ମହାଭାରତ ଯୁଦ୍ଧରେ ଦଶମ ଦିନରେ କୁରୁକ୍ଷେତ୍ର ରଣଭୂମିରେ ପିତାମହ ଭୀଷ୍ମ, ଅର୍ଜୁନଙ୍କ ବାଣରେ ଧରାଶାୟୀ ହେଲେ l ତାଙ୍କ ଅନୁରୋଧ ରକ୍ଷା କରି ଅର୍ଜୁନ ନିଜ ଅସ୍ତ୍ର ବିଦ୍ୟା ବଳରେ ଏକ ଶରଶଯ୍ୟା ପ୍ରସ୍ତୁତ କରିଦେଲେ l ପିତା ଶାନ୍ତନୁଙ୍କ ଠାରୁ ଇଚ୍ଛା ମୃତ୍ୟୁ ବର ପ୍ରାପ୍ତ ଭୀଷ୍ମ ସେଇଠି ଶୋଇ ରହିଲେ l ସେଇଠି ପଡ଼ିରହି ସେ ସୂର୍ଯ୍ୟଦେବଙ୍କ ଉତ୍ତରାୟଣ ମାର୍ଗକୁ ଅପେକ୍ଷା କରି ରହିଲେ l ବିଶ୍ୱାସ ରହିଛି, ଉତ୍ତରାୟଣକାଳରେ ମର୍ତ୍ତ୍ୟଲୋକ ଛାଡ଼ିଲେ ଆଉ ପୁନର୍ବାର ଫେରିବାପାଇଁ ପଡ଼ିନଥାଏ l କୁରୁକ୍ଷେତ୍ର ରଣ ଭୂମିରେ ପୁଣ୍ୟତୋୟା ଓଘବତୀ ନଦୀ ତଟ ଶରଶଯ୍ୟାରେପଡ଼ି ପ୍ରାପ୍ତ ଦିବ୍ୟ ଦୃଷ୍ଟି ବଳରେ ସେ ସମସ୍ତ ମହାଭାରତ ଯୁଦ୍ଧର ବିବରଣୀ ଜାଣିପାରୁ ଥିଲେ l
ପିତାମହ ସରଶଯ୍ୟାରେ ଶାୟିତଥିବା ଅବସ୍ଥାରେ ଦିନେ ଧର୍ମରାଜ ଯୁଧିଷ୍ଠିର କୃଷ୍ଣଙ୍କ ପାଖରେ ଯାଇ ପହଞ୍ଚି ଆଶ୍ଚର୍ଯ୍ୟ ହୋଇ, ଦେଖିଲେ ପ୍ରଭୁ ଶ୍ରୀକୃଷ୍ଣ ଧ୍ୟାନରତ l ଯୁଧିଷ୍ଠିର ପାଖରେ ପହଞ୍ଚି ପଚାରିଲେ, କେଶବ ! ଆପଣ କାହାକୁ ଧ୍ୟାନ କରୁଛନ୍ତି l ପ୍ରଭୁ କହିଲେ “ଦୀପ୍ତ ଅଗ୍ନି ଲିଭି ଯାଉଥିବା ପରି ଭୀଷ୍ମ ପିତା ମହଙ୍କ ଜୀବନ ଦୀପ ଲିଭି ଆସୁଅଛି l ସେ ପରମ ଜ୍ଞାନୀ l ତାଙ୍କ ଧର୍ମନୀତି, ରାଜନୀତି ଆଦି ଜ୍ଞାନର ତୁଳନାନାହିଁ l ପିତାମହ ଚାଲିଗଲା ପରେ ଏହି ସମସ୍ତ ଜ୍ଞାନ, ଏହି ସଂସାରରୁ ମଧ୍ୟ ଅସ୍ତମିତ ହୋଇଯିବ l ଚନ୍ଦ୍ର ଅସ୍ତଗଲେ ରଜନୀ ତେଜହୀନ ହୋଇଯିବା ପରି, ପିତାମହଙ୍କ ପ୍ରୟାଣରେ ଆମ ସଂସାରର ସେହି ଅବସ୍ଥା ହେବ l ଏହିକଥା ଭାବି ସେହି ପରମ ଜ୍ଞାନୀଙ୍କୁ ମୁଁ ଧ୍ୟାନ କରୁଛି l ହେ ଧର୍ମ ନନ୍ଦନ,ଆପଣ ଶୀଘ୍ର ଯାଇ ପିତାମହଙ୍କ ନିକଟରୁ ସେହି ସବୁ ଜ୍ଞାନ ଆହରଣ କର l” କୁନ୍ତୀ ନନ୍ଦନ କହିଲେ,”ହେ ମଧୁସୂଦନ ! ଆପଣଙ୍କ ଉପଦେଶ ଅନୁଯାୟୀ ମୁଁ ତାଙ୍କ ନିକଟକୁ ଯିବି, ଆପଣ ମଧ୍ୟ ମୋ ସହିତ ଚାଲନ୍ତୁ l”
ତତପରେ ପଞ୍ଚପାଣ୍ଡଵ,ଶ୍ରୀକୃଷ୍ଣ, ସାତ୍ୟକି, ସଞ୍ଜୟ, ଯୁଯୁତ୍ସୁ ଓ କୃପାଚାର୍ଯ୍ୟ ସାଥୀ ହୋଇ, ପିତାମହଙ୍କ ନିକଟରେ ପହଞ୍ଚିଲେ l ସେତେବେଳକୁ ବ୍ୟାସାଦି ମୁନି ଋଷି ମାନେ ପିତା ମହଙ୍କ ନିକଟରେ ପହଞ୍ଚି ସାରିଥାନ୍ତି l ସେମାନେ ପିତାମହଙ୍କ ଚରଣ ବନ୍ଦନା କରୁଥାନ୍ତି l ଭଗବାନ ଶ୍ରୀକୃଷ୍ଣ ସମସ୍ତଋଷି ମାନଙ୍କ ଚରଣରେ ପ୍ରଣାମ କରି,ପିତାମହ ଭୀଷ୍ମଙ୍କ ଚରଣ ବନ୍ଦନା କରି କହିଲେ,”ହେ ବିଶ୍ବବନ୍ଦନୀୟ,ପରମ ଜ୍ଞାନୀ, ବତ୍ସ ଯୁଧିଷ୍ଠିର ଆତ୍ମୀୟ ସୋଦର,ଆଚାର୍ଯ୍ୟ ଗୁରୁଜନଙ୍କୁ ହରାଇ, ବିଭୀଷିକା ମୟ କୁରୁକ୍ଷେତ୍ର ଯୁଦ୍ଧପରେ ଅତ୍ୟନ୍ତ ଶଙ୍କା ଗ୍ରସ୍ତ, ଶୋକ ଗ୍ରସ୍ତ ଏବଂ ମ୍ରିୟମାଣ ହୋଇ ପଡ଼ିଛନ୍ତି l ଆପଣ ତାଙ୍କ ଶୋକ ଦୂର କରି ଜ୍ଞାନୋପଦେଶ ଦିଅନ୍ତୁ l”
ଭୀଷ୍ମ କହିଲେ,”ହେ ହୃଷିକେଶ ! ଆପଣ ସମସ୍ତ ଜଗତର ସ୍ବାମୀ l ଆପଣଙ୍କୁ ଅଜଣା କଅଣ ଅଛି ଯେ ମୁଁ ଜ୍ଞାନୋପଦେଶ ଦେବି,କ୍ଷତବୀକ୍ଷତ ପୀଡ଼ା ଗ୍ରସ୍ତ ମୋ ଶରୀର ପାଇଁ ମୋ ମନ ବୁଦ୍ଧି କିଛି ସ୍ଥିର ରହୁ ନାହିଁ l ମୋର ବାକଶକ୍ତି ମଧ୍ୟ କ୍ଷୀଣ ହୋଇ ଯାଇଛି l ଏହିପରି ଅବସ୍ଥାରେ ମୁଁ କିଛି ଉପଦେଶ ଦେବା ପାଇଁ ଅସମର୍ଥ “l ଭଗଵାନ କହିଲେ, ହେ ପରନ୍ତପ ! ହେ ମହାଜ୍ଞାନୀ ଆପଣଙ୍କ ସମସ୍ତ ପୀଡ଼ା ଏହି ମୁହୂର୍ତ୍ତରେ ଦୂରହୋଇଯିବ l ଆପଣଙ୍କ ମନ ମୃତ୍ୟୁପର୍ଯ୍ୟନ୍ତ ସ୍ଥିର ହୋଇ ରହିବ l ଆଜି ଠାରୁ ଛପନ ଦିନ ପରେ ଉତ୍ତରାୟଣ କାଳରେ ଆପଣ ଏ ମର୍ତ୍ତ୍ୟ ଧାମରୁ ବିଦାୟ ନେବେ l ଆପଣ ଦିବ୍ୟଚକ୍ଷୁ ଲାଭ କରି, ସମସ୍ତ ବିଷୟ ସ୍ମରଣ କରି ପାରିବେ l ଆଜି ସନ୍ଧ୍ୟା ଉପଗତ,ଆମ୍ଭେ ମାନେ ଚାଲିଯାଉଛୁ l କାଲି ପୁଣି ସାକ୍ଷାତ ହେବ l”
ପରଦିନ ଶ୍ରୀକୃଷ୍ଣ ଓ ଯୁଧିଷ୍ଠିର କର୍ତ୍ତୃକ ଅନ୍ୟମାନେ ଯାଇ ପିତାମହଙ୍କ ଶରଶଯ୍ୟା ନିକଟରେ ଉପସ୍ଥିତ ହେଲେ l ଶ୍ରୀକୃଷ୍ଣ ପିତାମହଙ୍କ ସର୍ବ କୁଶଳ ପୁଛା କରନ୍ତେ ସେ କହିଲେ,” ହେ ଅଚ୍ୟୁତ ! ଆପଣଙ୍କ ଅନୁଗ୍ରହରୁ ମୋର ସମସ୍ତ କଷ୍ଟ,ଦୁଃଖ ଏବଂ ଗ୍ଲାନି ଦୂର ହୋଇଛି l ବର୍ତ୍ତମାନ,ମୁଁ ଅତୀତ,ଭବିଷ୍ୟତ ସବୁକିଛି ଦେଖିପାରୁଛି, ଏବେ ଯୁଧିଷ୍ଠିରଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବା ନିମନ୍ତେ ମୁଁ ସମର୍ଥ l ଧର୍ମଜ୍ଞ କୁନ୍ତୀ ନନ୍ଦନ ନିଃସଙ୍କୋଚ ଚିତ୍ତରେ ମୋତେ ପ୍ରଶ୍ନ ପଚାରନ୍ତୁ l ମୁଁ ମୋ ଯଥାଶକ୍ତି ବିଚାର ବୁଦ୍ଧି ଦ୍ୱାରା ତାଙ୍କର ସମସ୍ତ ସଂଶୟ ଦୂର କରିବି l”
ଏହା ପରେ ଯୁଧିଷ୍ଠିର ରାଜନୀତି,ଧର୍ମନୀତି, ଅର୍ଥ ନୀତି,ନ୍ୟାୟ,ଦଣ୍ଡ,ଭେଦ ଇତ୍ୟାଦି ବିଷୟକ ପ୍ରଶ୍ନ ମାନ ପଚାରି ଚାଲିଲେ l ପିତାମହ ତାଙ୍କୁ ଗୋଟି ଗୋଟି କରି ସେ ସବୁକୁ ବୁଝାଉ ଥାନ୍ତି l ବୁଝାଇବା ଛଳରେ ସେ ବହୁ ଉପାଖ୍ୟାନ, ଆଖ୍ୟାୟିକା ମାନ କହି ଚାଲିଥାନ୍ତି l ବହୁ ମନୋରମ ଆଖ୍ୟାନ ଏବଂ ଆଖ୍ୟାୟିକା ଛଳରେ ପିତାମହଙ୍କ ଏହି ଉପଦେଶ ମହାଭାରତ ଗ୍ରନ୍ଥ ମଧ୍ୟରେ, ଏକ ବିଶାଳ ଅଧ୍ୟାୟ l ମହାଭାରତର ଶାନ୍ତି ଓ ଅନୁଶାସନ ପର୍ବରେ ଏହା ଲିପିବଦ୍ଧ ହୋଇଛି l ଦୀର୍ଘ ପାଞ୍ଚଦିନ ଧରି ପାଣ୍ଡଵ ଶ୍ରେଷ୍ଠ ଯୁଧିଷ୍ଠିର ଏସବୁ ପିତାମହଙ୍କ ଠାରୁ ଶ୍ରବଣ କରିଥିଲେ l
ପିତାମହଙ୍କ ଉପଦେଶ ଶୁଣି ଯୁଧିଷ୍ଠିରଙ୍କ ସମସ୍ତ ଶଙ୍କା ଦୂରହେଲା l ସେ ଅତୀବ ପ୍ରସନ୍ନ ହେଲେ l ସର୍ବ ଶେଷରେ ପିତାମହ ତାଙ୍କୁ କହିଲେ,” ଏବେ ତୁମେ ଯାଅ l ଦେଵ ଗଣ ଓ ପିତୃ ଗଣଙ୍କୁ ସନ୍ତୁଷ୍ଟ କରି ପ୍ରଜା ମାନଙ୍କର ମନୋରଞ୍ଜନ କର l ସୁହୃଦ ମାନଙ୍କୁ ସ୍ନେହ ପାଶରେ ବାନ୍ଧି ରଖ l ପକ୍ଷୀମାନେ ଯେପରି,ବଳବାନ ବୃକ୍ଷମାନଙ୍କୁ ଆଶ୍ରୟକରି ରହି ଥାନ୍ତି, ସେମାନେ ସେହି ପରି ତୁମକୁ ଆଶ୍ରୟ କରି ରୁହନ୍ତୁ l” ତାଙ୍କ ଉପଦେଶ ଗ୍ରହଣ କରି ଯୁଧିଷ୍ଠିର ଫେରି ଆସିଲେ l
ପଚାଶ ଦିନ ପରେ ଭୀଷ୍ମଙ୍କ ସ୍ଵର୍ଗାରୋହଣ ସମୟ ଆସିଗଲା l ବିଦାୟ ପାଇଁ ପୁଣି ସମସ୍ତେ ଉପସ୍ଥିତ ହେଲେ,ସୂର୍ଯ୍ୟଦେବଙ୍କ ଉତ୍ତରାୟଣ ହେବା ସଙ୍ଗେ ସଙ୍ଗେ ଯୋଗ ଓ ଧ୍ୟାନପୂର୍ବକ ପରଂବ୍ରହ୍ମଙ୍କ ଠାରେ ଧ୍ୟାନ ଲଗାଇ ପିତାମହ ଦେହତ୍ୟାଗ କଲେ l ସେ ଦେହ ତ୍ୟାଗ ପୂର୍ବରୁ ଯୁଧିଷ୍ଠିରଙ୍କୁ ପୁଣି କହିଗଲେ, “ହେ କୁନ୍ତୀ ନନ୍ଦନ ! ଶୋକ କର ନାହିଁ l ସତ୍ୟକୁ ଆଶ୍ରୟ କରି ରାଜ୍ୟ ଶାସନ କର l” ଧୃତରାଷ୍ଟ୍ରଙ୍କୁ କହିଲେ,”ରାଜା ! ତୁମେ ଶାସ୍ତ୍ରବେତ୍ତା ଓ ଧର୍ମଜ୍ଞ l ଯାହା ଘଟିବାରେ ଥିଲା ଘଟି ଯାଇଛି l ପାଣ୍ଡୁପୁତ୍ର ମାନଙ୍କୁ ତୁମ୍ଭେ ନିଜପୁତ୍ର ମନେକରି ପାଳନକର l ତୁମର ଦୁରାତ୍ମା ପୁତ୍ର ମାନଙ୍କ ପାଇଁ, ଆଉ ଶୋକ କରନାହିଁ l”
