କୋଟି ସୂର୍ଯ୍ୟ ସମ ତେଜମୟୀ ଚତୁର୍ଭୁଜା ଶଙ୍ଖ ଚକ୍ର ଧନୁ, ତୀରଧାରିଣୀ, ସିଂହ ବାହିନୀ ମାଆ ହେଉଛନ୍ତି ଜଗଦ୍ଧାତ୍ରୀ l ସଂମ୍ପୂର୍ଣ୍ଣ ଜଗତକୁ ଧାରଣ କରୁ ଥିବାରୁ ତାଙ୍କ ନାମ ଜଗଦ୍ଧାତ୍ରୀ l ସେ ଜଗତର ପାଳନକର୍ତ୍ତ୍ରୀ ମହିଷାମର୍ଦ୍ଦିନୀ ମାଆ ଦୁର୍ଗାଙ୍କ ଅନ୍ୟ ରୂପ l
ମାଆ ଜଗଦ୍ଧାତ୍ରୀଙ୍କ ଆବିର୍ଭାବ ବିଷୟରେ ଗୋଟିଏ ପ୍ରାଚୀନ ପୌରାଣିକ ଆଖ୍ୟାନରହିଛି l ତଦନୁଯାୟୀ ମା’ ଦୁର୍ଗା ମହିଷାସୁର ବଧକ ରିବା ସମୟରେ ତାଙ୍କ ହସ୍ତରେ ସମସ୍ତ ଦେବତା ନିଜ ନିଜ ଆୟୁଧକୁ ଅର୍ପଣ କରିଥିଲେ l ମାଆ ମହିଷାସୁରକୁ ନିଧନ କଲାପରେ ଅଗ୍ନି,ବରୁଣ, ବାୟୁ ଏବଂ ଚନ୍ଦ୍ର ଆଦି ଦେବତାମାନେ ମନେମନେ ଚିନ୍ତାକଲେ ଯେ ମାଆଙ୍କର ନିଜସ୍ୱ କିଛି ଶକ୍ତିନାହିଁ l ଦେବୀ ଆମରି ତେଜ, ଅସ୍ତ୍ର ଆଦି ଗ୍ରହଣ କରି ମହିଷାସୁର ବଧକରିବାକୁ ସମର୍ଥ ହୋଇଛନ୍ତି l ଆମେହିଁ ପ୍ରକୃତରେ ଶକ୍ତିଧର ଓ ଶକ୍ତିର ଅଧିକାରୀ l ମା,ଦୁର୍ଗା ଏଥିରେ ମର୍ମାହତ ହୋଇ ଦେବତାଙ୍କ ଗର୍ବ ଖର୍ବ କରିବା ନିମନ୍ତେ ଜଗଦ୍ଧାତ୍ରୀ ରୂପରେ ଆବିର୍ଭୁତ ହେଲେ l ଦେଵତାଙ୍କ ସମ୍ମୁଖରେ ମାଆ ବିଡ଼ାଏ ତୃଣ ରଖି ପବନଦେବତାଙ୍କୁ ତାହା ଉଡ଼ାଇନେବାକୁ ଏବଂ ଅଗ୍ନି ଦେବଙ୍କୁ ତାହାକୁ ଦଗ୍ଧ କରିଦେବାକୁ କହିଲେ l ବହୁ ଚେଷ୍ଟା କରି ମଧ୍ୟ ବାୟୁ ଓ ଅଗ୍ନି ତାହା କରି ନ ପାରି ନିଜର ଗର୍ବ, ଅହଙ୍କାର ପାଇଁ ଲଜ୍ଜିତ ହେଲେ l ସେମାନେ ବୋଧକଲେ ଯେଉଁ ଶକ୍ତିଦ୍ୱାରା ସେମାନେ ଏ ବିଶ୍ୱକୁ ପରିଚାଳନା କରୁଛନ୍ତି ତାହା ସେହି ମାଆ ମହାମାୟାଙ୍କ ଶକ୍ତି l ସେ ହିଁ ଏହି ସଂସାରକୁ ଧାରଣ କରିଛନ୍ତି ଓ ସେ ହିଁ ହେଉଛନ୍ତି ବିଶ୍ୱଦ୍ଧାତ୍ରୀ ଓ ସେହି ହେଉଛନ୍ତି ଜଗଦ୍ଧାତ୍ରୀ l
