ବିଶ୍ବ ଫଟୋଗ୍ରାଫି ଦିବସ

ଡା ଇପସିତା ପ୍ରଧାନ

ଏଇ ଅଳ୍ପ ଦିନତଳେ ମୁଁ ଆଇସିୟୁକୁ ଏଣ୍ଟ୍ରି କରିବା ପାଇଁ ହସ୍ପିଟାଲର ଗ୍ରାଉଣ୍ଡ ଫ୍ଲୋରରୁ ସିଢି ଆଡକୁ ଯାଉଥାଏ, ଲିଫ୍ଟ ସାମ୍ନାରେ ଟିକେ ଅଟକି ଯିବା ପାଇଁ ବାଧ୍ୟ ହେଲି। ଲିଫ୍ଟ ଭିତରକୁ ଏମରଜେନ୍ସିର ଷ୍ଟାଫ୍ ଷ୍ଟ୍ରେଚରରେ ଜଣେ ରୋଗୀଙ୍କୁ କ୍ୟାଥଲ୍ୟାବକୁ ସିଫ୍ଟ କରୁଥାନ୍ତି। ରୋଗୀ ଜଣଙ୍କ ଛାତି ଯନ୍ତ୍ରଣାରେ କଷ୍ଟ ବି ପାଉଥାନ୍ତି। ହେଲେ ସେଇ ସମୟରେ ତାଙ୍କର ଜଣେ ମହିଳା ସମ୍ପର୍କୀୟ ଲିଫ୍ଟ ଆଡକୁ ପଛ କରି ସିକ୍ବୀରିଟିକୁ କହୁଥା’ନ୍ତି, ଟିକେ ରୁହ ଭାଇ; ଆଉ ରୋଗୀଙ୍କ ମୁହଁ ଟିକେ ଦିଶିଲା ଭଳି ହେଉ ପଛେ ସେଲ୍ଫିଟେ ନେବାକୁ ଚେଷ୍ଟା କରୁଥା’ନ୍ତି। ଅବଶ୍ୟ ତା’ ଭିତରେ ଲିଫ୍ଟ ଡୋର ବନ୍ଦ ହୋଇଯାଇଥିଲା। ହେଲେ ମୁଁ ଟିକେ ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇ ଚାହିଁଲି ସେ ମହିଳାଙ୍କୁ। ମୋତେ ଆଶ୍ଚର୍ଯ୍ୟ ଲାଗୁଥାଏ ଯେ, ସତରେ କ’ଣ ମଣିଷ ଆଜି ଫଟୋଗ୍ରାଫିକୁ ନେଇ ଏତେ ଆଡିକ୍ଟେଡ୍? ଥରେ “ମୋବାଇଲ ଫଟୋଗ୍ରାଫି” ବିଷୟରେ ଲେଖିଲା ବେଳେ ମୁଁ ଉଲ୍ଲେଖ କରିଥଲି, କେମିତି ଆଜି ମଣିଷ ଗର୍ଭାବସ୍ଥା, ବେବି-ବମ୍ପ ଠୁ ଆରମ୍ଭ କରି ପ୍ରସବ, ଆଣ୍ଠେଇବା, ପେଟେଇବା, ଟୀକା ନେବା, ପାଣି ବଟଲ୍ କିଣା ହେବା, ସ୍କୁଲ୍ ଯିବା, ସକାଳୁ ଉଠି ଦାନ୍ତ ଘଷିବାଠାରୁ ଆରମ୍ଭ କରି ରାତିରେ ଶୋଇବା ପୂର୍ବରୁ ଲାଇଟ ଲିଭାଇବା ପର୍ଯ୍ୟନ୍ତ ସବୁ ଫଟୋ କ୍ଲିକ୍ କରୁଛନ୍ତି। ତେବେ ହୁଏତ ବହୁତ କମ୍ ଲୋକ ଏ କଥା ଜାଣିଥିବେ ଯେ, ସେମାନେ ଆଜି ଯେଉଁ ଫଟୋଗ୍ରାଫି ପାଇଁ ଏତେ କ୍ରେଜି ତା’ ପାଇଁ କ୍ୟାଲେଣ୍ଡରରେ ଗୋଟିଏ ଦିନ ସମର୍ପିତ କରି ୧୯ ଅଗଷ୍ଟକୁ ପ୍ରତିବର୍ଷ ବିଶ୍ବ ଫଟୋଗ୍ରାଫି ଦିବସ ବା World Photography Day ଭାବରେ ପାଳନ କରାଯାଏ।
