ଭୀମଙ୍କ ମହାଦେବ ପୂଜନ

ଅର୍ଜୁନୀ ଚରଣ ବେହେରା

ଦ୍ୱିତୀୟ ପାଣ୍ଡଵ ବୃକୋଦର ମହାବଳି ଭୀମସେନ ମହାଭାରତରେ ମହାନ ଗଦାଧର ଭାବେ ଖ୍ୟାତ l ତୃତୀୟ ପାଣ୍ଡଵ ଅର୍ଜୁନ ମହାନ ଧନୁର୍ଦ୍ଧର ଭାବରେ ଖ୍ୟାତ l ଉଭୟ ମହାଭାରତର ବିଖ୍ୟାତ ଯୋଦ୍ଧା l ଉଭୟ ଯୋଦ୍ଧା ଥିଲେ ଭଗବାନ ଶିବଙ୍କର ପରମ ଭକ୍ତ l କିନ୍ତୁ ତାଙ୍କର ପୂଜା ପଦ୍ଧତି ଥିଲା ପରସ୍ପର ଠାରୁ ସମ୍ପୂର୍ଣ୍ଣ ଭିନ୍ନ l ଫାଲଗୁନି ବୈଦିକ କର୍ମକାଣ୍ଡ ପଦ୍ଧତିରେ ମହାଦେବଙ୍କ ପୂଜା କରୁଥିଲା ବେଳେ, ଭୀମ ଏସବୁରେ ବିଶ୍ୱାସ କରୁନଥିଲେ l ସେ ପ୍ରତି ଦିନ କେବଳମାତ୍ର କିଛିସମୟ ଧ୍ୟାନରେ ବସିରହି ମହାଦେବଙ୍କ ମାନସିକପୂଜା କରୁଥିଲେ l ତାଙ୍କର ଏଭଳି ସରଳ ପୂଜା କେହି ଜାଣି ପାରୁ ନ ଥିଲେ l
କିନ୍ତୁ ଏକଥା ପାଣ୍ଡଵ ସଖା ଶ୍ରୀକୃଷ୍ଣ ଭଲ ଭାବରେ ଜାଣିଥିଲେ l
ପ୍ରୀୟ ସଖା ଶ୍ରୀକୃଷ୍ଣ ଅର୍ଜୁନଙ୍କ ମନୋଭାବକୁ ପ୍ରତି ମୁହୂର୍ତ୍ତରେ ପରଖି ଥାନ୍ତି l ସେ ଥରେ ଲକ୍ଷ୍ୟ କଲେ ଶିବଙ୍କ ପୂଜା ଉପାସନା କରୁଥିବା ହେତୁ ଅର୍ଜୁନଙ୍କ ମନରେ ଟିକିଏ ଅହଂ ଭାବ ଉଙ୍କି ମାରୁଛି l ମନେ ମନେ ସେ ଭାବୁଥାନ୍ତି,ଭାଇ ଭୀମ ବୟସରେ ମୋ ଠାରୁ ବଡ଼,ଗଦାଯୁଦ୍ଧରେ ପ୍ରବୀଣ ମଧ୍ୟ,ମାତ୍ର ପୂଜା ପାଠରେ ମୁଁ ହିଁ ଅଗ୍ରଣୀ l ତାଙ୍କର ଏହି ଅହଂଭାବ ଦୂର ପାଇଁ ଶ୍ରୀକୃଷ୍ଣ ଏକଦା ସଖାଙ୍କୁ ସାଥିରେ ଧରି କୈଳାଶ ପର୍ବତକୁ ହର ହର ମହାଦେବଙ୍କ ଦର୍ଶନ ଉଦ୍ଦେଶ୍ୟରେ ଗଲେ l କୈଳାଶରେ ପହଞ୍ଚି ଅର୍ଜୁନ ଭକ୍ତି ଗଦଗଦ ହୋଇ ଶିବ ଲିଙ୍ଗରେ ଲକ୍ଷେ ଚମ୍ପା, ଲକ୍ଷେ ବେଲପତ୍ରୀ ଚଢ଼ାଇଲେ l ସେ ପୁଣି ଲକ୍ଷେ କୁମ୍ଭ ଜାହ୍ନବୀଜଳରେ ଲିଙ୍ଗଙ୍କୁ ଜଳଶାୟୀ କଲେ l ବାକି ରହିଥାଏ ଶିବଙ୍କ ଦର୍ଶନ l ଶ୍ରୀକୃଷ୍ଣ କହିଲେ, ଚାଲ ପାଖରେ ରମଣୀୟ ମାନସରୋବର ରହିଛି ଟିକିଏ ଦର୍ଶନ କରି ଆସିବା l
