ଭୁବନେଶ୍ବର : ଭର୍ଚୁଆଲ୍ ମିଟିଂକୁ ଗୁରୁତ୍ବ ଦିଅ, ଇଭିର ଅଧିକ ବ୍ୟବହାର କର । ଅଫିସ ଆସିଲା ବେଳେ କାର ପୁଲିଂ କରି ଆସ । ଆଉ ସରକାରୀ କାମରେ ଦୂର ସ୍ଥାନକୁ ଗଲେ ବସ୍ ଓ ଟ୍ରେନରେ ଯାଅ । ସରକାରୀ କର୍ମଚାରୀଙ୍କ ପାଇଁ ଏଭଳି ୮ ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁ ପେଟ୍ରୋଲ, ଡିଜେଲ କମ୍ ବ୍ୟବହାର ଲାଗି ପାଇଁ ପ୍ରଧାନମନ୍ତ୍ରୀ ନିକଟରେ ନିବେଦନ କରିଥିଲେ । ଆଉ ଏହା ପରେ ରାଜ୍ୟର ସରକାରୀ ସ୍ତରରେ ତୈଳ ଖର୍ଚ୍ଚକୁ ୧୦ ପ୍ରତିଶତ କମାଇବା ଲାଗି ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏଥିପାଇଁ ପ୍ରଶାସନକୁ ଦେଇଛନ୍ତି ୮ ସୂତ୍ରୀ ନିର୍ଦ୍ଦେଶାବଳୀ ।
୧- ଅତି ଆବଶ୍ୟକ ନ ଥିଲେ ବିଭିନ୍ନ ସରକାରୀ ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଭର୍ଚୁଆଲ୍ ମୋଡରେ କରାଯିବ
୨- ଆସନ୍ତା ଜୁନ ୧ରୁ ଯେତେ ନୂଆ ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନ କିଣାଯିବ, ସେଗୁଡ଼ିକ ବୈଦ୍ୟୁତିକ ଯାନ (EV) ହୋଇଥିବା ବାଧ୍ୟତାମୂଳକ। ଭଡା ନେଲେ ବି ଇଭି ଗାଡି ହିଁ ନିଆଯିବ ।
୩- ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ଗାଡି ପାଇଥିବା ବରିଷ୍ଠ ଅଧିକାରୀମାନେ ନିଜ ନିଜ ମଧ୍ୟରେ କାର୍ ପୁଲିଂ କରି ଆସିବେ । ଅର୍ଥାତ ଯିବା ଆସିବା ଲାଗି କେବଳ ଗୋଟିଏ ଗାଡି ବ୍ୟବହାର କରିବେ ।
୪- କେଉଁ ପାହ୍ୟାର ବରିଷ୍ଠ ଅଧିକାରୀମାନେ ବ୍ୟକ୍ତିଗତ ଭାବେ ସରକାରୀ ଗାଡ଼ି ବ୍ୟବହାର କରିପାରିବେ, ସେଥିପାଇଁ ଅର୍ଥବିଭାଗ ୧୫ ଦିନ ମଧ୍ୟରେ ମାର୍ଗଦର୍ଶିକା ଜାରି କରିବ ।
୫- ଯେଉଁ ଅଧିକାରୀଙ୍କ ନିଜସ୍ବ ଇଭି ଗାଡି ରହିଛି ସେମାନେ ଏହାକୁ ସରକାରୀ କାମରେ କିଭଳି ବ୍ୟବହାର କରିବେ ସେ ନେଇ ପ୍ରସ୍ତୁତ ହେବ ମାର୍ଗଦର୍ଶିକା ।
୬- ଦୂରସ୍ଥାନକୁ ପରିଦର୍ଶନ ଗଲା ବେଳେ ଅଧିକାରୀ, କର୍ମଚାରୀ ବସ କିମ୍ବା ଟ୍ରେନରେ ଯିବେ ।
୭- ବହୁଳ ମାତ୍ରାରେ ସରକାରୀ କର୍ମଚାରୀ ରହୁଥିବା ସ୍ଥାନରୁ ଯିବା ଆସିବା ଲାଗି ଇଲେକ୍ଟ୍ରିକ୍ ବସ କିମ୍ବା ମିନି ବସ୍ ଦିଆଯିବ ।
୮- ମାସିକ ପେଟ୍ରୋଲ, ଡିଜେଲ ବ୍ୟବହାର ୧୦ ପ୍ରତିଶତକୁ ହ୍ରାସ କରାଯିବ ।
ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ଉଚିତ୍ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ଏହି ନିର୍ଦ୍ଦେଶାବଳୀ, ରାଜ୍ୟ ସଚିବାଳୟ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗ ଯେପରିକି ଉପଖଣ୍ଡ, ତହସିଲ, ବ୍ଲକ୍ ସ୍ତର ସହିତ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଉଦ୍ୟୋଗ, ସଂସ୍ଥା, ବିଶ୍ୱବିଦ୍ୟାଳୟ, ସମିତି ମାନଙ୍କରେ କଡ଼ାକଡ଼ି ଅନୁପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସଚିବାଳୟ କର୍ମଚାରୀ ସଂଘ ଠାରୁ ଆରମ୍ଭ କରି ଅମଲା କର୍ମଚାରୀ ମହାସଂଘ ସମର୍ଥନ କରିଛନ୍ତି। ଅନ୍ୟପଟେ ଇଭି ଗାଡ଼ି କିଣିବା ଲାଗି ସରକାର ଯେଉଁ ଆଡଭାନ୍ସ ଦେଉଥିଲେ ତାହା ବନ୍ଦ ହୋଇଯାଇଛି । ପୁଣି ଥରେ ଏହାକୁ ଲାଗୁ କରିବା ଲାଗି ସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।