୧୮୩୭ ମସିହାରେ ଫ୍ରେଞ୍ଚ ପଦାର୍ଥବିଜ୍ଞାନୀ, କଳାକାର ତଥା ଥିଏଟର ମଞ୍ଚ ଡିଜାଇନର୍ ଲୁଇସ୍ ଡାଗୁରେ ( Louis Daguerre), ଡାଗୁରିଓଟାଇପ୍ (Daguerreotype) ଫଟୋଗ୍ରାଫି ପ୍ରକ୍ରିୟାର ଉଦ୍ଭାବନ କରିଥିଲେ। ଏହି ପଦ୍ଧତି ଦ୍ବାରା ପଜିଟିଭ୍ ଇମେଜ୍ ଉତ୍ତୋଳନ କରାଯାଉଥିଲା। ପ୍ରଥମେ ସିଲଭର ଆୟୋଡାଇଡ୍ କୋଟ୍ ଥିବା ଏକ ତମ୍ବା ବା କପର ପ୍ଲେଟ୍ ଉପରେ କ୍ୟାମେରା ମାଧ୍ୟମରେ ଏକ ଲାଟେଣ୍ଟ୍ ଇମେଜ୍ ନିଆଯାଇ ତାକୁ ମରକ୍ୟୁରୀ ଭେପରକୁ ଏକ୍ସପୋଜ୍ କରାଯାଉଥିଲା। ପରେ ଏହାକୁ ଏକ ଲବଣ ବା ସଲ୍ଟ ସଲ୍ୟୁସନ୍ ଦ୍ଵାରା ଫିକ୍ସଡ ବା ସ୍ଥିର କରା ଯାଉଥିଲା। ଏହା ପୂର୍ବରୁ ୧୯୨୬ ମସିହାରେ ଲୁଇସ୍ ଡାଗୁରେଙ୍କ ସହକର୍ମୀ ଜୋସେଫ୍ ନାଇସଫୋର ନାଇସେପ୍ (Joseph Nicéphore Niépce) ହେଲିଓଗ୍ରାଫି ପଦ୍ଧତି ଉଦ୍ଭାବନ କରିଥିଲେ, ଯାହାକୁ କି ଫଟୋଗ୍ରାଫିର ପ୍ରାଥମିକ ପଦ୍ଧତି ବୋଲି ଧରାଯାଏ। ସେହି ସମୟରେ ନାଇସେପଙ୍କ ଦ୍ବାରା ଉତ୍ତୋଳନ କରାଯାଇଥିବା ଫଟୋ View From The Window At Le Gras ଫଟୋଗ୍ରାଫିର ପ୍ରାରମ୍ଭିକ ସମୟର ସୁରକ୍ଷିତ ସ୍ଥାୟୀ ବା ପରମାନେଣ୍ଟ ଫଟୋ। ଏହାକୁ ସେ ଗୋଟିଏ ମସୃଣ ପ୍ୟୁଟର୍ କୋଟେଡ୍ ପ୍ଲେଟ୍ ଉପରେ ଲାଇଟ୍ ସେନ୍ସିଟିଭ ବିଟ୍ବୁମେନ୍ ସାହାଯ୍ୟରେ ଉତ୍ତୋଳନ କରିଥିଲେ। କିନ୍ତୁ ୧୮୩୩ ମସିହାରେ ନାଇସେପଙ୍କ ମୃତ୍ୟୁ ପରେ ଡାଗୁରେ ନିଜର ଫଟୋଗ୍ରାଫି ପଦ୍ଧତି ଉଦ୍ଭାବନ କରିଥିଲେ। ଏହି ଡାଗୁରିଓ ଟାଇପ୍ ଫଟୋଗ୍ରାଫି ପଦ୍ଧତିକୁ ସେ ୧୮୩୯ ମସିହା, ଜାନୁଆରୀ ମାସରେ ଫ୍ରେଞ୍ଚ୍ ଏକାଡେମୀ ଅଫ୍ ସାଇନ୍ସକୁ ବିକ୍ରି କରିଥିଲେ। ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଅଗଷ୍ଟ, ୧୮୩୯ରେ ସରିଥିଲା ଏବଂ ୧୯ ଅଗଷ୍ଟ, ୧୮୩୯ରେ ଫ୍ରେଞ୍ଚ୍ ସରକାର ଏହାର ପ୍ୟାଟେଣ୍ଟ୍ କିଣିବା ପରେ ଏହି ପଦ୍ଧତିକୁ ସମ୍ପୂର୍ଣ୍ଣ ବିଶ୍ବକୁ ଅବଗତ କରାଇଥିଲେ। ସେହି ମୁହୂର୍ତ୍ତକୁ ସ୍ମରଣ କରି ଆଜି ସମ୍ପୂର୍ଣ୍ଣ ବିଶ୍ବରେ ୧୯ ଅଗଷ୍ଟକୁ ବିଶ୍ବ ଫଟୋଗ୍ରାଫି ଦିବସ ରୂପରେ ପାଳନ କରାଯାଉଛି।
