ବୈଧବ୍ୟ ପ୍ରଥାର ଅପସଂସ୍କୃତି

ଅମରନାଥ ବାରିକ୍

ଆର୍ଯ୍ୟଭୂମି ଆମ ଭାରତ ଭୂଖଣ୍ଡ, ଯାହାର ପରମ୍ପରା ଅଟେ ମହାନ, ଯାହାର ଯଶକୁ ଗାନ କରୁଛି ବେଦ ବେଦାନ୍ତ ଶାସ୍ତ୍ର ଉପନିଷଦ ଆଦି । ଆଉ ସନାତନ ଧର୍ମ ହେଉଛି ସବୁ ଧର୍ମର ଜନନୀ ତଥା ସର୍ବଶ୍ରେଷ୍ଠ । କିନ୍ତୁ ଧର୍ମ ନାମରେ ବୈଧବ୍ୟ ପ୍ରଥା ଭଳି ଏକ ଅନ୍ଧବିଶ୍ୱାସର ବୁଡିଆଣୀ ଜାଲ କଳଙ୍କିତ ଅପସଂସ୍କୃତି ପ୍ରାଚୀନ ଭାରତରେ ପ୍ରଚଳିତ ଥିଲା । ସେ ସମୟରେ ଏହା ଧାରଣା ଥିଲା ଯେ ବିବାହିତା ନାରୀର ସ୍ବାମୀଙ୍କର ଯେତେବେଳେ ସ୍ୱର୍ଗବାସ ହୁଏ, ତାହାଲେ ତାକୁ ବୈଧବ୍ୟ ପ୍ରଥା ଅନୁସାରେ ସମାଜର କଠୋର ନିୟମ ପାଳନ କରିବାକୁ ପଡିବ। ଆଉ ତା’ର ଧଳା ବସ୍ତ୍ର ଖଣ୍ଡେ ହୋଇଥାଏ ଜୀବନ ସାଥୀ । ଦେହରେ ଯାହା କିଛି ପରିଧାନ କରିବାକୁ ହେଲେ ତାହା ନିଶ୍ଚୟ ଧଳା ରଙ୍ଗର ହୋଇଥିବା ଆବଶ୍ୟକ। ଆମିଷ ଭୋଜନ ଆଜୀବନ ତା ପାଇଁ ବାରଣ ଥିଲା । କୌଣସି ଶୁଭ କାର୍ଯ୍ୟ ବା ପୂଜାର୍ଚ୍ଚନା ହେଉଥିବା ସ୍ଥାନକୁ ଯିବା ପାଇଁ ନିଷେଧ କରାଯାଉଥିଲା । ଶୈବ ପୀଠ ତଥା ଅନେକ ଦେବାଦେବୀଙ୍କ ମନ୍ଦିରକୁ ବାରଣ କରାଯାଉଥିଲା । ଲୋକଙ୍କ ମନରେ ଏହା ଭାବନା ଥିଲା ଯେ ଯଦି ଏହି ସ୍ଥାନ ଗୁଡ଼ିକୁ ବିଧବା ଯାଏ ତାହାଲେ ବିଧବାର ମୁହଁ ଚାହିଁଲେ କିଛି ହେଉଥିବା କାର୍ଯ୍ୟ ସଫଳ ବା ସିଦ୍ଧି ହୁଏ ନାହିଁ । ଆଜିର ସମାଜରେ ନାରୀ ହିଁ ଲାଞ୍ଚିତା,ପିଡୀତା, ଅପମାନିତା ଆଉ ପ୍ରତି ଘରେ ନଗର ପଲ୍ଲୀରେ ନାରୀ ଦୁଃଖରେ ହେଉଛି ଜର୍ଜରିତା ।

