ଫେବୃଆରୀ ୩ ରୁ ୫ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ -୨୦୨୪

ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଦିଆଯିବ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର:  ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ସ୍ଥାନୀୟ ଜନତା ମଇଦାନ ଠାରେ ଆୟୋଜିତ ହେଉଥିବା ପରିପ୍ରେକ୍ଷୀରେ ଆଜି ଲୋକସେବା ଭବନ କନଭେନସନ ସେଣ୍ଟର ସମ୍ମିଳନୀ କକ୍ଷରେ ଓଡିଆ ଭାଷା, ସାହିତ୍ଯ ଓ ସଂସ୍କୃତି ବିଭାଗ ମନ୍ତ୍ରୀ  ଅଶ୍ଵିନୀ କୁମାର ପାତ୍ର, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ,ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ଆର କାର୍ତ୍ତିକେୟନ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ  ସରୋଜ କୁମାର ସାମଲଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହେଉଥିବା ଏହି ବିଶ୍ଵସ୍ତରୀୟ ସମ୍ମିଳନୀକୁ ସାଫଲ୍ୟ ମଣ୍ଡିତ କରିବାପାଇଁ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ରହୁଥିବା ଓଡିଆ ଭାଇଭଉଣୀ ମାନଙ୍କ ସହୃଦୟ ସହଯୋଗ ନିମନ୍ତେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପାତ୍ର ଅନୁରୋଧ କରିଛନ୍ତି । ବିଭାଗୀୟ କମିଶନର ତଥା ଶାସନ ସଚିବ ସମ୍ମିଳନୀର ରୂପରେଖ, ଉଦ୍ଦେଶ୍ୟ ଓ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ ଅନେକ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବିଦ୍ୱାନ-ପଦ୍ମଶ୍ରୀ ପ୍ରଫେସର ହରମାନ କୁଲ୍‌କେ, ପ୍ରଫେସର ଉୱେ ସ୍କୋଡା, ପ୍ରଫେସର ଆର୍ଲୋ ଗ୍ରିଫିଥ୍‌ସ୍, ପ୍ରଫେସର ଆଣ୍ଟେ ସ୍କିମେଡ଼ିଚେନ୍ ଏବଂ ବହୁ ଜାତୀୟସ୍ତରର ବିଦ୍ୱାନ ଅଂଶଗ୍ରହଣ କରିବେ ।

ଓଡିଆ ଭାଷା ଏବଂ ଭାଷା ବିଜ୍ଞାନରେ ଅନନ୍ୟ ଅବଦାନ ପାଇଁ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ବର୍ଦ୍ଧିତ କରାଯିବ । ଏତଦ୍‌ବ୍ୟତୀତ ଜ୍ଞାନପୀଠ ପୁରସ୍କାର ବିଜେତା, ପଦ୍ମପୁରସ୍କାର ବିଜେତା, ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ବ୍ୟକ୍ତି, କବୀର ସମ୍ମାନ ପୁରସ୍କାରପ୍ରାପ୍ତ, ରାଜ୍ୟ ଏକାଡ଼େମୀର ସର୍ବୋଚ୍ଚ ପୁରସ୍କାର ବିଜେତାମାନଙ୍କୁ ସମ୍ମାନିତ କରାଯାଉଛି । ଏହି ସମ୍ମିଳନୀରେ ଓଡ଼ିଶାର ଗୌରବମୟ ଅତୀତ ଓ ପରିବର୍ତ୍ତନଶୀଳ ବର୍ତ୍ତମାନ ଏବଂ ପ୍ରେରଣାଦାୟୀ ଭବିଷ୍ୟତର ଏକ ସୁସଜ୍ଜିତ ପ୍ରଦର୍ଶନୀ ପ୍ରଦର୍ଶିତ ହେବ । ଏହି ପ୍ରଦର୍ଶନୀ ତିନୋଟି ବିସ୍ତୃତ ବିଷୟ ଏବଂ ସମୟସୀମା ଉପରେ ଆୟୋଜିତ ହୋଇଛି ଯଥା- ପ୍ରାଚୀନ, ମଧ୍ୟ ଏବଂ ଆଧୁନିକ ।

