ପୁରୀ : ଡିସେମ୍ବର ୧୫ ତାରିଖରୁ କୋଣାର୍କ ମେରାଇନ ଡ୍ରାଇଭରେ ଇକୋ ରିଟ୍ରିଟ୍ ଆରମ୍ଭ ହେବ। ୨୦୨୪ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସେଠାରେ ପର୍ଯ୍ୟଟକମାନେ ଆରାମଦାୟକ ରାତ୍ରିଯାପନ କରିବାର ସୁଯୋଗ ପାଇବେ। ସମୁଦ୍ର ବେଳାଭୂମିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସମେତ ବିଦେଶୀ ମଦ ବିକ୍ରୟ କେନ୍ଦ୍ର ଖୋଲାଯିବ। ଜଳକ୍ରୀଡାର ମଜା ଉଠାଇପାରିବେ ପର୍ଯ୍ୟଟକ। ପାରମ୍ପରିକ ଏବଂ ବିଦେଶୀ ସ୍ଵାଦିଷ୍ଟ ଖାଦ୍ୟ ପରସିବେ ଘରାଇ ସଂସ୍ଥା। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ପୂର୍ବବର୍ଷର ଅଭିଜ୍ଞତା ଓ ଅନୁଭବକୁ ଆଧାର କରି ଚଳିତ ବର୍ଷ ଇକୋ ରିଟ୍ରିଟ୍ ଅଧିକ ଆକର୍ଷଣୀୟ କରିବାକୁ ସ୍ଥିର କରାଯାଇଛି। ପର୍ଯ୍ୟଟନ ବିଭାଗ ଏବଂ ଇ – ଫାକ୍ଟର ଏଜେନ୍ସି ମିଳିତ ସହଯୋଗରେ ଚଳିତ ବର୍ଷ ଇକୋ ରିଟ୍ରିଟ୍ ଆୟୋଜନ କରାଯିବ। ସେଥିରେ ଆରାମଦାୟକ ଟେଣ୍ଟ ବ୍ୟବସ୍ଥା କରାଯିବ ଯାହା ଏକ ତାରକା ହୋଟେଲର ଅନୁଭୂତି ଦେବ। ଇକୋ ରିଟ୍ରିଟ୍ ସମୟରେ ଜଳକ୍ରୀଡା ଏବଂ ବେଳାଭୂମି ଖେଳ ଆୟୋଜନ କରାଯିବ। ନିରବଛିନ୍ନ ବିଦ୍ୟୁତ, ପାନୀୟ ଜଳ ଯୋଗାଣ, ମୋବାଇଲ ନେଟୱାର୍କ , ସ୍ୱାସ୍ଥ୍ୟ ଚିକିତ୍ସା, ଅଗ୍ନି ନିର୍ବାପନ, ଗାଡ଼ି ପାର୍କିଂ, ସୁରକ୍ଷା ବ୍ୟବସ୍ଥା ଏବଂ ୨୪ ଘଣ୍ଟିଆ ଲାଇଫ ଗାର୍ଡ ମୁତୟନ କରାଯିବ। ଇକୋ ରିଟ୍ରିଟ ପାଇଁ ଖୁବଶୀଘ୍ର କୋଠରୀ ବୁକିଂ ଆରମ୍ଭ କରାଯିବ। ସମସ୍ତ କାର୍ଯ୍ୟ ସୁନ୍ଦର ଭାବେ ପରିଚାଳନା କରିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି। ରାଜ୍ୟ ବାହାର ପର୍ଯ୍ୟଟକ ମାନେ ଯେପରି ଏକ ସୁଖଦ ଅନୁଭବ ନେଇ ଫେରିବେ ସେଥିପ୍ରତି ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁ, ପର୍ଯ୍ୟଟନ ସହକାରୀ ନିର୍ଦେଶକ ସରୋଜ କାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.