ସେହି ରୂପରେ ଦେଵଗଣ ମାଆ ଜଗଦ୍ଧାତ୍ରୀଙ୍କ ପୂଜା ଉପାସନା କଲେ l ମାଆଙ୍କ ଆବିର୍ଭାବ ଦିବସ ଥିଲା କାର୍ତ୍ତିକ ଶୁକ୍ଳନବମୀ l ସେବେ ଠୁଁ ମା’ ଜଗଦ୍ଧାତ୍ରୀଙ୍କ ପୂଜା ହୋଇଆସୁଛି l ତାଙ୍କ ବାହନ ପଶୁରାଜସିଂହ l ତାଙ୍କ ବାହନ କେଶରୀ ଏକ ହସ୍ତୀ ମସ୍ତକ ବିଦାରଣ କରୁଥିବା ଦେଖା ଯାଏ l ସେଥିରୁ ମାଆ ଦେବତାଙ୍କ ଗର୍ବକୁ କିପରି ଚୂର୍ଣ୍ଣ କରିଥିଲେ ତାହାର ସୂଚନା ମିଳି ଥାଏ l ଏହି ଆଖ୍ୟାନକୁ ଆଧାରକରି ଭାରତର ବହୁ ଦେବାଦେବୀ ମନ୍ଦିର ମାନଙ୍କରେ ସିଂହ ଗଜକୁ ମାଡ଼ି ବସିଥିବା ମୂର୍ତ୍ତିମାନ ଦେଖା ଯାଇଥାଏ l ଶ୍ରୀକ୍ଷେତ୍ରର ମାଆ ବିମଳାଙ୍କ ମନ୍ଦିର ଓ ରୋହିଣୀକୁଣ୍ଡ ମଧ୍ୟଵର୍ତ୍ତୀ ସ୍ଥାନରେ ଏଭଳି ଏକ ମୂର୍ତ୍ତୀ ରହିଛି, ଯାହାକୁ ଲକ୍ଷ୍ୟ କରି ଭକ୍ତ ସାଲବେଗ ଗାଇଛନ୍ତି :-
ରୋହିଣୀ ପାଦୁକା କୁଣ୍ଡରଜ l
ସିଂହ ମାଡ଼ି ବସିଅଛି ଗଜ ll
ହସ୍ତୀ ବା ଗଜ ଏଠାରେ ଗର୍ବ ଅହଙ୍କାରର ପ୍ରତୀକ l
ଆଉ ଏକ କିମ୍ବଦନ୍ତୀ କହେ, ଦୁର୍ଗା ଯେତେ ବେଳେ ମହିଷାସୁରକୁ ବଧ କରିବାପାଇଁ ପ୍ରୟାସ କରୁଥିଲେ, ମହିଷାସୁର ବିଭିନ୍ନ ରୂପଧରି ମାଆଙ୍କ କବଳରୁ ଖସି ଯାଉଥିଲା l ଥରେ ମହିଷା ଗୋଟିଏ ଗଜ ରୂପ ଧରି ଥାଏ l ସେହି ସମୟରେ ଚତୁର୍ଭୁଜା ଜଗଦ୍ଧାତ୍ରୀ ରୂପ ଧାରଣକରି ମାଆ ଦୁର୍ଗା ସିଂହାରୁଢ଼ା ହୋଇ ଚକ୍ରରେ ହସ୍ତୀରୂପୀ ରାକ୍ଷସ ମସ୍ତକ ଛେଦନ କଲେ l ହସ୍ତୀର ଅନ୍ୟ ନାମ କରୀ l ମାଆ ଜଗଦ୍ଧାତ୍ରୀ ବଧ କରିଥିବା ରାକ୍ଷସର ନାମ କାରୀନ୍ଦ୍ରାସୁର l
ମା’ ଜଗଦ୍ଧାତ୍ରୀଙ୍କ ଆରାଧନା ତନ୍ତ୍ର ଶାସ୍ତ୍ରରୁ ଆନୀତ l ତନ୍ତ୍ରରେ ମାଆ ସତ୍ତ୍ୱଗୁଣର ପ୍ରତୀକ ଭାବେ ବର୍ଣ୍ଣିତା l ମାଆଙ୍କ ଅନ୍ୟ ରୂପ ଦୁର୍ଗା ଏବଂ କାଳୀ ଯଥା କ୍ରମେ ରଜ ଏବଂ ତମ ଗୁଣର ପ୍ରତୀକ l ମା’ ଜଗଦ୍ଧାତ୍ରୀଙ୍କ ପୂଜା ଭାରତର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଛି l କିନ୍ତୁ ପଶ୍ଚିମ ବଙ୍ଗର କୃଷ୍ଣନଗର ଓ ଚନ୍ଦନ ନଗରର ଜଗଦ୍ଧାତ୍ରୀ ପୂଜା ବିଶ୍ୱ ବିଖ୍ୟାତ l କୁହାଯାଏ ୧୭୫୫ ଖ୍ରୀଷ୍ଟାବ୍ଦରେ ପଶ୍ଚିମବଙ୍ଗ ନଦିଆଜିଲ୍ଲା କୃଷ୍ଣନଗରର ରାଜା କୃଷ୍ଣଚନ୍ଦ୍ର ରାୟ ସର୍ବପ୍ରଥମେ ଏ ପୂଜା ଆରମ୍ଭ କରିଥିଲେ l କିମ୍ବଦନ୍ତୀରୁ ଜଣାଯାଏ,ରାଜା କୃଷ୍ଣଚନ୍ଦ୍ର ରାୟ ସିରାଜୌଦ୍ଧଲାଙ୍କ କରଦ ରାଜା ଥିଲେ l ଥରେ ସେ ଠିକଭାବେ କର ପୈଠ ନକରି ପାରିବାରୁ ତାଙ୍କୁ ସିରାଜ ବନ୍ଦୀକଲେ l କିଛିଦିନ ପରେ ଏ ବିଷୟରେ ଦଫାରଫା ହୋଇ ସେ ମୁକ୍ତି ପାଇଲେ l ଶରତ ଋତୁ ହୋଇ ଥାଏ ଓ ଦୁର୍ଗା ପୂଜା ମଧ୍ୟ ଆରମ୍ଭ ହୋଇଯାଇ ଥାଏ l କୃଷ୍ଣ ଚନ୍ଦ୍ର ନୌକାରେ ବସି ଗଙ୍ଗା ସ୍ରୋତରେ ମୁର୍ଶିଦାବାଦରୁ ନଦିଆ ଫେରୁଥାନ୍ତି l ବାଟରେ ଥାଇ ସେ ବିବିଧ ବାଜଣା ବାଜୁଥିବା ଶୁଣିବାକୁ ପାଇଲେ l ସେଦିନ ଦଶମୀ ଥାଏ l ଲୋକମାନେ ବାଜା ବଜାଇ ଦୁର୍ଗୋତ୍ସବ ପାଳନ କରୁଥାନ୍ତି l ରାଜା ମାଆ ଦୁର୍ଗାଙ୍କ ନିଷ୍ଠାପର ଭକ୍ତ ଥିଲେ l ଦୁର୍ଗା ପୂଜା ସରିଲାଣି ଅଥଚ ମାଆଙ୍କ ପୁଜାରୁ ସେ ବଞ୍ଚିତ ହୋଇଛନ୍ତି, ଏହା ଭାବି ସେ ବଡ଼ ଦୁଃଖି ହେଲେ l ସେଦିନ ସନ୍ଧ୍ୟାରେ ମାଆ ଦୁର୍ଗା ଜଣେ ଛୋଟ କନ୍ୟା ରୂପରେ ତାଙ୍କ ସାମ୍ନାରେ ଆବିର୍ଭୁତା ହୋଇ କହିଲେ, ତୁ ମନ ଦୁଃଖ କରନା l ମୋତେ ତୁ ମାସକପରେ କାର୍ତ୍ତିକ ଶୁକ୍ଳ ନବମୀ ଦିନ ପୂଜାକରି ଆଶୀର୍ବାଦ ଲାଭକରିବୁ l ରାଜା କୃଷ୍ଣଚନ୍ଦ୍ର ଫେରି ଆସିଲେ l କୁଳ ପୁରୋହିତଙ୍କ ସହ କୃଷ୍ଣଚନ୍ଦ୍ର ପରାମର୍ଶ କରି ଜାଣିଲେ ଯେ ତାଙ୍କୁ ଆଦେଶ ଦେଇ ଥିବା ସେହି ଦେବୀ ହେଉଛନ୍ତି ମା’ ଜଗଦ୍ଧାତ୍ରୀ l ସେ ତୁରନ୍ତ ଜଣେ କାରିଗରଙ୍କୁ ଡକାଇ ମା’ ଜଗଦ୍ଧାତ୍ରୀଙ୍କ ଏକ ମୃଣ୍ମୟୀ ପ୍ରତିମା ଗଢ଼ାଇଲେ ଓ ମାଆ କହିଥିବା ତିଥିରେ ତାଙ୍କ ଆରାଧନା କଲେ l ଏବେ ମଧ୍ୟ ମାଆ ଜଗଦ୍ଧାତ୍ରୀଙ୍କ ପୂଜା କୃଷ୍ଣ ନଗରର ରାଜ ପ୍ରାସାଦରେ ମହା ଆଡ଼ମ୍ବରରେ ପାଳିତ ହେଉଛି l ମାଆଙ୍କ ପୂଜା ପରବର୍ତ୍ତୀକାଳରେ ମାଆ ଶାରଦାଦେବୀ କରିଥିଲେ ଓ ତାହା କ୍ରମେ ଏକ ପରମ୍ପରାରେ ପରିଣତ ହୋଇ ସାରା ବିଶ୍ୱରେ ପାଳିତ ହେଉଛି l
