ଚାଲ ବୁଲିଯିବା ଅଯୋଧ୍ୟା

ଅର୍ଜୁନୀ ଚରଣ ବେହେରା

ଚାଲ ବୁଲିଯିବା ଅଯୋଧ୍ୟା
==============
ଚାଲ ବୁଲିଯିବା ଅଯୋଧ୍ୟା ନଗର
ସୀତାଙ୍କର ଶାଶୁ ଘର l
ବିଦେହମଣ୍ଡଳେ ବୈଦେହୀ ବରିଲେ
ରାମଚନ୍ଦ୍ର ତାଙ୍କ ବର ll
ଅପୂର୍ବ ନଗରୀ ମନୁ ତୋଳାଇଲେ
ପୁଣ୍ୟ ସରଯୁର କୁଳେ l
ଅପୂର୍ବ ତା ଶୋଭା କି ବର୍ଣିବି ଅବା
ଅମରାବତୀକୁ ବଳେ ll
ଅଯୋଧ୍ୟା ନଗରୀ ସେ ଅବଧପୁରୀ
ସୂର୍ଯ୍ୟବଂଶ ରାଜଧାନୀ l
ସୂର୍ଯ୍ୟବଂଶ କୀର୍ତ୍ତି ବର୍ଣିଲେ ଭାରତୀ
ବାଲମିକ ମହାମୁନି ll
ବୀର ସତ୍ୟସନ୍ଧ ରାଜା ହରିଶ୍ଚନ୍ଦ୍ର
ଘାଟେ ଶ୍ମଶାନ ଜଗିଲେ l
ମହାତପ କରି ରାଜା ଭଗୀରଥ
ଗଙ୍ଗା ମରତେ ଆଣିଲେ ll
ପ୍ରାଣ ଯାଉ ପଛେ ବଚନ ନଯାଉ
ଏହି ରଘୁକୂଳ ରୀତି l
କଥାଅଛି ରହି କାଳେ କାଳେ ଭାଇ
ଗଲେଣି ଚଳି ନୃପତି ll
ଈକ୍ଷାକୁ ନୃପତି ରହିଛି କୀରତୀ
ଥାପିଲେ ଈକ୍ଷାକୁ ବଂଶ l
ନନ୍ଦିନୀ ଆଶିଷେ ରଘୁ ଜନମିଲେ
ରଘୁବଂଶ ଅବତଂଶ ll
କାଳେ ଜନମିଲେ ସେ କୂଳରେ ପୁଣି
ମହାମନା ରାଜା ଅଜ l
ଇନ୍ଦ୍ର ତୁଲ୍ୟ, ଅଜ ପୁତ୍ର ଜନମିଲେ
ଦଶରଥ ମହାରାଜ ll
ପ୍ରଭୁ ବ୍ରହ୍ମରାଶି ଜନମିଲେ ଆସି
ଦଶରଥଙ୍କର କୋଳେ l
ପିତୃ ସତ୍ୟ ପାଳି ଚୋଉଦ ବରଷ
ବନେ ବନବାସୀ ହେଲେ ll
ଜାନକୀ ହରଣ ଜଟାୟୁ ମରଣ
ବଧ ହେଲା ଦଶାନନ l
ସ୍ୱର୍ଣ୍ଣଲଙ୍କା ପୋଡ଼ି ଅଧର୍ମରେ ନାଶ
ଜଳାଇଲେ ହନୁମାନ ll
ତମସା ତୀରରେ ବାଲ୍ମୀକି ରଚିଲେ
ମହାକାବ୍ୟ ରାମାୟଣ l
ନାୟକ ଯାହାର ସ୍ଵୟଂ ପରଂବ୍ରହ୍ମ
ରାମ ରୂପେ ନାରାୟଣ ll
ବାଲ୍ମିକୀ ଆଶ୍ରମେ ସୀତା ବନବାସ
ଜନମିଲେ ଲବ କୁଶ l
ଅଶ୍ଵମେଧ ଯଜ୍ଞେ ରାମଙ୍କୁ ମିଳିଲେ
ସୀତା ମେଦିନୀ ପ୍ରବେଶ ll
ଶ୍ରୀରାମ ଚରିତେ ରଚି ଭକ୍ତି ଗୀତେ
ଶ୍ରୀତୁଳସୀ ମହାସନ୍ଥ l
ରମ୍ୟ ରସମୟ ଭାବ ଭକ୍ତିମୟ
ଶ୍ରୀରାମ ଚରିତ ଗୀତ ll
ଶିଳ୍ପୀକୂଳ ମିଶି ମହା ଆୟୋଜନେ
ଲାଗିଛନ୍ତି ରାତିଦିନ l
ଭବ୍ୟ ଶ୍ରୀମନ୍ଦିରେ ବିରାଜିତ ହେବେ
ରାମଲାଲା ଭଗବାନ ll
ତାଙ୍କ ଦରଶନେ ପବିତ୍ର କରିବା
ପାପୀ ଚର୍ମଚକ୍ଷୁ ଦ୍ୱୟ l
ଜୟ ସୀତା ରାମ ନୟନାଭିରାମ
ବିଶ୍ଵ ହେଉ ରାମମୟ l
ବିଶ୍ଵହେଉ ରାମମୟ ll
🙏🙏🙏
ଅର୍ଜ୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.