ଏହା ବ୍ୟତୀତ ବିଧବା ପ୍ରତି ଅନେକ କଟୁ ମନ୍ତବ୍ୟ ଗାଉଁଲି ଭାଷାରେ କହନ୍ତି ଗାଳି ଗୁଲଜ ଭଳି ବିଭିନ୍ନ କଥା କହି ଧିକାର୍ କରିଥାଆନ୍ତି। ଯଦି ସେହି ବିଧବା ମହିଳା ନବ ବିବାହିତା ହୋଇଥାଏ ମଧ୍ୟ ତାହାଲେ ତାକୁ ପୁନଶ୍ଚ ବିବାହ କରିଦିଆ ଯାଉ ନଥିଲା । ଗୋଟେ ଘର କଣରେ ରହିବା ପାଇଁ ଆଦେଶ ଦିଆଯାଉଥିଲା । ଏମିତି କି କିଛି ଅଞ୍ଚଳରେ ସତୀପ୍ରଥା ନାମରେ ତାକୁ ସେହି ମୃତ ପତିଙ୍କ ଜଳୁଥିବା ଜୁଇ ଉପରକୁ ଧାସ ସେବା ପାଇଁ ଜବରଦସ୍ତ ଧକ୍କା ଦିଆଯାଉଥିଲା । ସେ ଯଦି କୌଣସି କାରଣରୁ ନିଜ ଜୀବନ ବଞ୍ଚାଇବାକୁ ଯାଇ ଦୌଡ଼ି ପଳାଇ ଆସୁଥିଲା ତାହାଲେ ତାକୁ ଗୋଡ଼େଇ ଗୋଡ଼େଇ ଧରି ଜଳାଇ ଦିଆଯାଉଥିଲା । ବିଚରା ସେହି ନୀରିହ ପ୍ରାଣୀଟି ବିକଳରେ କାନ୍ଦି କାନ୍ଦି ଡାକ ଛାଡୁଥିଲା “ଦୟାକରି ମୋତେ ମାରନାହିଁ ବଞ୍ଚାଅ ମୁଁ କାହାର କିଛି ଦୋଷ କରିନାହିଁ ।” ହେଲେ ତା’ର ସେ କରୁଣ ଚିତ୍କାର କାହା କାନରେ ବାଜୁ ନଥିଲା । ଏପରି ଅନେକ ଯନ୍ତ୍ରଣା ସହିବାକୁ ପଡୁଥିଲା ।

ଇତିହାସର ପୃଷ୍ଠା ଓଲଟାଇ ଦେଖିଲେ ଇଂରେଜ ଶାସନ କାଳରେ କେତେକ ସମ୍ଭ୍ରାନ୍ତ ବଂଶରେ ବୈଧବ୍ୟ ପ୍ରଥା ପ୍ରଚଳିତ ଥିଲା ବୋଲି ଜଣାଯାଏ । ବିଶେଷତଃ ରାଜସ୍ଥାନ, ବଙ୍ଗଳା ଓ ଉତ୍ତରପ୍ରଦେଶରେ ସତୀଦାହ ପ୍ରଥା ପ୍ରଚଳିତ ଥିଲା । ୧୮୧୫ ରୁ ୧୮୧୮ ମସିହା ମଧ୍ୟରେ ବଙ୍ଗ ପ୍ରଦେଶରେ ୮୦୦ ମହିଳା ସତୀ ପ୍ରଥାର ଶିକାର ହୋଇଥିଲେ। ସମାଜର ରକ୍ଷଣଶୀଳ ଗୋଷ୍ଠୀ ଏହାକୁ ସମର୍ଥନ କରୁଥିଲେ। ମୋଗଲ ସମ୍ରାଟ ଆକବର ଓ ଆଉରଙ୍ଗଜେବ ଏହାକୁ ଉଚ୍ଛେଦ କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ । ସମାଜରେ ସଂସ୍କାର ଆଣିବା ପାଇଁ ୧୮୨୮ ମସିହାରେ ରାଜା ରାମମୋହନ ରାୟଙ୍କ ଉଦ୍ୟମରେ ବ୍ରାହ୍ମ ସମାଜ ଗଠନ ହୋଇଥିଲା ଓ ବିଧବା ବିବାହ ଆରମ୍ଭ କରାଯାଇଥିଲା। କିନ୍ତୁ ସମାଜରେ ଏହାକୁ ନାତା ନାମ ଦିଆ ଯାଉଥିଲା। ବିଧବା ବିବାହ କରୁଥିଲେ ଜାତି ପଂଚାୟତ ଦ୍ୱାରା ଜୋରିମନା ହେଉଥିଲା। ନାତା ଦ୍ୱାରା ଯେଉଁ ସନ୍ତାନ ଜନ୍ମ ହେଉଥିଲା, ତାକୁ ଅବୈଧ ସନ୍ତାନ ଆଖ୍ୟା ଦେଉଥିଲେ। ୧୮୫୩ ମସିହାର ଅନୁସଂଖ୍ୟାନ ଅନୁସାରେ, ଏହା ଫଳରେ କେବଳ କଲିକତାରେ ୧୨୭୧୮ ବେଶ୍ୟା ସୃଷ୍ଟି ହୋଇଥିଲେ।