ଦୁର୍ଗାଙ୍କଭଳି ମା’ ଜଗଦ୍ଧାତ୍ରୀଙ୍କ ପାର୍ଶ୍ୱରେ ଶ୍ରୀଗଣେଶ ଶ୍ରୀସରସ୍ବତୀ ଆଦି ଦେବତାମାନେ ନ ଥାନ୍ତି l ମାଆ ସ୍ୱୟଂ ସମ୍ପୂର୍ଣ୍ଣା l ସେ ଆଦ୍ୟାଶକ୍ତି l ତାଙ୍କ ଶରୀରର ବର୍ଣ୍ଣ ଉଦୟଭାନୁ ବତ l ସେ ତ୍ରିନେତ୍ରା l ତାଙ୍କ ଦୁଇ ବାମହସ୍ତରେ ମାଆ ଧାରଣକରିଥାନ୍ତି ଶଙ୍ଖ ଓ ଧନୁ l ଡାହାଣ ଦୁଇହସ୍ତରେ ଚକ୍ର ଓ ଏକ ପଞ୍ଚମୁନ ବିଶିଷ୍ଟ ତୀକ୍ଷ୍ଣ ତୀର l ତାଙ୍କ ଗଳାରେ ଶୋଭା ପାଏ, ଉତ୍ଫଣ କାଳ ନାଗ l
ଆମ ଓଡ଼ିଶାରେ ଜଗଦ୍ଧାତ୍ରୀ ପୂଜା ବିଭିନ୍ନ ସ୍ଥାନରେ ମଧ୍ୟ ପାଳିତହେଉଛି l ବାରିପଦାର ଭଞ୍ଜପୁର ମାଆ ଜଗଦ୍ଧାତ୍ରୀ ପୂଜା ବହୁ ପୁରୁଣା ଓ ଓଡ଼ିଶା ବିଖ୍ୟାତ l ନିରବଚ୍ଛିନ୍ନ ଭାବରେ ୧୯୫୩ ରୁ ଏହା ପାଳିତହୋଇ ଆସୁଛି l ଏଠାରେ ତୋରଣ ନିର୍ମାଣପାଇଁ କଲିକତା ନଗରୀରୁ ସୁଦକ୍ଷ ଶିଳ୍ପୀ ମାନଙ୍କୁ ଅଣା ଯାଏ l ପୂଜା ଦେଖିବା ପାଇଁ ବାରିପଦାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ l
ମାଆ ଜଗଦ୍ଧାତ୍ରୀ ସମସ୍ତ ସଂସାରର ଧାତ୍ରୀ,ଏ ସମଗ୍ର ସଂସାରର ସୃଷ୍ଟି,ସ୍ଥିତି ଓ ଲୟର କାରଣ l ଧର୍ମ ମାସ କାର୍ତ୍ତିକରେ ମାଆଙ୍କ ଆରାଧନା ଏକ ବଳିଷ୍ଠ ଧର୍ମୀୟ ପରମ୍ପରାର ପରିଚାୟକ l ଆସନ୍ତୁ ଏହି ଅବସରରେ ମାଆଙ୍କ ଆଶୀର୍ବାଦ ଭିକ୍ଷା କରିବା l
ମତ୍ସମଃ ପାତକୀ ନାସ୍ତି ପାପଘ୍ନୀ ତ୍ୱତ୍ ସମାନହି l
ଏବଂ ଜ୍ଞାତ୍ୱା ମହାଦେବୀ,
ଯଥା ଯୋଗ୍ୟମ୍ ତଥା କୁରୁ ll
ଜୟ ମାଆ ଜଗଦ୍ଧାତ୍ରୀ
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ – 7693091971
Sign in
Sign in
Recover your password.
A password will be e-mailed to you.
Comments are closed.