ଦେବଶିଳ୍ପୀ ବିଶ୍ୱକର୍ମା

ଅର୍ଜୁନୀ ଚରଣ ବେହେରା

ଭଗବାନ ବିଶ୍ୱକର୍ମା ଏ ବିଶ୍ୱର ନିର୍ମାଣ କର୍ତ୍ତା l ସେ ସମସ୍ତ ଶିଳ୍ପ ଶାସ୍ତ୍ରର ଜ୍ଞାତା, ଶିଳ୍ପୀଙ୍କ ସ୍ରଷ୍ଟା ଓ କୁଳ ଦେବତା l ଶାସ୍ତ୍ରମତେ ସେ ଅଷ୍ଟମ ବସୁ ପ୍ରଭାସଙ୍କ ଔରସରେ ଯୋଗ ସିଦ୍ଧାଙ୍କ ଗର୍ଭରୁ ଜନ୍ମ l ଆହୁରି ଏକ ମତ ଅନୁସାରେ ସେ ପ୍ରଜାପତି ବ୍ରହ୍ମାଙ୍କ ନାଭି କମଳରୁ ଜନ୍ମ l ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲ, ଦକ୍ଷିଣ ଉପର ହାତରେ ଚକ୍ର ଏବଂ ତଳ ହାତରେ ଆଶୀର୍ବାଦ କରୁଥିବା ଦୃଷ୍ଟିଗୋଚର ହୋଇ ଥାନ୍ତି l ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି ସେ କାନ୍ତିମାନ ଅଟନ୍ତି l ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ l ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସମଗ୍ର ସୃଷ୍ଟି ରଚନା କରିଥିଲେ ବିଶ୍ଵକର୍ମା l ଦେବତା ମାନଙ୍କର ସମସ୍ତ ଶସ୍ତ୍ର, ବିମାନ, ଆଦି ତାଙ୍କ ଦ୍ୱାରା ନିର୍ମିତ l ସ୍ୱର୍ଗର ଅମରାବତୀ, ଦ୍ୱାରିକାର ଦ୍ବାରାବତୀ, ଦଶାନନର ଲଙ୍କାପୁରୀ ତାଙ୍କ ଦ୍ୱାରା ନିର୍ମିତ l
ଭଗବାନ ସୃଷ୍ଟି ରଚନାରେ ବ୍ରହ୍ମା,ପାଳନରେ ବିଷ୍ଣୁ ଓ ସଂହାରରେ ଶିବ l ସେହି ପରି ସେ ଶିଳ୍ପୀ ବା ନିର୍ମାଣକାରୀ ବେଳେ ବିଶ୍ୱକର୍ମା l ଶାସ୍ତ୍ରରେ ତାଙ୍କୁ ପାଞ୍ଚ ଅବତାର ଭାବେ ବର୍ଣ୍ଣନା କରାଯାଇଛି l ସେ ପାଞ୍ଚ ଅବତାର ହେଲେ, ବିରାଟ ବିଶ୍ୱକର୍ମା, ଧର୍ମ ବଂଶୀ ବିଶ୍ୱକର୍ମା, ଅଗ୍ନି ବଂଶୀ ବିଶ୍ୱକର୍ମା, ସୁଧନ୍ୱା ବିଶ୍ୱକର୍ମା ଏବଂ ଭୃଗୁବଂଶୀ ବିଶ୍ୱକର୍ମା l ସେ ସ୍କନ୍ଦ ପୁରାଣ ଅନୁସାରେ ପଞ୍ଚ ମୁଖ ଏବଂ ତାଙ୍କର ପାଞ୍ଚ ପୁତ୍ର ଅଛନ୍ତି l ତାଙ୍କର ପାଞ୍ଚ ମୁଖ ଓ ପାଞ୍ଚ ପୁତ୍ରଙ୍କ ନାମ ହେଲା ମନୁ, ମୟ,ତ୍ୱଷ୍ଟା,ଶିଳ୍ପୀ ଓ ଦେବଜ୍ଞ l ବିଶ୍ୱକର୍ମାଙ୍କର ପଞ୍ଚ ପୁତ୍ର ସଂସାରର ହିତ ନିମନ୍ତେ ଯାନ୍ତ୍ରିକ ଅସ୍ତ୍ର ଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିଥିଲେ । ମନୁ ଋଷି ବିଶ୍ୱକର୍ମାଙ୍କ ଜ୍ୟଷ୍ଠ ପୁତ୍ର, ତାଙ୍କର ବିବାହ ଅଙ୍ଗିରା ଋଷିଙ୍କ କନ୍ୟା ସମ୍ପାଙ୍କ ସହିତ ହୋଇଥିଲା l ତାଙ୍କର ଦ୍ୱିତୀୟ ପୁତ୍ର ମୟ ଋଷି l ତାଙ୍କର ବିବାହ ପରାଶର ଋଷିଙ୍କ କନ୍ୟା ସୌମ୍ୟାଙ୍କ ସହ ହୋଇଥିଲା l ତାଙ୍କ ତୃତୀୟପୁତ୍ର ତ୍ୱଷ୍ଟା ଋଷି, ତାଙ୍କ ବିବାହ କୌଷିକ ଋଷିଙ୍କ କନ୍ୟା ଜୟନ୍ତୀଙ୍କ ସହ ହୋଇଥିଲା l ଚତୁର୍ଥ ପୁତ୍ର ଶିଳ୍ପୀ ଋଷି, ତାଙ୍କ ବିବାହ ଭୃଗୁଋଷିଙ୍କ କନ୍ୟା କରୁଣାଙ୍କ ସହିତ ହୋଇଥିଲା l ପଞ୍ଚମ ପୁତ୍ର ଦେବଜ୍ଞ ଋଷି , ତାଙ୍କ ବିବାହ ଜୈମିନୀ ଋଷିଙ୍କ କନ୍ୟା ଚନ୍ଦ୍ରିକାଙ୍କ ସହିତ ହୋଇଥିଲା l
ଦେବଶିଳ୍ପୀ ବିଶ୍ୱକର୍ମା କନ୍ୟା ସଂକ୍ରାନ୍ତି ଦିନ ମର୍ତ୍ତ୍ୟ ମଣ୍ଡଳରେ ଆବିର୍ଭୂତ ହୋଇଥିଲେ l ‘ ବିଶ୍ୱ ସ୍ୱସ୍ୟ କର୍ମନ୍’ ଇତି ବିଶ୍ୱକର୍ମା l ଭଗବାନ ବିଶ୍ୱକର୍ମା ମଧ୍ୟ ତ୍ୱଷ୍ଟା ନାମରେ ପରିଚିତ l ସେ ଚିତ୍ରଙ୍ଗଦାଙ୍କ ପିତା ଥିଲେ,ତେଣୁ କୁହାଯାଇଛି ‘ଚିତ୍ରଙ୍ଗଦାୟଃ ପିତରଂ ମାଂ ତ୍ୱଷ୍ଟାରଂ ତପୋଧନେ’ (ବାମନ ପୁରାଣ ) l ତ୍ୱଷ୍ଟା – ତ୍ୱକ୍ଷତଚ୍ ଅର୍ଥାତ୍ ତ୍ୱଷ୍ଟା ବଢ଼ାଇ, ନିର୍ମାତା, କାରିଗର ଆଦି ଅର୍ଥରେ ବ୍ୟବହୃତ ହେବା ସହିତ ବିଶେଷ କରି ବିଶ୍ୱକର୍ମା ଅର୍ଥରେ ପ୍ରଜୁଯ୍ୟ l ବ୍ରହ୍ମ ବୈବର୍ତ୍ତ ପୁରାଣରେ ବିଶ୍ୱକର୍ମାଙ୍କ ବଂଶାନୁଚରିତ ବର୍ଣ୍ଣିତ l ଉକ୍ତ ପୁରାଣରୁ ଜଣାଯାଏ ଯେ, ଘୃତାଚୀ ସ୍ୱର୍ଗ ଅପ୍ସରୀ ବିଶ୍ୱକର୍ମାଙ୍କ ପତ୍ନୀ ଥିଲେ l ବ୍ରହ୍ମବୈବର୍ତ୍ତ ପୁରାଣ ବର୍ଣ୍ଣନା ଅନୁସାରେ ଏକଦା ଘୃତାଚୀ ବେଶଭୂଷା ହୋଇ କାମଦେବଙ୍କ ପାଖକୁ ରମଣାର୍ଥେ ପୁଷ୍କରତୀର୍ଥକୁ ଯାତ୍ରାକରୁଥିଲେ l ଏହି ସମୟରେ ଦେବ ଶିଳ୍ପୀ ବିଶ୍ୱକର୍ମା ସ୍ୱର୍ଗ ଲୋକରୁ ପ୍ରତ୍ୟାବର୍ତ୍ତନ କରୁଥିଲେ,ପଥରେ ଘୃତାଚୀଙ୍କ ସହ ତାଙ୍କର ଭେଟ ହେଲା l ତାଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ବିଶ୍ୱକର୍ମା ତାଙ୍କପ୍ରତି ଆସକ୍ତହୋଇଗଲେ l ଘୃତାଚୀ କାମଦେବଙ୍କ ସହ ରମଣ ଉଦ୍ଦେଶ୍ୟରେ ଗମନ କରୁଥିବାରୁ ବିଶ୍ୱକର୍ମାଙ୍କୁ ନିବୃତ୍ତ ରହିବାକୁ ସେ ପରାମର୍ଶ ଦେଲେ l ଅପ୍ସରୀ ଘୃତାଚି କହିଲେ ‘ହେ ଦେବଶିଳ୍ପୀ,ସ୍ୱର୍ଗର ନିୟମ ଅନୁସାରେ ଯେଉଁ ଦିନ ଯେଉଁ ଦେବତାଙ୍କ ପ୍ରତି ସ୍ୱର୍ଗବେଶ୍ୟା ମାନଙ୍କ ଅଭିଳାଷ ଥାଏ ସେଦିନ ସେହି ନିର୍ଦ୍ଦିଷ୍ଟ ଦେବତାହିଁ ପତିସ୍ୱରୂପ l କାମଦେବ ମୋ ପକ୍ଷେ ଆଜି ଦିନର ପତି ସ୍ୱରୂପ l ଆପଣ ମଧ୍ୟ କାମ ଦେବଙ୍କ ଶିଷ୍ୟ l ଏଣୁ ଗୁରୁପତ୍ନୀ ହରଣ ଵିଧି ବର୍ଜିତ l ଆସନ୍ତାକାଲି ତୁମେ ମୋର ଅବଶ୍ୟ ପତି ହେବ’ l ତାଙ୍କ ଘୋର ବାରଣରେ ବିଶ୍ୱକର୍ମା ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ତାଙ୍କୁ ମର୍ତ୍ତ୍ୟରେ ଏକ ଶୁଦ୍ରନାରୀଭାବେ ଜନ୍ମହେବା ପାଇଁ ଅଭିଶାପ ଦେଲେ l ଘୃତାଚୀ ମଧ୍ୟ ଭଗବାନ ବିଶ୍ୱକର୍ମାଙ୍କୁ ମର୍ତ୍ତ୍ୟରେ ମାନବ ହୋଇ ଜନ୍ମ ହେବା ପାଇଁ ପ୍ରତି ଅଭିଶାପ ଦେଲେ l ବିଶ୍ୱକର୍ମା ଏ କଥା ବ୍ରହ୍ମାଙ୍କୁ ଜଣାଇଲେ ଓ ଏହାର ନିରାକରଣ ପାଇଁ କହିଲେ l କିନ୍ତୁ ବ୍ରହ୍ମା ଘୃତାଚୀର ଅଭିଶାପ ନିଷ୍ଫଳ ହେବ ନାହିଁ ବୋଲି ବିଶ୍ୱକର୍ମାଙ୍କୁ କହିଲେ l ପରବର୍ତ୍ତୀ ସମୟରେ ବିଶ୍ୱକର୍ମା ବ୍ରାହ୍ମଣ କୂଳରେ ଜନ୍ମ ନେଲେ ଓ ସେ ଜାତସ୍ମର ଥିବାରୁ ପୂର୍ବକଥା ସ୍ମରଣ ଥିଲା l ରାଜାଙ୍କ ଆଦେଶରେ ସେ ପ୍ରୟାଗ ତୀର୍ଥରେ ଅନେକ ଦେବାଦେବୀଙ୍କ ମନ୍ଦିର ନିର୍ମାଣ କରୁଥିବା ବେଳେ ଏକଦା ଗଙ୍ଗାସ୍ନାନ କଲାବେଳେ ଏକ ଅନିନ୍ଦ୍ୟ ସୁନ୍ଦରୀ କନ୍ୟାକୁ ଦେଖି ସେ ଘ୍ରୁତାଚି ବୋଲି ଜାଣିପାରିଲେ l ଘୃତାଚୀ ମଧ୍ୟ ବିଶ୍ୱକର୍ମାଙ୍କୁ ଜାଣିପାରିଲେ l ବ୍ରହ୍ମାଙ୍କ କଥା ଅନୁସାରେ ଉଭୟ ଗଙ୍ଗାତୀରସ୍ଥ ମଳୟ ବନରେ ବିବାହ କରି ଏକତ୍ର ବାରବର୍ଷ ବିତାଇଲେ l କାଳ କ୍ରମେ ତାଙ୍କଠୁଁ ନଅ ଗୋଟି ସନ୍ତାନ ଉତ୍ପତ୍ତିହେଲେ l ସେହି ପୁତ୍ରମାନେ ହେଲେ ମାଳାକାର,କର୍ମକାର,କଂସାରୀ, ଶଙ୍ଖାରି, କୁମ୍ଭକାର, କୁନ୍ଦବିକ, ସୂତ୍ରଧର, ସ୍ୱର୍ଣ୍ଣକାର ଏବଂ ଚିତ୍ରକର l ପୁତ୍ରଙ୍କ ମଧ୍ୟରୁ ମାଳାକାରଙ୍କୁ ପୁଷ୍ପଶିଳ୍ପ, କର୍ମକାରଙ୍କୁ ଲୌହ ଶିଳ୍ପ,କଂସାରୀଙ୍କୁ କଂସାଶିଳ୍ପ, ସୂତ୍ରଧରଙ୍କୁ କାଠ ଶିଳ୍ପ,ତନ୍ତୁବାୟଙ୍କୁ ବୟନ ଶିଳ୍ପ, କୁମ୍ଭକାରଙ୍କୁ ମୃତ୍ତିକା ଶିଳ୍ପ, ସ୍ୱର୍ଣ୍ଣକାରଙ୍କୁ ଅଳଙ୍କାର ଏବଂ ଚିତ୍ରକାରଙ୍କୁ ଅଙ୍କନଶିଳ୍ପ ବିଦ୍ୟା ଶିକ୍ଷା ଦେଇ ବିଶ୍ୱକର୍ମା ସେମାନଙ୍କୁ ସୁଶିକ୍ଷିତ କରାଇଲେ l ଝିଅ ଚିତ୍ରାଙ୍ଗଦା ମଧ୍ୟ ପିତାଙ୍କ ଠାରୁ ଶିଲେଇଶିଳ୍ପ ଶିକ୍ଷା ଲାଭ କରିଥିଲେ l
