ସେତୁବନ୍ଧ ଓ ଶ୍ରୀରାମେଶ୍ଵରମ ପ୍ରତିଷ୍ଠା

ଅର୍ଜୁନୀ ଚରଣ ବେହେରା

0

ସେତୁବନ୍ଧ ଓ ଶ୍ରୀରାମେଶ୍ଵରମ ପ୍ରତିଷ୍ଠା
==================
ହନୁମାନ ଲଙ୍କା ଦହନକରି ମାଆ ସୀତା ଅଶୋକ ବାଟିକାରେ ବନ୍ଦିନୀ ରହିଛନ୍ତି ବୋଲି ଆସି ଖବର ଦେଲେ l ଖବର ପାଇ ଶ୍ରୀରାମ ଲକ୍ଷ୍ମଣଙ୍କ ସହିତ ସମସ୍ତ ବାନର ଓ ଭଲ୍ଲୁକ ସେନା ଉଲ୍ଲସିତ ହୋଇ ପଡ଼ିଲେ l ସମସ୍ତେ ଏକ ସ୍ୱରରେ କହିଲେ ଏବେ ଲଙ୍କା ଅଭିଯାନ ଆରମ୍ଭ ହେଉ l ସମସ୍ତେ ତ କହି ଦେଲେ ହେଲେ ଏତେ ବିଶାଳ ରାମସେନା ସମୁଦ୍ର ପାର ହୋଇ ଲଙ୍କା ଯିବେ କେମିତି ? ବହୁ ବିଚାର ବିମର୍ଷ ପରେ ସ୍ଥିର ହେଲା ସାଗର ଉପରେ ସେତୁ ଗୋଟିଏ ନିର୍ମାଣ ହେବ l ପ୍ରଥମେ ପ୍ରଭୁ ଶ୍ରୀରାମ ଯାଇ ସମୁଦ୍ରକୁ ଟିକିଏ ନୀରିକ୍ଷଣ କରି ଆସିଲେ l ପ୍ରଭୁ ଆସି କେଉଁ ସ୍ଥାନରେ ସେତୁ ନିର୍ମାଣ ହେବ ବତାଇ ଦେବାରୁ ନିର୍ମାଣ ପାଇଁ ସବୁ ଆୟୋଜନ ଆରମ୍ଭ ହେଲା l ବାନର ମାନେ ବିଶାଳ ବିଶାଳ ପଥର ଖଣ୍ଡ ବୋହି ଆଣି ସମୁଦ୍ରରେ ପକାଇଲେ l କିନ୍ତୁ ସମସ୍ୟା ଉପୁଜିଲା ସେସବୁ ପଥର ସମୁଦ୍ରର ଅତଳ ଗର୍ଭରେ ବୁଡ଼ି ଯାଉ ଥାଏ l ବାନର ସେନା ଏଥିରେ ନିରାଶ ହୋଇ ପଡୁ ଥାନ୍ତି l ଜାମ୍ବବନ୍ତଙ୍କ କଥାରେ ପ୍ରଭୁ ଯାଇ ତେଣୁ ସିନ୍ଧୁ ରାଜଙ୍କୁ ପ୍ରାର୍ଥନା କଲେ l ସିନ୍ଧୁ ରାଜଙ୍କୁ ସେ ଅନୁରୋଧ କଲେ ଏହି ସେତୁ ନିର୍ମାଣପାଇଁ ପକାଯାଉଥିବା ସବୁ ଶିଳାକୁ, ପଥରକୁ ଆପଣ ଧାରଣ କରନ୍ତୁ l ପ୍ରଭୁଙ୍କ କଥାକୁ କିନ୍ତୁ ସାଗରରାଜ କର୍ଣ୍ଣପାତ କଲେ ନାହିଁ l ପ୍ରଭୁଙ୍କ ଏଥିରେ ବଡ଼ କ୍ରୋଧ ଆସିଗଲା,ସେ କୋଦଣ୍ଡରେ କାଣ୍ଡ ଯୋଖି ସାଗରଙ୍କ ଆଡକୁ ଲକ୍ଷ୍ୟ କରିବାରୁ ସାଗର ଭୟଭୀତ ହୋଇ ଆସି ପ୍ରଭୁଙ୍କର ଶରଣ ପଶିଲେ l ପ୍ରଭୁ ସିନ୍ଧୁରାଜଙ୍କୁ କ୍ଷମା କରିଦେଲେ l
