ଦିଲ୍ଲୀ ପୌର ନିର୍ବାଚନ: ଭୋଟର୍‌ ତାଲିକାରୁ ନାଁ କଟାଯାଇଥିବା ନିର୍ବାଚନ କମିସନ୍‌ରେ ଅଭିଯୋଗ କଲା ‘ବିଜେପି’

ନୂଆଦିଲ୍ଲୀ: ‘ଦିଲ୍ଲୀ ମହାନଗର ନିର୍ବଚାନ’ରେ ଆଚରଣ ସଂହିତା ଓ ନିର୍ବାଚନ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବାରୁ ‘ଆପ୍‌’ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଜି ନିର୍ବାଚନ କମିସନ୍‌ରେ ଅଭିଯୋଗ କରିଛି।

ଟୁଇଟ୍‌ କରି ଦିଲ୍ଲୀ ‘ବିଜେପି’ ଲେଖିଛି, ଗତରାତିରେ ‘ଆପ୍‌’ର ଦୁର୍ଗେଶ ପାଠକ ଓ ବିଜେନ୍ଦ୍ର ଗର୍ଗ ନିର୍ବାଚନ ଆଚରଣ ସଂହିତା ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଛନ୍ତି ବୋଲି ଭିଡିଓ ପ୍ରମାଣ ଆଧାରରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ‘ବିଜେପି’ ନିର୍ବାଚନ କମିସନ୍‌ରେ ପହଞ୍ଚିଛି।

ଭୋଟର୍‌ ତାଲିକାର କେତେଜଣଙ୍କ ନାଁ କାଟି ଦିଆଯାଇଥିବା କଥା ମଧ୍ୟ ‘ବିଜେପି’ ଅଭିଯୋଗ କରିଛି। ଗଣମାଧ୍ୟମକୁ ‘ବିଜେପି’ ସାଂସଦ ମନୋଜ ତିୱାରି କହିଛନ୍ତି, ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ତାଙ୍କ ଦଳ ପୁନଃନିର୍ବାଚନ ପାଇଁ ଦାବି କରିବ।

ସେହିପରି, ଭୋଟର୍‌ ତାଲିକାରେ ତାଙ୍କ ନାଁ ନାହିଁ ବୋଲି ଆଜି ଦିଲ୍ଲୀ କଂଗ୍ରେସ ମୁଖ୍ୟ ତଥା ପୂର୍ବତନ ବିଧାୟକ ଅନୀଲ ଚୌଧୁରୀ କହିବା ସହିତ ଅଭିଯୋଗ କରିଛନ୍ତି ଯେ, ‘ବିଜେପି’ ତାଙ୍କ ନାଁ କାଟି ଦେଇଛି। ବୁଥ୍‌ରେ ପହଞ୍ଚିବା ପରେ ତାଲିକାରେ ତାଙ୍କ ନାଁ ନ ମିଳିବାରୁ ସେ ଭୋଟ୍‌ ଦେବାରୁ ବଞ୍ଚିତ ହୋଇଥିବା କଥା କହିଛନ୍ତି।

ଗଣମାଧ୍ୟମକୁ ସେ କହିଛନ୍ତି, ଭୋଟର୍‌ ତାଲିକାରେ ଆହୁରି ଅନେକଙ୍କ ନାଁ ନ ଥିବା ବିଷୟରେ ସେ ସମଗ୍ର ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ଫୋନ୍‌ କଲ୍‌ ପାଉଛନ୍ତି। ଭୋଟର୍‌ ତାଲିକାରୁ ଲକ୍ଷ ଲକ୍ଷ ଲୋକଙ୍କ ନାଁ କାଟି ଦିଆଯାଇଛି। ନିର୍ବାଚନ ଜିଣିବାର ଆଶା ନ ଥିବାରୁ ‘ବିଜେପି’ ଏ କାର୍ଯ୍ୟ କରିଛି। ସେଥିପାଇଁ ପୂର୍ବରୁ ୱାର୍ଡ ସଂଖ୍ୟା ବି ହ୍ରାସ କରିଥିଲା।

Comments are closed.