ଭୁବନେଶ୍ବର : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବୟାନ ଏବେ ରାଜନୀତିକ ଝଡ଼ ସୃଷ୍ଟି କରିଛି। ବିଜୁବାବୁଙ୍କ ସମ୍ପର୍କରେ ସଂସଦରେ ଆଲୋଚନାବେଳେ ଓ ପରେ ସୋସିଆଲ ମିଡିଆରେ ନିଶିକାନ୍ତ ଦେଇଥିବା ବୟାନକୁ ନିନ୍ଦା କରି ବିଜେଡି ରାଜ୍ୟସଭାଠୁ ଆରମ୍ଭ କରି ରାଜରାସ୍ତାରେ କଡ଼ା ବିରୋଧ କରିଥିବାବେଳେ ତଥ୍ୟ ଆଧାରରେ ଇତିହାସର ପୁନଃତର୍ଜମା ହେବା ଉଚିତ୍ ବୋଲି ବିଜେପି ଦାବି କରିଛି। ଏପଟେ ବିଜୁବାବୁଙ୍କୁ ନେଇ ହେଉଥିବା ଟୀକାଟିପ୍ପଣୀକୁ ନାପସନ୍ଦ କରିଛନ୍ତିି ବିଜେପି ଉପସଭାପତି ତଥା ସାଂସଦ ବୈଜୟନ୍ତ ପଣ୍ଡା ଓ ସାଂସଦ ଦିଲ୍ଲୀପ ରାୟ।
ସୂଚନା ଅନୁସାରେ, ଗତ ମାର୍ଚ୍ଚ ୨୭ତାରିଖରେ ସଂସଦରେ ଏକ ଆଲୋଚନାବେଳେ ବିଜେପି ସଂସଦ ନିଶିକାନ୍ତ ଦୁବେ( Nishikant Dubey) ଏକ ଚାଂଚଲ୍ୟକର ତଥ୍ୟ ରଖି କହିଥିଲେ ଯେ, ୧୯୬୨ ଚୀନ ଯୁଦ୍ଧ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ଆମେରିକାର ଗୁଇନ୍ଦା ସଂସ୍ଥା ‘ସିଆଇଏ’ ମଧ୍ୟରେ ବିଜୁ ପଟ୍ଟନାୟକ ମୁଖ୍ୟ ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ। ଓଡ଼ିଶାର ଚୌଦ୍ୱାର ନିକଟସ୍ଥ ଚାରବାଟିଆ ଏୟାରବେସକୁ ଆମେରିକାର ଗୁପ୍ତଚର ବିମାନ ‘ୟୁ-୨’ ର ପରିଚାଳନା ପାଇଁ ବ୍ୟବହାର କରାଯାଉଥିଲା ଓ ୧୯୬୩ ରୁ ୧୯୭୯ ପର୍ଯ୍ୟନ୍ତ ସେଠାରେ ଆମେରିକୀୟ ସୁରକ୍ଷା ବାହିନୀର ଉପସ୍ଥିତି ଥିଲା। ଏହି ତଥ୍ୟଗୁଡ଼ିକ ଐତିହାସିକ ଦସ୍ତାବିଜ୍ ଆଧାରରେ ପ୍ରଦାନ କରାଯାଇଛି ଓ ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହାର ପୁନଃ ପର୍ଯ୍ୟାଲୋଚନା ଓ ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଥିଲେ।
ତେବେ ତାଙ୍କର( nishikant dubey statement) ଏହି ବୟାନ ଉପରେ ତୀବ୍ର ଆପତ୍ତି ଉଠାଇ ସେ ଅଧ୍ୟକ୍ଷ ଥିବା ସଂସଦୀୟ ଷ୍ଟାଣ୍ଡିଂ କମିଟିରୁ ବିଜେଡି ସାଂସଦ ସସ୍ମିତ ପାତ୍ର ଇସ୍ତଫା ଦେବା ସହ ସୋମବାର ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ବିଜେଡି ସାଂସଦମାନେ କକ୍ଷତ୍ୟାଗ କରିଥିଲେ। ବିଜୁବାବୁଙ୍କ ଭଳି ଜଣେ ମହାନ ଦେଶଭକ୍ତଙ୍କ ବିରୋଧରେ ମିଥ୍ୟା ଅପମାନଜନକ ଅପପ୍ରଚାର ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଥିଲା।
ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲି ଶାଣିତ ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ,ବିଜୁବାବୁଙ୍କ ଦେଶପ୍ରେମ, ସାହସିକତା ଓ ତାଙ୍କର ଜାତୀୟ ତ୍ୟାଗ ସମ୍ପର୍କରେ ସମଗ୍ର ବିଶ୍ୱ ଅବଗତ। ନିଶିକାନ୍ତ ଦୁବେଙ୍କ ବୟାନ ସମ୍ପୂର୍ଣ୍ଣ ଆଧାରହୀନ, ହୀନ ଓ ଦୁର୍ଭାଗ୍ୟଜନକ। ତାଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ କଟାକ୍ଷ କରିଛନ୍ତି।
Comments are closed.