କୃଷ୍ଣଙ୍କୁ ଚାହିଁ କହିଲେ,” ହେ ଦେବେଶ, ସୁରାସୁର ବନ୍ଦିତ ତ୍ରିବିକ୍ରମ, ହେ କୃଷ୍ଣ,ହେ କେଶବ, ବିଶ୍ୱାତ୍ମା ପୁରୁଷୋତ୍ତମ !ଏବେ ମୋତେ ଯିବାପାଇଁ ଅନୁମତି ଦିଅ l ତୁମେ ପାଣ୍ଡଵ ମାନଙ୍କର ରକ୍ଷା କର୍ତ୍ତା l ଯୁଦ୍ଧ ଆରମ୍ଭହେବା ପୂର୍ବରୁ ମୁଁ ମୂର୍ଖ ଦୁର୍ଯ୍ୟୋଧନକୁ ଏହା କହିଥିଲି ଯେଉଁ ଠାରେ ଶ୍ରୀକୃଷ୍ଣ, ସେହିଠାରେ ଧର୍ମ ଓ ଯେଉଁଠି ଧର୍ମ ସେଇଠି ଜୟ l ପାଣ୍ଡଵ ମାନଙ୍କ ସହିତ ତୁମେ ସନ୍ଧିକର l କିନ୍ତୁ ତାହା ହେଲାନାହିଁ l ହେ କେଶବ ! ଏହି ଶରୀର ତ୍ୟାଗ ପାଇଁ ଆପଣ ମୋତେ ଅନୁମତି ଦିଅନ୍ତୁ,ମୋ ଆତ୍ମା ପରମ ଗତି ପ୍ରାପ୍ତ ହେଉ l” ଯୁଧିଷ୍ଠିରଙ୍କୁ ଚାହିଁ କହିଲେ, ତୁମେ ମୋତେ କିଛି ପୁଷ୍ପ ଆଣିଦିଅ l ମୁଁ ଶ୍ରୀକୃଷ୍ଣଙ୍କ ପଦ ବନ୍ଦନା କରେ l” ପୁଷ୍ପ ଆସିଲା l ଅଣା ଯାଇଥିବା ପୁଷ୍ପରେ ଭଗବାନ ଶ୍ରୀକୃଷ୍ଣଙ୍କ ପଦ ବନ୍ଦନା କରି ଗଙ୍ଗାନନ୍ଦନ ଭକ୍ତିଗଦଗଦ ହୋଇ କହିଲେ,”ହେ ଜନାର୍ଦ୍ଦନ,ହେ ସର୍ବାନ୍ତର୍ଯ୍ୟାମୀ,ହେ ସୃଷ୍ଟି,ସ୍ଥିତି,ଲୟ ଓ ପାଳନର କାରଣ, ମୋତେ ଆପଣଙ୍କର ସେହି ଭୁବନମୋହନ ବିଶ୍ଵ ରୂପକୁ ଟିକିଏ ଦେଖାଇ ଏହି ଦୁଃଖ, ଶୋକମୟ ସଂସାରରୁ ମୋତେ ଚିର ଦିନ ପାଇଁ ମୁକ୍ତିଦିଅନ୍ତୁ ପ୍ରଭୋ ! ମୋତେ ଶ୍ରେଷ୍ଠ ସ୍ଥାନକୁ ଗମନ କରିବାର ଆଶୀର୍ବାଦ ଦିଅନ୍ତୁ l”
ଅନ୍ୟ ମାନଙ୍କୁ ଅଦୃଶ୍ୟ, ଭଗବାନ ତାଙ୍କର ଅପୂର୍ବ ବିଶ୍ୱରୂପକୁ ଭୀଷ୍ମଙ୍କୁ ଦର୍ଶନ କରାଇ ତାଙ୍କର ହାତ ମୁଠାକୁ ପରମ ଶ୍ରଦ୍ଧା ସହ ଜାବୁଡି ଧରି କହିଲେ, “ପିତାମହ ଆପଣ ନିଷ୍ପାପ,ପିତୃଭକ୍ତ ଓ ମହାମୁନି ମାର୍କଣ୍ଡେୟଙ୍କ ତୁଲ୍ୟ l ମୃତ୍ୟୁ କ୍ରୀତଦାସ ଭାବରେ ଆପଣଙ୍କ ଆଜ୍ଞାଧୀନ l ଆପଣଙ୍କ ଯଶ,କୀର୍ତ୍ତି ଏହି ସଂସାରରେ ସ୍ୱର୍ଯ୍ୟଙ୍କ ଜ୍ୟୋତିପରି ଝଲସୁଥାଉ l ମୁଁ ଅନୁମତି ଦେଉଛି, ଆପଣ ଦେହତ୍ୟାଗ କରି ପରମ ଧାମ ପ୍ରାପ୍ତ ହୁଅନ୍ତୁ ତଥା ଶୀଘ୍ର ବସୁ ଗଣଙ୍କ ସହିତ ମିଳିତ ହୁଅନ୍ତୁ l
ସମସ୍ତଙ୍କ ଠାରୁ ବିଦାୟ ନେଇ ମୂଳାଧାର ଚକ୍ରରେ ପିତାମହ ଧ୍ୟାନ ନିବିଷ୍ଟ କଲେ ଏବଂ ତାଙ୍କ ଆତ୍ମା ଓ ଅବରୁଦ୍ଧ ପ୍ରାଣ ଉର୍ଦ୍ଧ୍ୱଗାମୀ ହେବାକୁ ଲାଗିଲା l ମୃତ୍ୟୁ ସମୟରେ ତାଙ୍କର ଯେଉଁ ଅଙ୍ଗ ପ୍ରତ୍ୟଙ୍ଗରୁ ପ୍ରାଣ ଛାଡ଼ି ଯାଉଥିଲା ସେଥିରୁ ଶର ସବୁ ଖସି ପଡୁଥିଲା l ତାଙ୍କ ସମସ୍ତ ଶରୀରରୁ ପ୍ରାଣ ବାୟୁ ଉଡ଼ିଯିବା ପରେ, ଶରୀର ଶରଶଯ୍ୟା ଛାଡ଼ି ଭୂମି ଶଯ୍ୟା ଗ୍ରହଣକଲା l ଶ୍ରୀକୃଷ୍ଣ, ଯୁଧିଷ୍ଠିର ଓ ତାଙ୍କ ଭାଇମାନେ,ଗାନ୍ଧାରୀ, ଧୃତରାଷ୍ଟ୍ର, କୁନ୍ତୀ,ଦ୍ରୌପଦୀ ଆଦି କୁରୁବଂଶୀ, ଜ୍ଞାତି ବର୍ଗ ସମସ୍ତେ ଶୋକପୂର୍ଣ୍ଣ ନୟନରେ ସେହି ଆଶ୍ଚର୍ଯ୍ୟ ଦୃଶ୍ୟକୁ ଦେଖୁ ଥିଲେ l
ପିତାମହଙ୍କ ସ୍ୱର୍ଗାରୋହଣ ସମୟରେ ପ୍ରକୃତିରେ ସଙ୍ଗୀତର ମର୍ମର ଧ୍ୱନୀ ଗୁଞ୍ଜରି ଉଠିଲା l ସହଶ୍ର କଦମ୍ବର ସୁରଭିତ ହିଲ୍ଲୋଳ ଦେବଲୋକରୁ ପୃଥ୍ଵୀ ଲୋକକୁ ଭାସି ଆସିଲା l ଉପସ୍ଥିତ ସମସ୍ତ ସଜ୍ଜନ ହୃଦୟରେ ଅଦ୍ଭୁତ ପ୍ରଶାନ୍ତି ଲାଭ କଲେ l ଶ୍ରୀମଦ ଭାଗବତରେ ଏ ଦୃଶ୍ୟର ଅତି ସୁନ୍ଦର ବର୍ଣ୍ଣନାକରି ଅତିବଡ଼ି କହିଛନ୍ତି :-
