ସଂକଟରେ ଧୋୟାଞ୍ଚଳ ବିରି ଚାଷୀ : କାଳିମୁଣ୍ଡି ପରେ ବୋଡାପୋକ ଆକ୍ରମଣ
କୃଷି ବିଭାଗ ଓ ପ୍ରଶାସନ ନୀରବଦ୍ରଷ୍ଟା
ପଟ୍ଟାମୁଣ୍ଡାଇ୨/୧୧ :ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବନ୍ୟା ବିପନ୍ନ ଧୋୟାଞ୍ଚଳର ଅଣ୍ଢରା, ଅମୃତମଣୋହି,ବଲୁରିଆ ଦାଣ୍ଡିସାହି, କୃଷ୍ଣଦାସପୁର, ରାଉଳିଆ, ସିଂହଗାଁ ନୂଆପାଟଣା, କୋଳଥିଆ, ପେଣ୍ଠପାଳ, ତରଡ଼ିପାଳ ଓ ଅଳପୁଆ ଆଦି ରାଜସ୍ବ ଗ୍ରାମର ହଜାର ହଜାର ହେକ୍ଟର ଜମିରେ ଅର୍ଥକରି ବିରି ଫସଲ ଚାଷ କରାଯାଇଥିଲା। ସାଧାରଣତଃ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ବିରି ବୁଣା ଯାଇଥିଲା। ତେଵେ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ମାସରେ ବାରମ୍ବାର ବନ୍ୟା ଆସିବା ଯୋଗୁଁ ସାରଦ ଧାନ ସମୂଳେ ନଷ୍ଟ ହେବା ସହିତ ପନିପରିବା ଫସଲ ମଧ୍ୟ ନଷ୍ଟ ହୋଇଗଲା। ସର୍ବସ୍ବ ହରାଇ ବହୁ ଆଶା ଭରସା କରି ଧୋୟା ଞ୍ଚଳ ଚାଷୀମାନେ ବିରି ଚାଷ କରିଥିଲେ I କିନ୍ତୁ ପ୍ରଥମେ କାଳିମୁଣ୍ଡି ପୋକ ବିରି ଫସଲ ଖାଇ ଗଲେ Iକେନ୍ଦ୍ରାପଡ଼ା ଜିଲ୍ଲା କୃଷି ଅଧିକାରୀ, ପଟ୍ଟାମୁଣ୍ଡାଇ ବ୍ଲକ କୃଷି ଅଧିକାରୀ ଏବଂ ଜଝାଙ୍ଗ କେଭିକେର ପିପିଓ ମାନେ କ୍ଷେତ୍ର ପରିଦର୍ଶନ ବେଳେ ଚାଷୀଙ୍କ ପାଖରେ ପହଂଚିବା ସହିତ କୀଟନାସକ ପ୍ରୟୋଗ କରିବାକୁ ପରାମର୍ଶ ଦେଇ ଫେରି ଯାଇଥିଲେ । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ବିରି ଫସଲରେ କୀଟ ନାସକ ପ୍ରୟୋଗରେ ମୁଖ୍ୟ ବାଧକ ଭାବେ ଠିଆ ହେଲା । ଅଣ୍ଢରା ଓ ଦାଣ୍ଡିସାହି ଗ୍ରାମର ଅଧିକାଂଶ ବିରି ଚାଷୀ ବହୁ କଷ୍ଟ କରି ବିରି ଫସଲକୁ କାଳିମୁଣ୍ଡି କବଳରୁ ରକ୍ଷା କରିଥିଲେ।ଗତ ୩/୪ ଦିନ ମଧ୍ୟରେ ବୋଡାପୋକ ସୃଷ୍ଟି ହୋଇ କାଳିମୁଣ୍ଡି ପୋକ ଦାଉରୁ ବଞ୍ଚି ଯାଇଥିବା ବିରି ଫସଲକୁ ଖାଇ ସଫା କରି ଦେଲେଣି I ଯାହାଫଳରେ ବିରି ଚାଷ କରୁଥିବା ଚାଷୀମାନେ କୌଣସି ଉପାୟ ନପାଇ ଭାଗ୍ୟକୁ ଆଦରି ମୁଣ୍ଡରେ ହାତଦେଇ ବସିଛନ୍ତି I ବିଶେଷଜ୍ଞଙ୍କ ମତରେ ବୋଡାପୋକ କାଳିମୁଣ୍ଡି ପୋକ ଠାରୁ ଅଧିକ ମାରାତ୍ମକ I ବାରମ୍ବାର ବନ୍ୟାରେ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ସମ୍ପ୍ରତି ବିରି ଫସଲ ଶତକଡା ୮୦ ଭାଗ ନଷ୍ଟ ହୋଇଯାଇଥିବାରୁ ଚାଷୀମାନେ କିପରି ପରିବାର ପ୍ରତିପୋଷଣ କରିବେ ସେ ନେଇ ପ୍ରଶ୍ନ ଉଠିଛି I ତେଵେ କୀଟନାଶକ ସିଞ୍ଚନ ଦ୍ୱାରା ବୋଡାପୋକ ମରିବାର କୌଣସି ଗ୍ୟାରେଣ୍ଟି ନାହିଁ I ସମ୍ପ୍ରତି କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ କୀଟନାଶକ ସିଞ୍ଚନରେ ବାଧା ସୃଷ୍ଟି କରୁଛି। ଏଭଳି ସ୍ଥିତିରେ ପୁଣି ଥରେ ବିରି ବୁଣିବାର ସମୟ ଅତିକ୍ରାନ୍ତ ହୋଇଥିବାରୁ ସଂପୂର୍ଣ୍ଣ ଅସମ୍ଭବ ଅଟେ I କୃଷିବିଭାଗ ବିଭିନ୍ନ ପଂଚାୟତକୁ ଶଙ୍କର ଜାତୀୟ ବିରି ବିହନ ଗ୍ରାମ୍ୟ କୃଷି ଅଧିକାରୀଙ୍କ ଜରିଆରେ ଚାଷୀଙ୍କୁ ଯୋଗାଇ ଦେବା ପାଇଁ ପଦକ୍ଷେପ ନେଇଛନ୍ତି I ପ୍ରତ୍ୟେକ ଗାଁରେ ଶହ ଶହ ଚାଷୀ ଫାର୍ମର୍ସ ଆଇଡି ଖୋଲି କୃଷକ ଓଡିଶା ସଦସ୍ୟ ହୋଇଥିବାରୁ ସରକାରୀ ବିରି ବିହନ ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି I ଏଭଳି ଦୋଦୁଲ୍ୟମାନ ସ୍ଥିତିରେ ବିରି ଚାଷ ଆଦୌ କରିନଥିବା ଲୋକ ସରକାରୀ ବିହନ ନେବାକୁ ଦାବି କରୁଛନ୍ତି I ଯାହାଫଳରେ ଅଣ୍ଢରା ଭଳି ବ୍ୟାପକ ବିରି ଚାଷ କରିଥିବା ଚାଷୀମାନେ ଆବଶ୍ୟକ ସରକାରୀ ବିହନ ପାଉନଥିବା ଅଭିଯୋଗ ହୋଇଛି । କୃଷି ବିଭାଗ ଅବିଳମ୍ବେ ପର୍ଯ୍ୟାପ୍ତ ପରିମାଣରେ ଶଙ୍କର ଜାତୀୟ ବିରି ବିହନ ପ୍ରକୃତ ଚାଷୀଙ୍କୁ ଯୋଗାଇ ଦେବାକୁ ସ୍ଥାନୀୟ କୃଷକମାନେ ଦାବି କରିଛନ୍ତି।