ପୁରାଣର ଉଲ୍ଲେଖ ଅନୁସାରେ ତାଙ୍କ ପୁତ୍ରମାନଙ୍କ ମଧ୍ୟରୁ ଜଣେ ବ୍ରାହ୍ମଣର ସୁନା ଚୋରଇବା ଯୋଗୁଁ ସ୍ୱର୍ଣ୍ଣକାର ପତିତ ରୂପେ ବିବେଚିତ ହେଲେ l ଯଜ୍ଞ କର୍ମକୁ ସୂତ୍ରଧର କାଠ ଯୋଗାଣରେ ବିଳମ୍ବ କରି ପତିତ ହେଲେ l ଚିତ୍ରକାର ଏକ ଶୂଦ୍ର ବେଶ୍ୟାଶକ୍ତ ହୋଇ ଅଟ୍ଟାଳିକାର (ରାଜମିସ୍ତ୍ରୀ) ରୂପେ ଆର୍ବିଭୂତ ହେଲେ l ଏଣୁ ସମସ୍ତ ଶ୍ରେଣୀର ଶିଳ୍ପୀ, କାରିଗର ଜାତି ବିଶ୍ୱକର୍ମାଙ୍କ ବଂଶଧର ଅଟନ୍ତି l
ବାମନ ପୁରାଣର ଉଲ୍ଲେଖ ଅନୁସାରେ ଦେବଶିଳ୍ପୀ ବିଶ୍ୱକର୍ମା ଏକଦା ଅଭିଶପ୍ତ ହୋଇ ଦାନବ ରୂପେ ଅବତୀର୍ଣ୍ଣ ହୋଇଥିଲେ l ମହର୍ଷି ଋତୁଧ୍ୱଜଙ୍କ ଠାରୁ ବର ଲାଭ କରି, ଘୃତାଚୀଙ୍କ ସହ ସଂପର୍କ ସ୍ଥାପନ କରି ‘ନଳ’ଙ୍କୁ ଜନ୍ମଦେଇ ଶାପମୁକ୍ତ ହେଲେ :-
ତସ୍ମିନ୍ ଗୋଦାବରୀତୀର୍ଥେ
ପ୍ରସୂତା ତନୟଂନଳମ୍ l
ଜାତୋଦ୍ଧପତ୍ୟ କପିତ୍ୱାତ୍ ଚ
ବିଶ୍ୱକର୍ମଣ୍ୟପ୍ୟ ପ୍ୟୁତ୍ୱାତ୍ ll
(ବାମନ ପୁରାଣ )
ତାଙ୍କ ପୁତ୍ର ବାନର ସେନାପତି ନଳ ଯେଉଁ ପଥର ଖଣ୍ଡକକୁ ଛୁଇଁ ଦେଉଥିଲେ ତାହା ହାଲୁକା ହୋଇ ପାଣିରେ ଭାସୁଥିଲା l ସେହି ନଳଙ୍କ ସାହାଯ୍ୟରେ ପ୍ରଭୁ ଶ୍ରୀରାମ ସେତୁବନ୍ଧ ବାନ୍ଧିଥିଲେl ବିଶ୍ୱକର୍ମାଙ୍କ ଜଣେ କନ୍ୟା ଚିତ୍ରାଙ୍ଗଦା ରାଜା ସୁରଥଙ୍କୁ ବିବାହ କରିଥିଲେ l ପୁରାଣ ମତେ ଦେବଶିଳ୍ପୀ ବିଶ୍ୱକର୍ମା ବା ତ୍ୱଷ୍ଟାଙ୍କୁ, ଅଗ୍ନି ଦେବତା ଭାବେ ସ୍ୱୀକାର କରା ଯାଇଥାଏ l ଏହାଙ୍କର ତ୍ରିଶିରା ନାମକ ପୁତ୍ର ତଥା ସଂଜ୍ଞା ନାମକ କନ୍ୟା ଥିଲେ, କନ୍ୟା ସଂଜ୍ଞାଙ୍କୁ ସେ ସୂର୍ଯ୍ୟଙ୍କସହ ବିବାହ ଦେଇଥିଲେ lସୂର୍ଯ୍ୟଙ୍କ ତୀକ୍ଷ୍ଣ ତେଜ ରାଶିକୁ ସଂଜ୍ଞା ସହ୍ୟ କରି ନପାରିବା ହେତୁ ତ୍ୱଷ୍ଟା ବିଶ୍ୱକର୍ମା ଏକଶହଆଠ ସୂର୍ଯ୍ୟସ୍ତୋତ୍ର ପାଠ କରି ସୂର୍ଯ୍ୟଙ୍କୁ ପ୍ରସନ୍ନ କରାଇ ଥିବା କଥା ନୃସିଂହ ପୁରାଣରେ ବର୍ଣ୍ଣିତ ହୋଇଛି l
ତେନୈବମୁକ୍ତୋ ଦିନ କୃତ୍ ତଥେତି