ଦେଖନ୍ତି ସୁର ନର ମୁନି l
ଗଙ୍ଗା ନନ୍ଦନ ହେଲେ ତୁନି ll
ଶରୀର ତେଜି ଭାବ ମୋହେ l
ପଶିଲେ ଗୋବିନ୍ଦର ଦେହେ ll
ଭୀଷ୍ମ ମରଣ ଦେଖି ଭଲେ l
ଯେ ଅବା ଥିଲେ କୃଷ୍ଣ ତୁଲେ ll
ମଉନେ ବସିଲେ ସମସ୍ତେ l
ପକ୍ଷୀଏ ଯେହ୍ନେ ଦିନ ଅନ୍ତେ ll
ତକ୍ଷଣେ ଦୁନ୍ଦୁଭି ଶବଦ l
ଦେବମାନବେ କଲେ ବାଦ୍ୟ ll
ଏହିସମୟରେ ଉପସ୍ଥିତ ସମସ୍ତେ ଶ୍ରୀକୃଷ୍ଣଙ୍କୁ ଚାହିଁ ପ୍ରାର୍ଥନା କରୁଥିଲେ ହେ ମାଧବ! ହେ କେଶବ! ହେ ନାରାୟଣ ! ହେ ପରମାନନ୍ଦ ! ଆପଣଙ୍କର କୃପା ବଳରେ ଏ ସଂସାରରେ କଅଣ ବା ସମ୍ଭବ ହୋଇ ନ ପାରେ ! ସମସ୍ତେ ଶ୍ରୀକୃଷ୍ଣଙ୍କ ପଦ ବନ୍ଦନା କରି କହୁଥିଲେ,”ଯତ୍କୃପାତମହଂ ବନ୍ଦେ ପରମାନନ୍ଦ ମାଧବମ୍ “l
କୁରୁକ୍ଷେତ୍ର ରଣ ଭୂମିରେ ଶର ଶଯ୍ୟାରେ ଶାୟିତ ଭୀଷ୍ମ ପ୍ରବଳ ତୃଷ୍ଣାରେ ଆକୁଳ ହୋଇ ଯେଉଁଦିନ ଜଳ ଭିକ୍ଷା କରିଥିଲେ ସେଦିନ ଥିଲା କାର୍ତ୍ତିକ ଶୁକ୍ଳ ଏକାଦଶୀ l ଶ୍ରୀକୃଷ୍ଣଙ୍କ ଉପଦେଶରେ ସବ୍ୟସାଚୀ ଧରଣୀକୁ ବାଣ ବିଦ୍ଧ କରି ପରମପାବନୀ ଗଙ୍ଗାରୁ ଉତ୍ଥିତ ଜଳ ଭୀଷ୍ମଙ୍କ ମୁଖରେଦେଇ ତାଙ୍କର ତୃଷ୍ଣା ନିବାରଣ କରିଥିଲେ l ଶ୍ରୀକୃଷ୍ଣ ସେହିଠାରେ ରହି ଘୋଷଣା କଲେ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚ ଦିନ ଯେଉଁ ମନୁଷ୍ୟ ମାନେ ତୁମକୁ ଜଳାର୍ଘ୍ୟ ଦାନ କରିବେ, ସେମାନେ ମୋତେ ତୃପ୍ତ କରିବେ ଏବଂ ସାଜୁଯ୍ୟ ମୁକ୍ତି ଲାଭ କରି, ବୈକୁଣ୍ଠ ପ୍ରାପ୍ତ ହେବେ l ଏହା ଭୀଷ୍ମପଞ୍ଚକ ନାମରେ ଖ୍ୟାତହେବ l ଏହାହିଁ ଭୀଷ୍ମ ପଞ୍ଚକର ପୌରାଣିକ କାହାଣୀ l
