ବିବାହ ଉତ୍ସବ ହୋଇଗଲା ଖଟା; ଭୋଜିଖାଇ ୧୦୦ରୁ ଅଧିକ ଅସୁସ୍ଥ ୨୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି

ଧର: ମଧ୍ୟପ୍ରଦେଶର ଧର ଜିଲ୍ଲାରେ ଏକ ବିବାହ ଉତ୍ସବ ଖଟା ହୋଇଯାଇଛି। କାରଣ ଶୁକ୍ରବାର ଦିନ ବିବାହ ଭୋଜି ଖାଇବା ପରେ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଥିଲେ। ଏମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଦିନ ପ୍ରାୟ ୧୧ଟାରେ ବିବାହ ଭୋଜି ଖାଇବା ପରେ ଅତିଥିମାନେ ନିଜ ଘରକୁ ଫେରି ଯାଇଥିଲେ। ତେବେ, ଘରକୁ ଫେରିବାର କିଛି ସମୟ ପରେ, ସେମାନେ ବାନ୍ତି କରିବା ଆରମ୍ଭ କରିଥିଲେ ଏବଂ ଅପରାହ୍ନ ପ୍ରାୟ ୩ଟା ସମୟରେ ପେଟଯନ୍ତ୍ରଣାରେ ପୀଡିତ ହୋଇଥିଲେ ଏବଂ ସନ୍ଧ୍ୟା ସୁଦ୍ଧା ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା।

ସେମାନଙ୍କୁ ତୁରନ୍ତ ଏହି ଅଞ୍ଚଳର ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଧାମନୋଦ ବ୍ଲକ ମେଡିକାଲ ଅଫିସର (ବିଏମଓ) ଡକ୍ଟର ବିଆର କୌଶଲ କହିଛନ୍ତି ଯେ ପ୍ରାୟ ୨୦ ଜଣଙ୍କୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ଏବଂ ଅନ୍ୟମାନଙ୍କୁ ବିଭିନ୍ନ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରୋଗୀମାନେ ଏହି ଅଞ୍ଚଳର ଏକ ମନ୍ଦିରରେ ଏକ ବିବାହ ସମାରୋହରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଖାଦ୍ୟ ଖାଇବା ପରେ, ସେମାନେ ବାନ୍ତି କରିବା ଆରମ୍ଭ କଲେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେମାନେ ଏବେ ବିପଦମୁକ୍ତ ଅଛନ୍ତି ବୋଲି କୌଶଲ କହିଛନ୍ତି।

ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଥିବାବେଳେ ଅନ୍ୟମାନଙ୍କୁ ପ୍ରାରମ୍ଭିକ ଚିକିତ୍ସା ପରେ ଡିସଚାର୍ଜ କରାଯାଇଥିଲା। ଏହା ଖାଦ୍ୟ ବିଷାକ୍ତ ହେବାର ଏକ ମାମଲା ବୋଲି ସେ କହିଛନ୍ତି।

Comments are closed.