ଦେଇଥିଲେ ପାଇ

ଇନ୍ଦ୍ରପ୍ରସ୍ଥରେ ଯୁଧିଷ୍ଠିରଙ୍କ ନୂଆରାଜଧାନୀ ପ୍ରତିଷ୍ଠା ପରେ, ଦୂର୍ଯ୍ୟୋଧନ ପାଣ୍ଡବଙ୍କ ଐଶ୍ୱର୍ଯ୍ୟକୁ ଦେଖି ଅତ୍ୟନ୍ତ ଈର୍ଷାନ୍ୟିତ ହୋଇ ପଡ଼ିଲା। ତା’ର ରାଗ ଆହୁରି ବଢ଼ି ଗଲା, ଯେତେବେଳେ ଇନ୍ଦ୍ରପ୍ରସ୍ଥରେ ସେ ଚଟାଣ ଉପରେ ଜଳକୁ ସ୍ଥଳ ଓ ସ୍ଥଳକୁ ଜଳ
ମନେକରି ଦ୍ରୌପଦୀ ଓ ଭୀମଙ୍କଦ୍ୱାରା ଉପହସିତ ହେଲା। ସେହି ଦିନରୁ ସେ ପାଣ୍ଡବମାନଙ୍କୁ କିପରି ରାଜ୍ୟ ଚ୍ୟୁତ କରି, ତାଙ୍କର ସର୍ବସ୍ବ ହରଣ କରିବ ସେହି ଚିନ୍ତାରେ ରହିଲା।
ଏହି ସମୟରେ ଦ୍ରୌପଦୀ ଦିନେ ଯମୁନାକୁ ସ୍ନାନ କରିବାକୁ ଯାଇଥାନ୍ତି । ସ୍ନାନ କରିବାକୁ ଯାଉଛନ୍ତି ସେ ଅଳ୍ପ ଦୂରରେ ଜଣେ ସାଧୁଙ୍କୁ ସ୍ନାନ କରୁଥିବା ଦେଖିଲେ। ସାଧୁ ଜଣକ, କେବଳ ଖଣ୍ଡେ ଧୋତୀ ପିନ୍ଧିଥାନ୍ତି। ସେ ଆଉ ଖଣ୍ଡେ ଧୋତୀ ବଦଳାଇବା ପାଇଁ କୂଳରେ ରଖିଦେଇ ସ୍ନାନପାଇଁ ନଦୀକୁ ପଶି ଥାନ୍ତି। ଏହିସମୟରେ ଏକ ଝଡ଼ପବନ ଆସି ସେ ନଦୀ କୂଳରେ ରଖିଥିବା ଲୁଗାକୁ ଉଡାଇ ନେଲା। ଦୁର୍ଭାଗ୍ୟକୁ ସାଧୁ ପିନ୍ଧି ଥିବା ଭିଜା ଧୋତୀଟା ମଧ୍ୟ ଚିରିଗଲା। ଶୀତ ଦିନ ସାଧୁଙ୍କ ଦେହ କମ୍ପୁଥାଏ । ଦିନ ବଢିବାରୁ କ୍ରମେ ଯମୁନା ଘାଟରେ ଲୋକଙ୍କ ଭିଡ଼ ଜମିବାକୁ ଲାଗିଲା। ତାଙ୍କ ପାଖରେ ତ କିଛି ନାହିଁ ପିନ୍ଧିବାକୁ। ସାଧୁ ଲଜ୍ଜାରେ ନିକଟରେ ଥିବା ଏକ ବୁଦା ମୂଳେ ଯାଇ ଲୁଚିକରି ବସିଲେ।
ଦ୍ରୌପଦୀ ଦୂରରେ ରହି ଏହା ଦେଖୁ ଥିଲେ। ସେ ସାଧୁଙ୍କ ଅବସ୍ଥା ବୁଝି ପାରିଲେ। ପିନ୍ଧିଥିବା ଲୁଗାକୁ ସେ ଦୁଇଖଣ୍ଡ କରି ଦେଇ ଖଣ୍ଡେ ନିଜେ ପିନ୍ଧିଲେ। ଅନ୍ୟ ଖଣ୍ଡକୁ ହାତରେ ଧରି, ସେ ସାଧୁଙ୍କ ପାଖକୁ ଯାଇ କହିଲେ, ହେ ମହାତ୍ମା, ମୁଁ ଆପଣଙ୍କ ଦୁଃଖ ବୁଝି ପାରୁଛି। ନିଅନ୍ତୁ, ମୁଁ ମୋ ଶାଢ଼ୀରୁ ଚିରି ଏହି ଖଣ୍ଡକ ଆପଣଂକ ପାଇଁ ଆଣିଛି। ଆପଣ ଏହାକୁ ନେଇ ପିନ୍ଧନ୍ତୁ। ଆନନ୍ଦ ଗଦ ଗଦ ଓ କୋହ ଭର ହୋଇ ସାଧୁ ମହାତ୍ମା, ଦ୍ରୌପଦୀଙ୍କ ହାତରୁ ସେହି ଲୁଗା ଖଣ୍ଡକ ନେଇ କହିଲେ, କିଏ ତୁମେ ମାଆ ! ମୁଁ ତୁମକୁ ଜାଣିନାହିଁ। କିନ୍ତୁ ତୁମେ ଆଜି ଯେପରି ମୋର ଲଜ୍ଜା ନିବାରଣ କଲ, ଭଗବାନ୍ ସେପରି ସର୍ବଦା ତୁମର ଲାଜ ରକ୍ଷା କରନ୍ତୁ। ସବୁବେଳେ ସେ ତୁମର ସହାୟ ହୋଇ ଥାନ୍ତୁ । ସାଧୁ ମହାତ୍ମା ଏପରି କହି ଚାଲି ଗଲେ । ମହତ୍ମାଙ୍କ ଆଶୀର୍ବାଦ ଘେନି ପାଞ୍ଚାଳୀ ସ୍ନାନାନ୍ତେ ଇନ୍ଦ୍ରପ୍ରସ୍ଥ ରାଜପୁରୀକୁ ଫେରି ଆସିଲେ।
ଏ ଘଟଣାର କିଛି ଦିନ ପରେ ଶକୁନି ମାମୁଁର କୁ ପରାମର୍ଶରେ ଅନୁଷ୍ଠିତ ହେଲା, କଳଙ୍କିତ କପଟ ଦ୍ୟୁତ କ୍ରୀଡ଼ା କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ । ଯୁଧିଷ୍ଠିର ବାଜି ଲଗାଇ ସର୍ବସ୍ବ ହରେଇଲେ ଏବଂ ଶେଷରେ ଦ୍ରୌପଦୀଙ୍କୁ ମଧ୍ୟ। ଦୁଷ୍ଟ ଦୁର୍ଯ୍ୟୋଧନର ନିର୍ଦ୍ଧେଶରେ ଦ୍ରୌପଦୀଙ୍କୁ ଭରା ରାଜସଭାକୁ ଆଣି ଦୁଃଶାସନ ବିବସ୍ତ୍ର କରିବାକୁ ଲାଗିଲା। ପାଣ୍ଡବଙ୍କ ମୁଖ ଚୁପ୍ ଥାଏ। ସଭାରେ ଭୀଷ୍ମ କର୍ତ୍ତ୍ରୁକ ସମସ୍ତେ ନୀରବ ଦ୍ରଷ୍ଟା ହୋଇ ବସିଥାନ୍ତି। କେହି ଅସହାୟା ପାଞ୍ଚାଳୀଙ୍କୁ ସାହାଯ୍ୟ କରିବାକୁ ନଥାନ୍ତି। ଶେଷକୁ ଅସହାୟା କୃଷ୍ଣା ଉର୍ଦ୍ଧ୍ବବାହୁ ହୋଇ ଦୁଃଖୀଜନ ବନ୍ଧୁ ଶରଣ ରକ୍ଷଣ, ଭଗବାନ କୃଷ୍ଣଙ୍କୁ କାତର ପ୍ରାର୍ଥନା କଲେ, ହେ ଭଗବାନ,ଏ ଦୁଃଖିନୀର ଦୁଃଖ ଶୁଣ ! ମୋତେ ଏ ଲଜ୍ଜାରୁ ରକ୍ଷାକର।
ଅନନ୍ତଶାୟୀ ନାରାୟଣଙ୍କୁ ଦେବର୍ଷି ନାରଦ ଯାଇ ଚେତାଇ ଦେଲେ, ହେ ପ୍ରଭୋ ! ଆପଣଙ୍କ ଭକ୍ତକୁ ଘୋର ସଂକଟ ପଡ଼ିଛି । ଭକ୍ତର କାତର ପ୍ରାର୍ଥନା ଶୁଣିବା ହୁଅନ୍ତୁ !! ଆଖି ମଳି ମଳି ପ୍ରଭୁ କହିଲେ,
“ମୁଁ କାହାକୁ ସାହାଯ୍ୟ କରେନାହିଁ । ନିଜ ନିଜର କର୍ମ ଫଳ, ସମସ୍ତେ ଭୋଗ କରିଥାନ୍ତି । ଦେବର୍ଷି ପୂରା କଥାଟିକୁ ବ୍ୟାଖ୍ୟା କରିଦେବାରୁ ନାରାୟଣ କହିଲେ, ତେବେ କୁହନ୍ତୁ, ଦ୍ରୌପଦୀଙ୍କର ସେଭଳି ପୂର୍ବରୁ କୌଣସି ଭଲ କାମ ଅଛି କି? ଯଦି ଅଛି ! ତେବେ ତାଙ୍କୁ ନିଶ୍ଚୟ ସାହାଯ୍ୟ ମିଳିବ ।”
ତ୍ରିକାଳଦର୍ଶୀ ନାରଦ କହିଲେ, ପ୍ରଭୁ, ଆପଣଙ୍କର ହୁଏତ ମନେ ନାହିଁ, ମୋର କିନ୍ତୁ ସ୍ପଷ୍ଟ ମନେଅଛି ଦ୍ରୌପଦୀ ଥରେ ତାଙ୍କର ଅଧା ଶାଢ଼ୀ ଚିରି ଜଣେ ଋଷିଙ୍କୁ ଦାନ କରି ଥିଲେ। ତାଙ୍କର ସେହି ମହତ୍ କର୍ମ ଯୋଗୁଁ ସେ ପୁରସ୍କୃତ ହେବା ଉଚିତ୍।