ତ୍ୱଷ୍ଟାରମୁକ୍ତା ବିବରାମ ଭାସ୍କରଃ l
ସଂଜ୍ଞାଂ ବିଶଙ୍କାଂ ରବିମଣ୍ଡଳ ସ୍ଥିତାଂ
କୃତ୍ୱା ଜଗମଥ ରବିଂ ପ୍ରସାଦ୍ୟ ll
ସୂର୍ଯ୍ୟଦେବଙ୍କୁ ପ୍ରସନ୍ନକରାଇବା ପରେ ତାଙ୍କ ଉଗ୍ର ତେଜରାଶିକୁ ବିଶ୍ୱକର୍ମା ଚାଞ୍ଛି ପକାଇଥିଲେ l ସେ ତେଜ ପୁଞ୍ଜରୁ କ୍ରମେ ବିଷ୍ଣୁଙ୍କ ଚକ୍ର,ଶିବଙ୍କ ତ୍ରିଶୂଳ, ଓ ଅନ୍ୟ ଦେବତାମାନଙ୍କ ଅସ୍ତ୍ରଶସ୍ତ୍ର ପ୍ରଭୃତି ନିର୍ମିତ ହୋଇଥିଲା l
ରାମାୟଣର ବର୍ଣ୍ଣନାନୁସାରେ ରାବଣର ସ୍ୱର୍ଣ୍ଣଲଙ୍କା ପୁରୀ,ହରିବଂଶର ବର୍ଣ୍ଣନାନୁସାରେ ଦ୍ୱାରିକାପୁରୀ, ସ୍କନ୍ଦପୁରାଣ ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀବିଗ୍ରହ ବିଶ୍ୱକର୍ମାଙ୍କଦ୍ୱାରା ନିର୍ମିତ l
ସୂର୍ଯ୍ୟ ଦେବତାଙ୍କ ପତ୍ନୀ ତଥା ବିଶ୍ୱକର୍ମାଙ୍କ କନ୍ୟା ସଂଜ୍ଞାଙ୍କ ଗର୍ଭରୁ ସବିତାଙ୍କ ଔରସରେ ବୈବସ୍ୱତ ମନୁ, ଯମ, ଯମୁନା ଓ ଅଶ୍ୱିନୀ-କୁମାର ଦ୍ୱୟ ଜନ୍ମ ଗ୍ରହଣ କରିଥିଲେ l
ଭଗବାନ ବିଶ୍ୱକର୍ମା ସ୍ୱୟଂ ବଢ଼େଇ ରୂପରେ ଭକ୍ତ ମନୋବାଞ୍ଛା ପୂରଣକରିବାପାଇଁ ଆସି ଜଗନ୍ନାଥଙ୍କ ବିଗ୍ରହ ଗଢ଼ିଥିଲେ l ଆମ ଓଡ଼ିଶାରେ ତେଣୁ ଏହି ବୁଢ଼ା ବଢ଼େଇ ରୂପକୁ ହିଁ ବିଶ୍ୱକର୍ମାଙ୍କ ରୂପ ବୋଲି ଗ୍ରହଣକରି ପୂଜାର୍ଚ୍ଚନା କରାଯାଇଥାଏ l ଭଗବାନ ବିଶ୍ଵକର୍ମା, ଦ୍ୱାପର ଯୁଗରେ, ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରିକାନଗର ନିର୍ମାଣ କରିଥିଲେ ବୋଲି, ଆମର ଓଡ଼ିଶାର ଘରେଘରେ ପରିଚିତ ଖୁଦୁରୁକୁଣୀ ଓଷା ପୁସ୍ତିକାରେ ଉଲ୍ଲେଖ ଅଛି :-
ଧନ୍ୟ ସେ ଦ୍ଵାରିକା ମହିମା l
ନିର୍ମାଣ କଲା ବିଶ୍ୱକର୍ମା ll
🙏🙏🙏
ଅର୍ଜୁନୀ
————

ମୋ -7693091971

Comments are closed.