକ ଶ୍ରୀ ଦୁଷ୍ମନ୍ତ ବେହେରା,ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ, ଶ୍ରୀ ଶିବଚରଣ ସେଠୀ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଶ୍ରୀ ନିରୋଦ ଚନ୍ଦ୍ର ନାୟକ ଓ ବରିଷ୍ଠ ବୈଜ୍ଞାନିକ କେଭିକେ ଆର. ଉଦୟଗିରି ଡ଼.ସଂଗ୍ରାମ ପରମଗୁରୁ ପ୍ରମୁଖ ଯୋଗ ଦେଇଥିଲେ।ଜିଲ୍ଲାର କୃଷକମାନଙ୍କର ଆୟ ବୃଦ୍ଧି ଓ କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ କୃଷକ ସାହାୟତା ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା କେନ୍ଦ୍ର ସରକାରଙ୍କ ପିଏମ-କିଷାନ ଯୋଜନା ସହିତ ସମନ୍ୱୟରେ କାର୍ଯ୍ୟ କରୁଛି।ଜିଲ୍ଲାର ଚାଷୀମାନଙ୍କୁ କ୍ଷୁଦ୍ର ଏବଂ ନାମମାତ୍ର କୃଷକଙ୍କୁ ସିଧାସଳଖ ଆର୍ଥିକ ସହାୟତା ଯୋଗାଇବା ,ସେହିପରି ପୋଷଣ ସୁରକ୍ଷା ଯୋଜନାରେ କୃଷକ ପରିବାରରେ ଖାଦ୍ୟ ଆବଶ୍ୟକତା ପୂରଣ କରିବା, କୃଷିର ଉନ୍ନତି ନିମନ୍ତେ ଉନ୍ନତ ବିହନ, ସାର, କୃଷି ଉପକରଣ କ୍ରୟ ନିମନ୍ତେ ଏହି ସହାୟତା ପ୍ରଦାନ କରାଯାଇଛି।ସେହିପରି ସାମାଜିକ ସୁରକ୍ଷା ଭୂମିହୀନ କୃଷିକ ମାନଙ୍କୁ ଓ ଆର୍ଥିକ ସହାୟତା ରାଶି ପ୍ରଦାନ ଓ ଦାରିଦ୍ର୍ୟତା ହ୍ରାସ କରିବା ଏବଂ ଗ୍ରାମୀଣ ଅଞ୍ଚଳରେ ଦୁର୍ବଳ କୃଷକମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ ନିମନ୍ତେ ଜିଲ୍ଲାର କୃଷକ ମାନଙ୍କୁ ପିଏମ୍ କିଷାନ୍ ଯୋଜନା ଅନୁସାରେ କୃଷକମାନଙ୍କୁ ବର୍ଷକୁ ୬ ହଜାର ଟଙ୍କା ଦିଆଯାଉଛି। ସେହିପରି ରାଜ୍ୟରେ ସିଏମ କିଷାନ୍ ସହାୟତା ଦ୍ବାରା କ୍ଷୁଦ୍ର ଏବଂ ନାମମାତ୍ର କୃଷକଙ୍କୁ ୪ ହଜାର ଟଙ୍କା ପ୍ରତିବର୍ଷ ସହାୟତା ରାଶି ପ୍ରଦାନ କରାଯାଉଛି। ଏହି ସହାୟତା ରାଶି କୃଷକମାନଙ୍କୁ ଡିବିଟି ମାଧ୍ୟମରେ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରାଯାଇଛି। ସିଏମ କିଷାନ ଯୋଜନାରେ ହସ୍ତାନ୍ତର ହେଉଥିବା ଏହି ସହାୟତା ରାଶି ଚାଷୀ ମାନଙ୍କୁ ଅତ୍ୟାବଶ୍ୟକୀୟ କୃଷି ସମାଗ୍ରୀ ଯଥା ବିହନ, ସାର, କୀଟନାଶକ ଇତ୍ୟାଦି ଆବଶ୍ୟକତା ଅନୁଯାୟୀ କିଣିବାରେ ନିଶ୍ଚିତ ରୂପେ ସହାୟତା କରିବ। ସେହିପରି ଗଜପତି ଜିଲ୍ଲାରେ-୨୦୨୬ ରବି ଚାଷ ନିମନ୍ତେ ସିଏମ କିଷାନ୍ ଯୋଜନାରୁ ୪୭,୨୪୩ ଜଣ କୃଷକଙ୍କୁ ସମୁଦାୟ ୯ କୋଟି ୫୩ ଲକ୍ଷ ୫୧ ହଜାର ୫ ଶହ ଟଙ୍କା ସହାୟତା ରାଶି ଜିଲ୍ଲାର ଚାଷୀଙ୍କୁ ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ରବିନ୍ଦ୍ର କୁମାର ଆଧେକ, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ସୁରଜ କୁମାର ପାତ୍ର ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ , କୃଷକ ଭାଇ ଭଉଣୀ ଓ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ପ୍ରିୟଦର୍ଶିନୀ ପରିଚାଳନା କରିଥିଲେ।