ଏହି ପ୍ରଦର୍ଶନୀରେ ଓଡ଼ିଆ ଭାଷା ଏବଂ ଲିପିର ଉତ୍ପତ୍ତି ଓ ବିବର୍ତ୍ତନ, ପ୍ରାଚୀନ ପ୍ରସ୍ତର ଅଭିଲେଖ, ତାମ୍ରଫଳକ, ତାଳପତ୍ର ପୋଥି, କଳିଙ୍ଗାଶୈଳୀର ମନ୍ଦିର ସ୍ଥାପତ୍ୟ, ଓଡ଼ିଶାର ନୌବାଣିଜ୍ୟ ସମ୍ପର୍କିତ କଳାକୃତିଗୁଡ଼ିକ ସୁଦୃଶ୍ୟ ଚିତ୍ରପଟ୍ଟ ମାଧ୍ୟମରେ ପ୍ରଦର୍ଶିତ ହେବ । ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ନବଜାଗରଣ ପ୍ରଦର୍ଶିତ ହେବ । ଓଡ଼ିଶାର କଳା ଏବଂ ଭାସ୍କର୍ଯ୍ୟ, ନୃତ୍ୟ ଏବଂ ସଙ୍ଗୀତ ପରମ୍ପରାଗୁଡ଼ିକ ପ୍ରଦର୍ଶିତ ହେବ । ପ୍ରିଣ୍ଟିଂ ପ୍ରେସର ଆଗମନ ଏବଂ ଓଡିଆ ଭାଷାର ପ୍ରସାରରେ ଏହାର ପ୍ରଭାବ ଉପଯୁକ୍ତ କଳାକୃତି ଏବଂ ଫଟୋ ସହିତ ପ୍ରଦର୍ଶିତ ହେବ। ସମସାମୟିକ ସମ୍ବାଦପତ୍ର, ପତ୍ରପତ୍ରିକା ଏବଂ ଆଧୁନିକ ଚିନ୍ତାନାୟକମାନଙ୍କର ଭାବଧାରା ପ୍ରଦର୍ଶିତ ହେବ।

ବର୍ତ୍ତମାନର ଯୁଗ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ। ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱ ସହିତ ପାଦ ମିଳାଇ ଓଡ଼ିଆ ଭାଷା ଓ ସାହିତ୍ୟ ଭବିଷ୍ୟତର ଆହ୍ୱାନର ଯଥାର୍ଥ ମୁକାବିଲା କରିବ। ଏହି ସମ୍ମିଳନୀ କେବଳ ଏହି ପ୍ରସଙ୍ଗରେ ବିଚାରବିମର୍ଶ କରିବ ନାହିଁ ବରଂ ବୃହତ୍ତର ବିଶ୍ୱଆଡ଼କୁ ଓଡ଼ିଆ ଭାଷାର ପ୍ରଗତିକୁ ପ୍ରମାଣ କରିବ। ଏହା ଓଡିଆ ଭର୍ଚୁଆଲ୍ ଏକାଡେମୀ ପ୍ରଦର୍ଶନ, ଉଇକିପିଡ଼ିଆ ଏବଂ ଓଡ଼ିଆ ଫଣ୍ଟ ସମ୍ପର୍କରେ ଆଲୋକପାତ କରିବ। ଓଡ଼ିଆ ଭାଷାର ଡିଜିଟାଲ୍ ଯୁଗ ଅଭିମୁଖେ ତା’ର ଯାତ୍ରାକୁ ପ୍ରଦର୍ଶିତ କରିବ।

୪ ଫେବୃଆରୀ ୨୦୨୪ ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଏକ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ସ୍କୁଲ ପିଲା ଏବଂ ଯୁବକମାନଙ୍କ ମଧ୍ୟରେ ପଠନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମୋବାଇଲ୍ ଲାଇବ୍ରେରୀ, ବସ୍ ଏବଂ ମୋବାଇଲ୍ ବୁକ୍‌ଆର୍ଟ ମାଧ୍ୟମରେ “ଆସ ପଢ଼ିବା” ର ଏକ ଧାରଣା ପ୍ରଦର୍ଶିତ ହେବ। ଅତୀତର କୃତବିଦ୍ୟ ସାଧକମାନଙ୍କର ଅବଦାନକୁ ସ୍ମରଣକରି ତାଙ୍କର ଆବକ୍ଷ ପ୍ରତିମୂର୍ତ୍ତି ଓ ତୈଳଚିତ୍ର ପ୍ରଦର୍ଶିତ ହେବ। ବିଶିଷ୍ଟ ବ୍ୟକ୍ତିବିଶେଷଙ୍କର ଓଡ଼ିଆ ଦସ୍ତଖତ ପ୍ରଦର୍ଶିତ ହେବ।