ଆଜନ୍ମବ୍ରହ୍ମଚାରୀ ଗଙ୍ଗାନନ୍ଦନ ସତ୍ୟବ୍ରତ ଭୀଷ୍ମଙ୍କୁ ଜଳ ଅର୍ଘ୍ୟ ପ୍ରଦାନ କରି ସନ୍ତାନ ପ୍ରାପ୍ତି କାମନାରେ ଅନେକ ଭୀଷ୍ମ ପଞ୍ଚକ ବ୍ରତ ପାଳନ କରି ଥାଆନ୍ତି l ସନ୍ତାନ ହୀନ ବ୍ୟକ୍ତିଙ୍କ ନିମନ୍ତେ ଭୀଷ୍ମ ପଞ୍ଚକ ବ୍ରତ ପାଳନୀୟ l ଏ କଥା ପଞ୍ଚକରେ ନିମ୍ନ ଅର୍ଘ୍ୟଦାନ ମନ୍ତ୍ରରୁ ସୁସ୍ପଷ୍ଟ ହେଉଛି :-
ସତ୍ୟବ୍ରତାୟ ଶୁଚିୟେ ଗାଙ୍ଗେୟାୟ ମହାତ୍ମନେ l
ଭୀଷ୍ମାୟୈତଦ୍ ଦଦାମ୍ୟର୍ଘ୍ୟମାଜନ୍ମବ୍ରହ୍ମଚାରିଣେ ll
ବୈୟାଘ୍ୟପଦ ଗୋତ୍ରାୟ ସାଂସ୍କୃତ ପ୍ରବରାୟ ଚ l
ଅପୁତ୍ରାୟ ଦଦାମ୍ୟେତଦୁଦକଂ ଭୀଷ୍ମ ବର୍ମଣେ ll
ବତ୍ସନାମବତାରାୟ ଶାନ୍ତନୋ ରାତ୍ମଜାୟ ଚ l
ଅର୍ଘ୍ୟଂ ଦଦାମି ଭୀଷ୍ମାୟ ଆଜନ୍ମ ବ୍ରହ୍ମଚାରିଣେ Il
ଅର୍ଥାତ ଯାହାଙ୍କର ବ୍ୟାଘ୍ରପଦ ଗୋତ୍ର l ଏବଂ ଯିଏ ସାଂସ୍କୃତପ୍ରବର,ସେହି ପୁତ୍ରହୀନ ଭୀଷ୍ମ ମହାତ୍ମାଙ୍କୁ ମୁଁ ଏହି ଜଳ ଅର୍ଘ୍ୟ ଦେଉଛି l ସେହି ବସୁ ମାନଙ୍କ ଅବତାର,ଶାନ୍ତନୁ ପୁତ୍ର, ଆଜନ୍ମ ବ୍ରହ୍ମଚାରୀ ଭୀଷ୍ମଙ୍କୁ ମୁଁ ଅର୍ଘ୍ୟ ଦେଉଛି I
ନମଃ ଭୀଷ୍ମାୟ, ଗାଙ୍ଗେୟ,
ସତ୍ୟବ୍ରତାୟ ନମଃ ନମଃ ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971
Sign in
Sign in
Recover your password.
A password will be e-mailed to you.
Next Post
Comments are closed.