ବରଗଡ଼ : ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ରେ ଧନୁଯାତ୍ରା ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବ। ଏହି ଧନୁଯାତ୍ରା ମହୋତ୍ସବର ଗୋପପୁର ଯାତ୍ରାର ଆକର୍ଷଣ ନିଆରା। ତେବେ ଏଥର ଗୋପପୁର ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବୁଧବାର ଉପଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଗୋପପୁର କମିଟି ବୈଠକରେ ମତପ୍ରକାଶ ପାଇଛି। ମହାଆଡ଼ମ୍ବରରେ ପାଳନ ପାଇଁ ଧନୁଯାତ୍ରା ମହୋତ୍ସବ ସମିତି ତଥା ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବୈଠକରେ ଉପଜିଲାପାଳ ଲଲାଟ ଲୁହା ଅଧ୍ୟକ୍ଷତା କରିଥିବା ବେଳେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ମଞ୍ଚାସୀନ ଥିଲେ। ଏହା ପ୍ରଥମ ବୈଠକ ହୋଇଥିବା ବେଳେ ଆଗାମୀ ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗୋପପୁର କମିଟିର ସଦସ୍ୟମାନେ ମତାମତ ଦେଇଥିଲେ। କଳାକାର ଚୟନ, ମଞ୍ଚ ସାଜସଜ୍ଜା, ଆଲୋକୀକରଣ, ଅସ୍ଥାୟୀ ଶୌଚାଳୟ, ପିଇବା ପାଣି ବ୍ୟବସ୍ଥା, ଅସ୍ଥାୟୀ ଦୋକାନୀମାନଙ୍କ ସୁବନ୍ଦୋବସ୍ତ ଉପରେ ଆଲୋଚନା ହୋଇଥିଲା। ଏହା ସହିତ ପରମ୍ପରା ଅନୁଯାୟୀ ଅକ୍ରୁର ଗୋପପୁରରୁ ମଥୁରା ନଗରୀକୁ କୃଷ୍ଣ ବଳରାମଙ୍କୁ ନେଇକି ଆସିବା ପୂବରୁ ଯେଉଁ ନାବକେଳୀ ଦୃଶ୍ୟ ମନାବନ୍ଧରେ ଅନୁଷ୍ଠିତ ହେଉଛି। ଏହି ବିଷୟରେ ବିଚାରବିମର୍ଶ କରି ଉକ୍ତ ଦୃଶ୍ୟ ମଧ୍ୟ ଗୋପପୁରରେ କରିବା ପାଇଁ କମିଟି ପକ୍ଷରୁ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିଲା। ବୈଠକରେ ଗୋପପୁର କମିଟି ପକ୍ଷରୁ ଇଶ୍ୱର ବାଗ, କୃଷ୍ଣ ମହାପାତ୍ର, ସୁରେଶ ମହାପାତ୍ର, ସୁନିଲ ଶର୍ମା, ଦୟାନିଧି ପ୍ରଧାନ, ରବିନ୍ଦ୍ର ରଞ୍ଜନ ପୂଜାରୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଉପଜିଲାପାଳଙ୍କ ନିଷ୍ପତ୍ତି ଅନୁସାରେ ଆଗାମୀ ବୈଠକ ଗୋପପୁରରେ ଆସନ୍ତା ଶନିବାର ହେବ ବୋଲି ସୂଚନା ଦିଆଯାଇଛି
Sign in
Sign in
Recover your password.
A password will be e-mailed to you.
Comments are closed.