ଉଭୟ ମାନସରୋବର ଦିଗରେ ଅଗ୍ରସର ହେଉ ଥାନ୍ତି ଦେଖିଲେ ପର୍ବତ ଆକାରର ସ୍ବର୍ଣ୍ଣଚମ୍ପା ଫୁଲ ଶଗଡ଼ରେ ଲଦା ହୋଇ ଆସୁଛି l ପୁଣି ଆଉ କିଛି ଶଗଡ଼ରେ ପର୍ବତାକାର ବେଲପତ୍ର ଲଦା ହୋଇଛି ଓ ଆଉ କେତେକ ଶଗଡ଼ରେ ଅସଂଖ୍ୟ କୁମ୍ଭଭର୍ତ୍ତି ଗଙ୍ଗାଜଳ ଲଦା ହୋଇଛି l ଏହା ଦେଖି ଅର୍ଜୁନଙ୍କ ବିସ୍ମୟର ସୀମା ରହିଲାନାହିଁ,ଆଶ୍ଚର୍ଯ୍ୟହୋଇ ସେ ଭାବୁଥାନ୍ତି ଏସବୁ ଯାଉଛି କେଉଁଠିକି,ଏସବୁ କିଏ ପଠାଉଛି l ଏମିତି ଭାବି ସେ ଶଗଡ଼ିଆଙ୍କୁ ଏକଥା ପଚାରିଲେ l ଶଗଡ଼ିଆ କହିଲେ,ବାଟ ଛାଡ଼ ହୋ, ତୁମ ପ୍ରଶ୍ନର ଉତ୍ତରଦେବାକୁ ଆମ ପାଖରେ ବେଳ ନାହିଁ l ରାତି ପାହିଲେ ଲକ୍ଷେ ଚମ୍ପା, ଲକ୍ଷେ ବେଲ ପତ୍ର, ଲକ୍ଷେ କୁମ୍ଭ ଗଙ୍ଗା ଜଳ ମହାଦେବଙ୍କୁ ଲାଗି ହେବ l ସେଥିପାଇଁ ଆମେ ନ ଖାଇ ନ ପିଇ ଲାଗି ପଡ଼ିଛୁ l ଅର୍ଜୁନ କହିଲେ,” ଭାଇ ତେବେ ମୋତେ ଖାଲି ଟିକିଏ ବତାଇଦିଅ କେଉଁ ମହାତ୍ମା ଏସବୁର ଆୟୋଜନ କରିଛନ୍ତି”l
ଶଗଡ଼ିଆ ମାନେ ଟିକିଏ ବିରକ୍ତ ହୋଇ କହିଲେ, ଆହେ ତୁମେ ଜାଣିନାହଁ,ପ୍ରତିଦିନ ମହାବଳି ଭୀମ ମହାଦେବଙ୍କ ପାଇଁ ଏଭଳି ପୂଜା ସାମଗ୍ରୀ ପଠାଇ ଥାନ୍ତି l ଆମେ ବର୍ଷ ସାରା ତାଙ୍କରି କାମରେ ଲାଗି ରହିଛୁ l ଏହାଶୁଣି ଅର୍ଜୁନ ପ୍ରଭୁଙ୍କ ଆଡ଼କୁ ବିସ୍ମୟ ବିସ୍ଫାରିତ ନେତ୍ରରେ ଚାହିଁଲେ l ପ୍ରଭୁଙ୍କ ଅଧରରେ ଫୁଟି ଉଠିଲା ସେହି ଭୁବନ ମୋହନ ହସ l ପ୍ରଭୁ କହିଲେ,” ସଖେ ତୁମ ଜ୍ୟେଷ୍ଟ ଭ୍ରାତାଙ୍କ ଶିବ ଭକ୍ତି ଓ ଶିବ ପୂଜନକୁ ଦେଖିଲ ତ ! ଏହା କ’ଣ ତୁମକୁ ଆନନ୍ଦ ଦେଉନାହିଁ”? ଶ୍ରୀକୃଷ୍ଣଙ୍କ ପାଦତଳେ ଲମ୍ବ ହୋଇ ପଡିଯାଇ ଅର୍ଜୁନ କହିଲେ,” ସଖେ ଆପଣ ବାସ୍ତବରେ ଗର୍ବ ଗଞ୍ଜନ, ମନରେ ମହାଦେବଙ୍କର ପୂଜାର୍ଚ୍ଚନା ନେଇ ଏବଂ ତାଙ୍କର ବଡ଼ ଭକ୍ତ ବୋଲି ମୋ ମନରେ ଯେଉଁ ଅହଂଭାବ ଜାତ ହୋଇଥିଲା ତାହା ଆପଣ ନାଶ କରି ଦେଲେ l କର୍ମ କାଣ୍ଡରେ ବିଶ୍ୱାସନରଖି ମଧ୍ୟ ଭାଇ ଭୀମସେନ କିପରି ହର ହର ମହାଦେବଙ୍କ ପୂଜା କରି ପାରୁଛନ୍ତି ତାହା ମୁଁ ସ୍ଵ ଚକ୍ଷୁରେ ଦେଖି ପାରିଲି l ଆଜି ମୋର ସମସ୍ତ ଭ୍ରମ ଦୂର ହୋଇ ଗଲା,ମୋର ଆଜି ସମସ୍ତ ମୋହ ଚୁର୍ଣ୍ଣ ହୋଇଛି l
!!! ଜୟ ଶିବଶମ୍ଭୁ !!!
ଅର୍ଜୁନୀ
——————

ମୋ -7693091971

Comments are closed.