ଇଶ୍ୱର ଚନ୍ଦ୍ର ବିଦ୍ୟାସାଗର ଙ୍କ ଚେଷ୍ଟାରେ ହିନ୍ଦୁ ସମାଜରେ ବିଧବା ବିବାହ ଆଇନଗତ ସୂତ୍ରପାତ ହେଇଥିଲା। ୧୮୫୬ ରେ ହିନ୍ଦୁ ପୁନ ବିବାହ ଆଇନ ପାରିତ ହେଲା ଓ ହିନ୍ଦୁ ସମାଜରେ କୁସଂସ୍କାର ଭୁଲି ନୂତନ ସଂସ୍କର ପଥ ଉନ୍ମୁକ୍ତ ହୋଇଥିଲା। ସ୍ବାମୀ ବିବେକାନନ୍ଦ ୧୮୯୭ ମସିହାରେ ସମାଜ ସଂସ୍କାର ନିମନ୍ତେ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ । ରାଜା ରାମମୋହନ ରାୟଙ୍କ ପ୍ରଚେଷ୍ଟା ଲଡ୍ ବେଣ୍ଟିକ୍ ଙ୍କ ସମୟରେ ଏହାର ବିଲୋପ କରିବାକୁ ପଦକ୍ଷେପ ନେଇଥିଲେ କିନ୍ତୁ ପରେ ଏହାର ଉଚ୍ଛେଦ ଘଟିଥିଲା ୧୮୨୯ ମସିହା ସେପ୍ଟେମ୍ବର ୫ ତାରିଖରେ । ୧୮୫୬ ମସିହାରେ ଏକ ଆଇନ ବଳରେ ବିଧବା ବିବାହ ଆଇନ ସମ୍ମତ ବୋଲି ଆଦେଶ ଜାରିହେଲା। ବାଲ୍ୟ ବିବାହ ପ୍ରଥା ଉଚ୍ଛେଦ ଦିଗରେ ପଦକ୍ଷେପ ସ୍ୱରୂପ ୧୮୭୨ରେ “ଦେଶୀୟ ବିବାହ ଆଇନ” ଓ ୧୮୯୧ରେ “ସମ୍ମତି ପ୍ରକାଶ ବୟସ ଆଇନ” ପ୍ରଣିତ ହୋଇଥିଲା । ୧୯୩୦ ମସିହା ସାରଦା ଆଇନରେ ପୁରୁଷ ମାନଙ୍କ ପାଇଁ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ ଓ ମହିଳା ମାନଙ୍କ ପାଇଁ ୧୮ବର୍ଷ ଧାର୍ଯ୍ୟ କରାଗଲା ।

ଯାହା ଫଳରେ ଆଜି ବୈଧବ୍ୟ ପ୍ରଥାର ଉତ୍ପୀଡ଼ନ ଲୋପ ପାଇଛି। ସରକାର ତାଙ୍କ ପାଇଁ ବହୁତ ଆଇନ୍ କାନୁନ୍ ପ୍ରସ୍ତୁତ କରିଛନ୍ତି। ବିଶେଷ କରି ବିଧବା ମହିଳା ମାନଙ୍କ ପାଇଁ ବହୁତ ସରକାରୀ ଏବଂ ବେସରକାରୀ ସଂସ୍ଥା ରହିଛି । ବିଧବା ଭତ୍ତା ଠାରୁ ଆରମ୍ଭ କରି ଗୃହ ଯୋଗାଇବା ପର୍ଯ୍ୟନ୍ତ ଓ ଆଇନ୍ ଅନୁସାରେ ସେହି ବିଧବା ମହିଳା ଜଣକ ନିଜ ସ୍ଵଇଚ୍ଛାରେ ପୁନଃ ବିବାହ କରିପାରିବ। ତାକୁ କେହି ବାଧା ଦେଲେ ଆଇନ୍ ଅନୁଯାୟୀ ଦଣ୍ଡନୀୟ ହେବ। ଏତଦଭିନ୍ନ ନାରୀ ଆଜି ପହଁଚି ପାରିଛି ସେଇଠି, ଯେଉଁଠି ଅନୁଭବ ପହଁଚି ପାରିବ ନାହିଁ । ସର୍ବ ଶେଷରେ ନାରୀ ମାନଙ୍କୁ ଆଜି ସମ୍ମାନ ଦିଆ ଯାଉଛି । ଖାବିଶେଷ କରି ବିଧବା ମହିଳା ମାନଙ୍କୁ ସାନ୍ତ୍ଵନା ସ୍ୱରୂପ ତାଂକୁ ବଞ୍ଚିବା ପାଇଁ ଉଚିତ୍ ମାର୍ଗ ଦର୍ଶାଇ ଦିଆଯାଉଛି। ଆଜି ଜଣେ ବିଧବା ମହିଳା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ମଣ୍ଡନ କରି ମହିଳା ସମାଜ ପାଇଁ ପ୍ରେରଣାର ଉତ୍ସ ହୋଇ ପାରିଛନ୍ତି।

କୟାଁ, ମଙ୍ଗଳପୁର, ଯାଜପୁର
ଓଡ଼ିଶା – ୭୫୫୦୧୧
ଦୂରଭାଷ – ୯୫୪୦୩୦୮୦୯୫
(ନୂଆଦିଲ୍ଲୀ)

Comments are closed.