ନୂଆଦିଲ୍ଲୀ : ଜାତୀୟ ସ୍ତରରେ ଓଡ଼ିଶାର ୫ଟି ପଞ୍ଚାୟତକୁ ପୁରସ୍କୃତ କରାଯାଇଛି । ଦୀନଦୟାଲ ଉପାଧ୍ୟାୟ ସତତ ବିକାଶ ପୁରସ୍କାର ଓ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାରରେ ୨୦୨୫ ବର୍ଷ ପାଇଁ ୫ଟି ପଞ୍ଚାୟତକୁ ଏହି ପୁରସ୍କାର ମିଳିଛି । ନୂଆଦିଲ୍ଲୀରେ ଏକ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଏହି ପଞ୍ଚାୟତ ଗୁଡିକ ହେଲା –
ସାରା ଦେଶରେ ସ୍ୱସ୍ଥ (Healthy) ପଞ୍ଚାୟତ ତାଲିକାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ପୋଟଲାମପୁର ପଞ୍ଚାୟତ ୩ ନମ୍ୱର ରାଙ୍କରେ ରହିଛି । ପର୍ଯ୍ୟାପ୍ତ ପାଣି ଥିବା ପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡୁଆ ପଞ୍ଚାୟତ ତୃତୀୟ ସ୍ଥାନରେ ରହିଛି । ଏହି ପଞ୍ଚାୟତର ଜଳ ସୁପରିଚାଳନା ଦେଶର ଦୃଷ୍ଟି ଆକର୍ଷଣ କରିଛି ।
ସେହିପରି ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧ ପଞ୍ଚାୟତ ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ଭାବେ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ପଞ୍ଚାୟତରେ ଆବର୍ଜନାରୁ କମ୍ପୋଷ୍ଟ କରାଯାଇ ଗଛରେ ଦିଆଯାଉଛି । ସବୁଜ ପରିବେଶ ବି ସୃଷ୍ଟି କରାଯାଇଛି । ସାମାଜିକ ନିରାପତ୍ତା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତ ଦେଶରେ ହୋଇଛି ଦ୍ୱିତୀୟ । ଗଞ୍ଜାମ ଜିଲ୍ଲା ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ ସାରା ଦେଶରେ ଦ୍ୱିତୀୟ ରାଙ୍କରେ ରହିଛି ।
କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ରାଜ୍ୟ ପଞ୍ଚାୟତିରାଜ ବିଭାଗକୁ ଏ ସଂପର୍କରେ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି । ନିର୍ଦ୍ଦିଷ୍ଟ ବର୍ଗରେ ବିଶେଷ କାର୍ଯ୍ୟ ଓ ସଫଳତା ପାଇଁ ଏହି ପଞ୍ଚାୟତଗୁଡିକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।