କୂଳ ଖାଉଛି ବୁଢ଼ାବଳଙ୍ଗ: ଲୀନ ହେବାକୁ ଯାଉଛି ୫ଟି ଗାଁର ଚାଷ ଜମି, ଚିନ୍ତାରେ ନଦୀକୂଳବାସୀ

ବଢୁଛି ଜନ ଅସନ୍ତୋଷ,

ବେତନଟୀ  : ବର୍ଷକୁ ବର୍ଷ କୂଳ ଖାଇ ଚାଲିଛି ବୁଢ଼ାବଳଙ୍ଗ। ଯଦି ଏମିତି ନଦୀକୂଳ ଖାଇ ଚାଲେ, ତେବେ ଖୁବ୍‌ଶୀଘ୍ର ୫ଟି ଗାଁ ସହିତ ଶତାଧିକ ଏକର ଚାଷଜମି ନଦୀ ଗର୍ଭରେ ଲୀନ ହେବ। ଏହାକୁ ନେଇ ନଦୀକୂଳିଆ ଚାଷୀମାନେ ଆଶାଆଶଙ୍କାରେ କାଳାତିପାତ କରୁଛନ୍ତି। ଏପରି ଚିତ୍ର ବେତନଟୀ ବ୍ଲକ୍‌ ପାଟୁଳିପୁରା ପଞ୍ଚାୟତରେ ଦେଖିବାକୁ ମିଳିଛି।

ବର୍ଷାଦିନ ଆସିଲେ, ବୁଢ଼ାବଳଙ୍ଗ ନଦୀ ଅବବାହିକାରେ ଥିବା ବେତନଟୀ ବ୍ଲକ୍‌ ପାଟୁଳିପୁରା ପଞ୍ଚାୟତର ନାଖରା, ମଧୁନଣ୍ଡା, ଡେଁଫଉଦା, ଦେଓପଡ଼ା, ଖଣ୍ଡଦେଉଳିଆ ସମେତ ବଡ଼ସାହି ବ୍ଲକ ଅଧୀନ ଦେବସ୍ଥଳ, ଗମ୍ଭାରିଆ, ସୋରିଷକୋଠା ଆଦି ଗ୍ରାମବାସୀଙ୍କ ମନରେ ଛନକା ପଶିଯାଉଛି। ପ୍ରତିବର୍ଷ ନଦୀରେ ବନ୍ୟାଜଳ ଆସି ଶତାଧିକ ଏକର ଚାଷଜମି ନଷ୍ଟ ହେବା ସହ ଫସଲ ଉଜୁଡି ଯାଉଛି। ଚଳିତ ବର୍ଷ ମାଟି ଅତଡ଼ା ଖସି ନାଖରା ଗ୍ରାମର କାର୍ତ୍ତିକ ଖଣ୍ଡା, ପ୍ରସନ୍ନ ଖଣ୍ଡା, ଅନାଦି ବେହେରା, ମଧୁନଣ୍ଡା ଗ୍ରାମର ଶିବପ୍ରସାଦ ସାମଲ, ନିରଞ୍ଜନ ସାମଲ, ଡେଁଫଉଦା ଗ୍ରାମର ଗୋପୀନାଥ ଜେନା, ଉଚ୍ଛବ ଜେନା, ଅଞ୍ଜନ ସନ୍ତ୍ରା, ଦାମୋଦର ପ୍ରଧାନ, ପ୍ରାଣକୃଷ୍ଣ ଜେନା, ସଦାଶିବ ସାହୁ, ବଳଭଦ୍ର ପ୍ରଧାନ, ଉତ୍ତମ ଘଡ଼େଇ, ଦିଗମ୍ବର ମହାର୍ଣ୍ଣା, ଦେଓପଡା ଗ୍ରାମର ବାଲାଇ ସିଂ, ରବିକାନ୍ତ ପରିଡ଼ା, ଅଜୟ ପରିଡ଼ା ଓ ପ୍ରତାପ ସ୍ୱାଇଁଙ୍କ ଭଳି ବହୁ ଗ୍ରାମବାସୀଙ୍କର ଚାଷଜମି ନଦୀଗର୍ଭରେ ଲୀନ ହେବାକୁ ବସିଛି। ଅନୁରୂପ ଭାବେ ଡେଁଫଉଦା ଓ ମଧୁନଣ୍ଡା ଗ୍ରାମର ଏକାଧିକ ଘର ମଧ୍ୟ ନଦୀଗର୍ଭରେ ମିଶିଯିବାକୁ ବସିଲାଣି। ସ୍ଥାୟୀ ପ୍ରତିକାର ସ୍ୱରୂପ ବୁଢ଼ାବଳଙ୍ଗ ଆଡ଼ିବନ୍ଧ ନିର୍ମାଣ ସହିତ ପଥର ପ୍ୟାଚିଂ ପାଇଁ ଲୋକଙ୍କ ମଧ୍ୟରେ ଦାବି ଜୋର୍‌ ଧରିଛି। ଏନେଇ ବହୁଥର ସ୍ଥାନୀୟ ପ୍ରଶାସନଠୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ, ସ୍ଥାନୀୟ ଜନପ୍ରତିନିଧିଙ୍କୁ ବାରମ୍ବାର ଅବଗତ କରାଯାଇଛି। କେବଳ ପ୍ରତିଶ୍ରୁତି ମିଳିବା ଛଡ଼ା କିଛି ସୁଫଳ ମିଳିନାହିଁ।

Comments are closed.