ସିନ୍ଧୁରାଜ କହିଲେ, ଆପଣଙ୍କ ବାନର ସେନାରେ ନଳ ଓ ନୀଳ ନାମକ ଦୁଇ ବାନର ଅଛନ୍ତି l ସେ ଦୁଇ ଜଣ ପ୍ରଭୁ ବିଶ୍ୱକର୍ମାଙ୍କ ପୁତ୍ର,ସେମାନେ ଶିଳ୍ପ କଳାରେ ନିପୁଣ,ସେମାନେ ବରପ୍ରାପ୍ତ ହୋଇଛନ୍ତି ତାଙ୍କ ହାତ ଦ୍ୱାରା ଫିଙ୍ଗା ପଥର ଜଳରେ ନ ବୁଡ଼ି ଭାସିବ l ଆପଣ ସେହି ମାନଙ୍କ ଦ୍ୱାରା ଏ ସେତୁ ନିର୍ମାଣ କରନ୍ତୁ l ତାହାହିଁ ହେଲା ଏବଂ ମାତ୍ର ପାଞ୍ଚ ଦିନରେ ରାମ ସେତୁ ସେତୁ ବନ୍ଧର ନିର୍ମାଣ ଶେଷ ହୋଇଗଲା l ବାନର ଗଣ ବିଶାଳ ବିଶାଳ ପର୍ବତ ମାନ ଆଣି ନଳ, ନୀଳଙ୍କ ହାତକୁ ବଢ଼ାଇ ଦେଉ ଥିଲେ,ସେମାନେ ଏହାକୁ ରାମନାମ ସ୍ମରଣପୂର୍ବକ କନ୍ଦୁକ ପ୍ରାୟେ ସାଗରରେ ନିକ୍ଷେପ କରୁଥିଲେ l ପ୍ରଭୁ ଶ୍ରୀରାମ ସେହି ସୁନ୍ଦର ସେତୁ ନିର୍ମାଣ ହୋଇ ଯିବାରେ ଅତ୍ୟନ୍ତ ଆନନ୍ଦ ହେଲେ ଓ କପି ବଳଙ୍କ କାର୍ଯ୍ୟକୁ ପ୍ରଶଂସା କଲେ l ସୁନ୍ଦର ଭାବେ ଏ କଥା ରାମଚରିତ ମାନସରେ ସନ୍ଥ ତୁଳସୀ ଦାସ ପରି ପ୍ରକାଶ କରିଛନ୍ତି :-
ଶୈଳ ଵିଶାଲ ଆନି କପି ଦେହିଁ l
କନ୍ଦୁକ ଇବ ନଲ ନୀଲ ତେ ଲେହିଁ ll
ଦେଖି ସେତୁ ଅତି ସୁନ୍ଦର ରଚନା l
ଵିହସି କୃପାନିଧି ବୋଲେ ବଚନା ll
ପରମ ରମ୍ୟ ଉତ୍ତମ ୟହ ଧରନି l
ମହିମା ଅମିତ ଯାଇ ନହିଁ ବରନି ll
ପ୍ରଭୁ ସେତୁବନ୍ଧକୁ ଦେଖି ଏତେ ଖୁସି ହୋଇଗଲେ
ଯେ, ସେ କହିଲେ,ମୋର ଅନ୍ତରରେ ଏକ ପରମ କାମନା ଜାଗରିତ ହେଉଛି ମୁଁ ଏଠାରେ ଭଗବାନ ଶଙ୍କରଙ୍କୁ ପ୍ରତିଷ୍ଠା କରିବି :-
କରିହଉଁ ଇହାଁ ଶମ୍ଭୁ ଥାପନା l
ମେରେ ହୃଦୟ ୟହ ପରମ କଳପନା ll
ପ୍ରଭୁଙ୍କ ଏକଥା ଶୁଣି ସୁଗ୍ରୀବ ଚତୁଃର୍ଦିଗରେ ମୁନୀ ଋଷିମାନଙ୍କୁ ଆଣିବାପାଇଁ ବାନର ଗଣଙ୍କୁ ପଠାଇ ଦେଲେ l ସୁଗ୍ରୀବଙ୍କ କଥା ଅନୁସାରେ ବାନରଗଣ ଯାଇ ମୁନୀ ଗଣଙ୍କୁ ଯଥା ସମୟରେ ଡାକି ନେଇ ଆସିଲେ l ପ୍ରଭୁ ଶ୍ରୀରାମ ଅତ୍ୟନ୍ତ ଖୁସିହେଲେ ଓ ମୁନୀ ଋଷି ମାନଙ୍କ ସାହାଯ୍ୟରେ ଯଥା ଵିଧି ପୂଜା କରି ଲିଙ୍ଗ ସ୍ଥାପନା କଲେ l
ଶୂନି କପିଶ ବହୁ ଦୂତ ପଠାଏ l
ମୁନିବର ସକଲ ବୋଲି ଲେ ଆଏ ll
ଲିଙ୍ଗ ଥାପି ବିଧିବତ କରି ପୂଜା ll
ଶିବ ସମାନ ପ୍ରୀୟ ମୋହି ନ ଦୂଜା ll
ପ୍ରଭୁ ସେତୁବନ୍ଧରେ ଶିବ ଲିଙ୍ଗ ସ୍ଥାପନା କରି ସାରି କହିଲେ,ଭଗବାନ ଶଙ୍କରଙ୍କ ସମାନ ମୋର ଆଉ କେହି ପ୍ରୀୟ ନାହିଁ l ଯିଏ ଶିବ ଦ୍ରୋହି ହୋଇ ମୋ ଭକ୍ତ ବୋଲାଏ, ସେ ସ୍ୱପ୍ନରେ ସୁଦ୍ଧା ମୋତେ ଲାଭ କରି ପାରେ ନାହିଁ l ଶିବ ବିମୁଖ ପ୍ରାଣୀ, ମୋ ପ୍ରତି ଯେତେ ଭକ୍ତିଥିଲେ ମଧ୍ୟ, ତାକୁ ଅଧମ, ମୁଢ଼ ବୋଲି ମୁଁ କହିବି l ସେ ପ୍ରାଣୀର ଗତି ନର୍କକୁ l
ଶିବ ଦ୍ରୋହି ମମ ଭଗତ କହାୱା l
ସୋ ନର ସ୍ୱପନେହୁଁ ମୋହି ନ ପାୱା ll
ଶଙ୍କର ବିମୁଖ ଭଗତି ଚହ ମୋରି l
ସୋ ନାରକି ମୁଢ଼ମତି ଥୋରୀ ll
ଶେଷରେ ପ୍ରଭୁ କହିଲେ ଶଙ୍କର ଦ୍ରୋହି ଆଉ ମୋ ଭକ୍ତ,ପୁଣି ମୋତେ ଦ୍ରୋହ କରି ଶଙ୍କରଙ୍କୁ ଭକ୍ତି,ଏ ଦୁଇ ପ୍ରାଣୀଙ୍କୁ କଳ୍ପକଳ୍ପ ପର୍ଯ୍ୟନ୍ତ ନର୍କବାସ ହୋଇ ଥାଏ l
ଶଙ୍କର ପ୍ରୀୟ ମମ ଦ୍ରୋହି
ଶିବ ଦ୍ରୋହି ମମ ଦାସ l
ତେ ନର କରହିଁ କଳ୍ପ ଭରି
ଘୋର ନରକ ମହୁଁ ବାସ ll
ପ୍ରଭୁ ଶ୍ରୀରାମଙ୍କ ଦ୍ୱାରା ସେତୁବନ୍ଧରେ ସେହି ଲିଙ୍ଗ ପ୍ରତିଷ୍ଠା ହୋଇଥିବାରୁ ଏଠାରେ ପ୍ରଭୁ ସଦାଶିବଙ୍କୁ କୁହାଗଲା ଶ୍ରୀରାମେଶ୍ୱର l ପ୍ରଭୁ ପୁଣି ରାମଚରିତ ମାନସରେ ରାମେଶ୍ୱରଙ୍କ ମହିମା କହିବାକୁ ଯାଇ କହିଛନ୍ତି,” ଯିଏ ପ୍ରଭୁ ରାମେଶ୍ଵରଙ୍କୁ ଯାଇ ଦର୍ଶନ କରିବ, ସେ ସିଧା ବିଷ୍ନୁ ଲୋକ ପ୍ରାପ୍ତି ହେବ l ଯିଏ ଗଙ୍ଗା ଜଳରେ ପ୍ରଭୁ ଶ୍ରୀ ରାମେଶ୍ୱରଙ୍କୁ ଅଭିଷେକ କରାଇବ ସେ ସାଜୁଯ୍ୟ ମୁକ୍ତି ଲାଭ କରିବ l