ପ୍ରଦର୍ଶନୀକୁ ପିଲାମାନଙ୍କ ପାଇଁ ଅଧିକ ଚଳଚଞ୍ଚଳ କରିବାକୁ ଡାକ ପ୍ରକୋଷ୍ଠ ଏବଂ ସୂଚନା ଫଳକ ପ୍ରଦର୍ଶିତ ହେବ। ଏକ ପୂର୍ଣ୍ଣାଙ୍ଗ ‘କୋଣାର୍କ ଅଶ୍ୱ’ ପ୍ରତିମୂର୍ତ୍ତିକୁ ପ୍ରତୀକ ଭାବରେ କେନ୍ଦ୍ରୀୟ ସ୍ଥଳରେ ସ୍ଥାନିତ କରାଯିବ। ବୌଦ୍ଧିକ ଅଧିବେଶନ ଏବଂ ସମ୍ମିଳନୀ କାର୍ଯ୍ୟକ୍ରମଗୁଡିକ ଜୀବନ୍ତଭାବରେ ପ୍ରସାରିତ ହେବ। ଭୁବନେଶ୍ୱରର କିଟ୍‌ଠାରେ ଏକ ଆନ୍ତର୍ଜାତିକ କବିତା ମହୋତ୍ସବ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହେବ। ରେଭେନ୍ସା ବିଶ୍ୱବିଦ୍ୟାଳୟ ଦ୍ୱାରା ଓଡିଆ ଚଳଚ୍ଚିତ୍ର ଏବଂ ଥିଏଟର ମହୋତ୍ସବ ସହିତ ଓଡ଼ିଆ ସିନେମା ଓ ମଞ୍ଚର ଭୂମିକା ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହେବ।

ଏତଦ୍‌ବ୍ୟତୀତ ବିଡ଼ିଏ ଏବଂ ବିଏମ୍‌ସିଙ୍କ ଦ୍ୱାରା ଭୁବନେଶ୍ୱର ନଗରରେ ଏକାମ୍ର ଉତ୍ସବ ଆୟୋଜିତ ହେବ। ଉକ୍ତ ସମ୍ମିଳନୀ ଓଡିଶାର ଲୋକମାନଙ୍କର ଏକ ସାମୂହିକ ପର୍ବ ଅଟେ। ଏହି କାରଣରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ, ବିଶ୍ୱବିଦ୍ୟାଳୟ, କଲେଜ ଏବଂ ବିଦ୍ୟାଳୟସ୍ତରରେ ପ୍ରତିଯୋଗିତା ଆୟୋଜିତ ହୋଇଛି। ସମ୍ମିଳନୀ ସହିତ ସହଭାଗୀ ହେବା ପାଇଁ ଓଡିଆ ଭାଷା ଏବଂ ସାହିତ୍ୟିକ କାର୍ଯ୍ୟକଳାପରେ ଆଗ୍ରହୀ ଥିବା ସମସ୍ତ ପଞ୍ଚାୟତରେ ଏକ ସ୍ୱତନ୍ତ୍ର ‘ଗ୍ରାମ ସଭା’ ଆୟୋଜନ କରାଯାଉଛି । ବ୍ଲକସ୍ତରରେ ମଧ୍ୟ ଏହି କାର୍ଯ୍ୟକ୍ରମଗୁଡ଼ିକ ପରିଚାଳିତ ହେବ ।

ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ୱ ତଥା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିଗୁଡ଼ିକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସମସ୍ତ ବିଭାଗ, ହିତାଧିକାରୀ, ସଙ୍ଗଠନ, ବ୍ୟକ୍ତି ଏବଂ ସ୍ୱେଚ୍ଛାସେବୀଙ୍କୁ ନେଇ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଏହି ସମ୍ମିଳନୀକୁ ସ୍ମରଣୀୟ କରିବା ପାଇଁ ଆସନ୍ତା ଫେବୃଆରୀ ୩ ତାରିଖ ତଥା ଉଦଘାଟାନୀ ଉତ୍ସବ ଅବସରରେ ପୂର୍ବାହ୍ନ ୧୧.୩୦ ଘଟିକା ସମୟରେ ରାଜ୍ୟ ତଥା ଦେଶବିଦେଶରେ ରହୁଥିବା ଓଡିଆ ଭାଇଭଉଣୀମାନେ ଏକକାଳୀନ “ବନ୍ଦେ ଉତ୍କଳ ଜନନୀ” ସଂଗୀତ ଗାନ କରିବାପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଛି ।

Comments are closed.