୧୯୩୮ ମସିହାରେ ନିଜ ଆପାର୍ଟମେଂଟ ଝରକାରୁ ଡାଗୁରେଙ୍କ ଦ୍ବାରା ଉତ୍ତଳନ କରାଯାଇଥିବା ପ୍ୟାରିସର ଗୋଟିଏ ସଡ଼କର ଫଟୋ “Daguerre’s View Of The Boulevard du Temple” ହେଉଛି ପ୍ରଥମ ଫଟୋ, ଯେଉଁଥିରେ ମଣିଷର ଫଟୋଚିତ୍ର ଦେଖିବାକୁ ମିଳେ। ଡାଗୁରିଓଟାଇପ୍ ଫଟୋଗ୍ରାଫି ପଦ୍ଧତି ଦ୍ବାରା ଉଠାଯାଇଥିବା ସେହି ଫଟୋଟିରେ ସେହି ବ୍ୟସ୍ତବହୁଳ ରାସ୍ତାରେ ଯାତାୟାତ କରୁଥିବା କୌଣସି ଜଣେ ମଧ୍ୟ ମଣିଷର ଫଟୋ ଆସିନଥିବା ବେଳେ କେବଳ ରାସ୍ତାର ଗୋଟିଏ କୋଣରେ ନିଜ ଜୋତା ପଲିସ୍ କରାଉଥିବା ମଣିଷଟିର ଚିତ୍ର ଆସିଥିଲା। ଯଦିଓ ଏହା ଆକସ୍ମିକ ଥିଲା, କିନ୍ତୁ ରେକର୍ଡ ଅନୁସାରେ ଏହା ପ୍ରଥମ ମାନବ ଫଟୋଗ୍ରାଫି ଥିଲା। ସେହି ପଦ୍ଧତିରେ କୌଣସି ମୁଭିଙ୍ଗ ଅବଜେକ୍ଟ୍ ବା ଚଳପ୍ରଚଳ କରୁଥିବା ପ୍ରାଣୀର ଫଟୋଚିତ୍ର ନିଆଯାଇ ପାରୁନଥିଲା। ସେହି ୧୮୩୯ ମସିହାରେ ହିଁ ଆମେରିକାର ରୋବର୍ଟ କର୍ନେଲିୟସ୍ (Robert Cornelius) ନିଜର ଗୋଟିଏ ସେଲ୍ଫି ନେଇଥିଲେ। ପ୍ରଥମେ ସେ ଲେନ୍ସର କ୍ୟାପଟିକୁ ଭିଡିଦେଇ କ୍ୟାମେରା ଫ୍ରେମକୁ ଦୌଡିଯାଇ ଠିଆ ହୋଇଥିଲେ। ୧୮୬୧ ମସିହାରେ ପ୍ରଥମଥର ପାଇଁ ଦୀର୍ଘସ୍ଥାୟୀ ରଙ୍ଗୀନ ଫଟୋ ଉତ୍ତୋଳନ କରାଯାଇଥିଲା। ଏହା ପରେ ଫଟୋଗ୍ରାଫିର ପଦ୍ଧତିରେ ବିଭିନ୍ନ ନୂତନ ରିସର୍ଚ୍ଚ ଓ ପରିବର୍ତ୍ତନ ଜାରି ରହିଲା। ୧୯୫୭ ମସିହାରେ ପ୍ରଥମ ଡିଜିଟାଲ ଫଟୋଗ୍ରାଫି କରାଯାଇଥିଲା। ଏବଂ ଏହାର ଦୀର୍ଘ ୨୦ ବର୍ଷ ପରେ କୋଡାକର ଇଞ୍ଜିନିୟରମାନେ ଡିଜିଟାଲ କ୍ୟାମେରା ବନାଇବାରେ ସକ୍ଷମ ହୋଇଥିଲେ।
୨୦୧୦ ମସିହା, ଅଗଷ୍ଟ ୧୯ ତାରିଖରେ ପ୍ରଥମଥର ପାଇଁ ଅନଲାଇନ ଫଟୋଗ୍ରାଫି ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା, ଯେଉଁଥିରେ ଅନ୍ୟୁନ ୧୦୦ଟି ଦେଶର ୨୭୦ଜଣ ଫଟୋଗ୍ରଫର ନିଜନିଜର ଫଟୋ ସେୟାର କରିଥିଲେ। ରେକର୍ଡ ଅନୁସାରେ ଏହା ବିଶ୍ବ ଫଟୋଗ୍ରାଫି ଡେ ବା ବିଶ୍ବ ଫଟୋ ଦିବସର ପ୍ରଥମ ଅଫିସିଆଲ୍ ବିଶ୍ବସ୍ତରୀୟ ଆୟୋଜନ ଥିଲା।

ଭୁବନେଶ୍ୱର

Comments are closed.