ବିନା ବର୍ଷାରେ ବଜ୍ରାଘାତ; ‌ଛେଳିଚରାଳିଙ୍କ ମୃତ୍ୟୁ ଘଟିଛି।

ବେତନଟୀ : ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପାଟୁଳିପୁରା ପଞ୍ଚାୟତ ନଖରା ଗାଁରେ ରବିବାର ବିନା ବର୍ଷାରେ ହୋଇଥିବା ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସ୍ବର୍ଗତ ଉପେନ୍ଦ୍ର ପାଳଙ୍କ ପୁଅ ସୁଦର୍ଶନ (୪୫)।

ସୂଚନା ମୁତାବକ ସୁଦର୍ଶନ ଅପରାହ୍ନରେ ନିଜ ଗ୍ରାମ ପୋଖରୀ ନିକଟକୁ ଛେଳି ଚରାଇବା ପାଇଁ ଯାଇଥିବାବେଳେ ବିନା ବର୍ଷାରେ ବଜ୍ରାଘାତ ହେବାରୁ ସେ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ। ହେଲେ ନିଛାଟିଆ ସ୍ଥାନ ହୋଇଥିବାରୁ ତାଙ୍କୁ କେହି ଦେଖିପାରିନଥିଲେ କି ଏବିଷୟରେ କେହି ଜାଣିପାରିନଥିଲେ। ସନ୍ଧ୍ୟା ହେବାରୁ ଛେଳି ସବୁ ଆସି ଘରେ ପହଞ୍ଚି ଯାଇଥିବାବେଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ସୁଦର୍ଶନ ଆସିନଥିଲେ। ଘରଲୋକ ବ୍ୟସ୍ତ ବିବ୍ରତ ହୋଇ ଏଣେତେଣେ ଖୋଜାଖୋଜି କରି ଶେଷରେ ସୁଦର୍ଶନଙ୍କୁ ପୋଖରୀ ପାଖରେ ପଡିଥିବାର ଦେଖିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ଅଣାଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୈଶିଙ୍ଗା ପୁଲିସ ଖବର ପାଇ ୩୮/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁପୂର୍ବକ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ଓ ସୋମବାର ଶବବ୍ୟବଚ୍ଛେଦ କରିବା ପାଇଁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ପଠାଇବ।

Comments are closed.