ସିଏଚଆରସି ପକ୍ଷରୁ ୧୭ତମ ଜାତୀୟ ମାନବାଧିକାର ସମ୍ମିଳନୀ ଅନୁଷ୍ଠିତ : ବିଶିଷ୍ଟ ବ୍ୟକ୍ତି ଓ କୃତୀ ଛାତ୍ରଛାତ୍ରୀ ହେଲେ ସମ୍ବର୍ଦ୍ଧିତ

0
ବାଲେଶ୍ୱର, ୧୨/୫ (କୃଷ୍ଣ କୁମାର ମହାନ୍ତି): ସିଟିଜେନ୍ସ ହ୍ୟୁମାନ ରାଇଟ୍ସ କ୍ଲିନିକ୍ (ସିଏଚଆରସି), ବାରିପଦା ଶାଖାର ପ୍ରତିଷ୍ଠା ଦିବସ ଏବଂ ୧୭ତମ ଜାତୀୟ ମାନବାଧିକାର ସମ୍ମିଳନୀ ବାରିପଦା ରୋଟାରୀ କ୍ଲବ ପରିସରରେ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ମିଳନୀରେ ମାନବାଧିକାର ଓ ତାହାର ସୁରକ୍ଷା, ପଶୁ ଅଧିକାର ଓ ସୁରକ୍ଷା ସହ ପରିବେଶ ସୁରକ୍ଷା ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା।
ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ କହିଥିଲେ ଯେ ମାନବାଧିକାରର ସୁରକ୍ଷା ଏବଂ ପ୍ରତ୍ୟେକ ନାଗରିକଙ୍କ ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରିବା ଅତ୍ୟନ୍ତ ଆବଶ୍ୟକ। ନାଗରିକମାନେ ନିଜ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହେଲେ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନ ସମ୍ଭବ ବୋଲି ସେ ମତ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ନେତ୍ରାନନ୍ଦ ମଲ୍ଲିକ, ଦୀପକ ଗୋଚ୍ଛାୟତ, ମହେନ୍ଦ୍ର କୁମାର ମହାନ୍ତି, ଏବଂ ସୀମା ଦାସ ପ୍ରମୁଖ ଯୋଗ ଦେଇ ସିଏଚଆରସିର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ। ଏଭଳି କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ ମଧ୍ୟରେ ଆଇନ ସଚେତନତା ସୃଷ୍ଟି କରିବା ସହ ସହାୟତା ପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଅତିଥିମାନେ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଗୋପବନ୍ଧୁ ମଲ୍ଲିକ ସଭା ପରିଚାଳନା କରିଥିବା ବେଳେ ପରାମର୍ଶଦାତା ନିରଞ୍ଜନ ବାରିକ, ବଂଶୀଧର ମଲ୍ଲିକ, ଏଆଇଏଫଏଫଟିସିର ପ୍ରତିନିଧିମାନେ ଯୋଗ ଦେଇ ବିଭିନ୍ନ ମାନବାଧିକାର ସମ୍ବନ୍ଧୀୟ ବିଷୟରେ ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ଗାଳ୍ପିକା ତଥା ସଂଗଠନ ସମ୍ପାଦିକା ରଶ୍ମି ରାଉଳ ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ସ୍ଵରୂପ କୁମାର ବସା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ସଭାରେ ବିଜୟ କୁମାର ଅଗ୍ରୱାଲ, ଦେବବ୍ରତ ସ୍ଵାଇଁ, ଶ୍ୟାମସୁନ୍ଦର ଦାସ ଓ ସଞ୍ଜୟ ଚୌଧୁରୀଙ୍କୁ ବାରିପଦା ଶାଖାର ପରାମର୍ଶଦାତା ଭାବେ ମନୋନୀତ କରାଯାଇଥିଲା।
କାର୍ଯ୍ୟକ୍ରମକୁ ସଫଳ କରିବାରେ ଆଶିଷ ବସା, ସୋମନାଥ ସିଂହ, ସାଇ ପ୍ରକାଶ ମହାନ୍ତି, ଅନିଲ ବେହେରା, ଗୋକୁଳ ଚନ୍ଦ୍ର ଦାସ, ବିବେକାନନ୍ଦ ପାତ୍ର, ଅଶ୍ୱିନୀ ଦାସ, ମୂର୍ଛନା ପଟ୍ଟନାୟକ, କନିକା ବୋଷ, ସୁଧାମୟୀ ଦାସ, ଦିଲ୍ଲୀପ ଦାସ ବର୍ମା, ବାପି ମିଶ୍ର ଏବଂ ଦେବାଶିଷ ଦାସ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
ଏହି ଅବସରରେ କୃତୀ ଛାତ୍ରଛାତ୍ରୀ ଓ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ମାନବାଧିକାର ସମ୍ପର୍କରେ ସଂଗଠନର କାର୍ଯ୍ୟକୁ ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର କରି ଜନ ସଚେତନତା ସୃଷ୍ଟି କରିଥିବା ବାଲେଶ୍ଵରର ବିଶିଷ୍ଟ ଲେଖକ ସମ୍ପାଦକ ଓ ପତ୍ରକାର କୃଷ୍ଣ କୁମାର ମହାନ୍ତିଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
Leave A Reply

Your email address will not be published.