ପ୍ରଭୁ ବୁଝିଗଲେ, ସମସ୍ତ କଥା। ଆଉ କିପରି ସ୍ଥିର ହୋଇ ସେ ରହିପାରି ଥାନ୍ତେ । ସେ କୋଟି କୋଟି ବସ୍ତ୍ର ବର୍ଷାକରି ଚାଲିଲେ । ପାଞ୍ଚାଳୀଙ୍କ ବସ୍ତ୍ର ଟାଣି ଟାଣି ଦୁଃଶାସନ ଥକିଲା। ତାଙ୍କୁ ବିବସ୍ତ୍ର କରିବାର ସମସ୍ତ ପ୍ରୟାସ ତାର ବିଫଳହେଲା। ଦ୍ରୌପଦୀଙ୍କ ମାନ ରଖିଲେ ପ୍ରଭୁ ମାନ ଉଦ୍ଧାରଣ। ଅଧା ଶାଢ଼ୀ ବଦଳରେ ସେ ପାଇଲେ କୋଟି ବସ୍ତ୍ର।
ସୁନ୍ଦର ଏହି କାହାଣୀର ଶିକ୍ଷା ହେଲା ଜଣେ କିଛି ତ୍ୟାଗ କରିଥିଲେ ପରମେଶ୍ୱର ଉଚିତ ସମୟରେ ତାଙ୍କୁ ସେହି ତ୍ୟାଗ ବା ଦାନର ପୁରସ୍କାର ଦିଅନ୍ତି। ଏଣୁ ଦାନଧର୍ମର ମହିମା ଗାନକରି ଧର୍ମ ଦାଣ୍ଡରେ ଚକୁଳିଆ ପଣ୍ଡା ମାନେ ଗାଇଥାନ୍ତି:-
ଦେଇ ଥିଲେ ପାଇ ଭାଇ, ବୁଣି ଥିଲେ ଦାଇ।
ନଦେଇଥିଲେ ପଡ଼ିଆରେ ଗୋଧନ ଚରାଇ।।
ଅର୍ଥାତ୍ ନିଜେ ଯଦି କିଛି ଅନ୍ୟର ଉପକାର କରି ଥିବ ବା ଅନ୍ୟପାଇଁ କିଛି ତ୍ୟାଗକରିଥିବ ତେବେ ତୁମକୁ ତା’ର ପ୍ରତିଦାନ ନିଶ୍ଚୟ ମିଳିବ।
ଅନ୍ୟ କେତେକ କଥାରୁ ଜଣା ପଡ଼େ, ଭଗବାନ୍ ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ର ପ୍ରେରଣକରି ଶିଶୁପାଳର ଶିର ଛେଦନ କଲେ । ସୁଦର୍ଶନ ତୀବ୍ର ବେଗରେ ଘୁର୍ଣ୍ଣନ କରି ଶ୍ରୀକୃଷ୍ଣଙ୍କ ହସ୍ତକୁ ଫେରି ଆସିଲେ । କୃଷ୍ଣ ସୁଦର୍ଶନଙ୍କୁ ଧାରଣ କରିବାବେଳେ ତାଙ୍କର ଗୋଟିଏ ଆଙ୍ଗୁଳି ଟିକିଏ କଟି ଯାଇ, ଧାର ଧାର ରକ୍ତ ବହିବାକୁ ଲାଗିଲା। ସେହି ସମୟରେ ଏହା ଦେଖି ଦ୍ରୌପଦୀ ତାଙ୍କ ଲୁଗାକାନିରୁ କନା ଖଣ୍ଡେ ଚିରି ଶ୍ରୀକୃଷ୍ଣଙ୍କ ହାତରେ ବାନ୍ଧି ଦେଲେ। ତାଙ୍କର ସେହି କୃତ୍ୟର ପ୍ରତିଦାନ ସ୍ବରୂପେ ଶ୍ରୀକୃଷ୍ଣ ତାଙ୍କୁ କୋଟି ବସ୍ତ୍ର ଦେଇ ତାଙ୍କ ମାନ ରକ୍ଷା କରିଥିଲେ।କଥା ଯାହା ହେଉନା କାହିଁକି, ଏହି ଦୁଇଟି ଯାକ ଉପାଖ୍ୟାନର ନିଷ୍କର୍ଷ ଗୋଟିଏ।
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.