ଯୋ ରାମେଶ୍ୱର ଦରଶନୁ କରିଇହିଁ l
ତନୁ ତଜୀ ମମ ଲୋକ ସିଧରିହହିଁ ll
ଯୋ ଗଙ୍ଗାଜଲୁ ଆନି ଚଢ଼ାଇହି l
ସୋ ସାଜୁଯ୍ୟ ମୁକ୍ତି ନର ପାଇଇହି ll
ପ୍ରଭୁ ଶ୍ରୀରାମ ସେତୁ ବନ୍ଧରେ ସେତୁ ପ୍ରତିଷ୍ଠା କରି କପିବଳ ଧରି ଲଙ୍କାରେ ପାଦ ଥାପିଲେ l ତେଣେ ରାବଣର ଦମ୍ଭ ଭାଜି ହୃତକମ୍ପ ହେବାକୁ ଲାଗିଲା l ସେ ନିଶ୍ଚିନ୍ତ ହୋଇ ବସିଥିଲା ସାଗର ପାର ହୋଇ ଏଠାରେ କେହି ପହଞ୍ଚି ପାରିବେ ନାହିଁ l ବର୍ତ୍ତମାନ କିନ୍ତୁ ତାହା ସମ୍ଭବ ହୋଇଗଲା ଦେଖି ସେ ପ୍ରମାଦ ଗଣିବାକୁ ଲାଗିଲା l ଅନନ୍ୟୋପାୟ ହୋଇ, ନିଜ ଯୋଦ୍ଧା ମାନଙ୍କୁ ଡାକି, ସେ ସମର ସଜ୍ଜା ଆରମ୍ଭ କରି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲା l
ସେତୁବନ୍ଧ ଓ ରାମେଶ୍ୱରମ୍ ପ୍ରତିଷ୍ଠା ହୋଇ ଗଲା ପରେ ଜାମ୍ବବାନ ଶ୍ରୀରଘୁନାଥଙ୍କୁ କରପତ୍ର ଯୋଡ଼ି କହିଲେ,’ ପ୍ରଭୁ ଆପଣଙ୍କ ନାମ ହିଁ ସେତୁ ଯାହାକୁ ଆଶ୍ରା କରି ନର ଏ ଭବସାଗରକୁ ପାରି କରୁଛନ୍ତି, ଆପଣଙ୍କ ନାମ ନେଲେ କେଉଁ କାର୍ଯ୍ୟ ଵା ଅସାଧ୍ୟ ରହିବ l
ସୁନହୁ ଭାନୁକୂଲ କେତୁ
ଜାମବନ୍ତ କର ଯୋରି କହହିଁ l
ନାଥ ନାମ ତଵ ସେତୁ
ନର ଚଢ଼ି ଭବସାଗର ତରହିଁ ll
ଜୟ ଶ୍ରୀରାମ
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971
ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ସେତୁବନ୍ଧ ପ୍ରତିଷ୍ଠା ପ୍ରସ୍ତାବ l 🙏

Leave A Reply

Your email address will not be published.