ଭାରତୀୟ ନାଗରିକ ପରିଚୟ ସବୁଠୁ ଉପରେ

ନୂଆଦିଲ୍ଲୀ: ପ୍ରତ୍ୟେକ ଭାରତୀୟଙ୍କର ବିଭିନ୍ନ ପରିଚୟ ରହିଛି। ସେଗୁଡ଼ିକ ମଧ୍ୟରେ ଜାତି, ବର୍ଣ୍ଣ, ଭାଷା ଆଦି ଅତ୍ୟନମ। କିନ୍ତୁ ‘ଭାରତୀୟ ନାଗରିକ’ ପରିଚୟ ଏସବୁର ଊର୍ଦ୍ଧ୍ବରେ। ୭୭ତମ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଦେଶର ସତ୍ୟ ଓ ଅହିଂସା ନୀତିକୁ ବିଶ୍ବର ବିଭିନ୍ନ ରାଜନୈତିକ ସଂଗ୍ରାମରେ ସଫଳତାର ସହିତ ଉପଯୋଗ କରାଯାଇଥିବାର ଉଜ୍ଜ୍ବଳ ଉଦାହରଣ ରହିଛି। ପ୍ରାଚୀନ ଯୁଗରୁ ଭାରତର ତୃଣମୂଳ ସ୍ତରରେ ଗାଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ କାର୍ଯ୍ୟ କରି ଆସୁଥିଲେ। କିନ୍ତୁ ଦୀର୍ଘବର୍ଷର ‌ଔପନିବେଶିକ ଶାସନ ସେସବୁକୁ ନଷ୍ଟ କରିଦେଇଛି। ୧୯୪୭ ମସିହା ଅଗଷ୍ଟ ୧୫ରେ ଦେଶ ଏକ ନୂଆ ସକାଳ ଦେଖିଲା। ଆମେ କେବଳ ବିଦେଶୀ ଶାସନରୁ ମୁକ୍ତ ହେଲୁ ନାହିଁ; ଆମର ଭାଗ୍ୟକୁ ପୁନର୍ବାର ଲେଖିବାର ସ୍ବାଧୀନତା ପାଇଲୁ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି l ୭୭ତମ ସ୍ବାଧୀନତା ଦିବସ ପାଇଁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆମ ସମସ୍ତଙ୍କ ପାଇଁ ଏହା ଏକ ପବିତ୍ର ଏବଂ ଗୌରବର ଉତ୍ସବ। ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ ଏବଂ ବୟସ୍କ ବ୍ୟକ୍ତିମାନେ ଯେଭଳି ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ଉକ୍ତ ଉତ୍ସବକୁ ପାଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ତାହା ଆମ ପାଇଁ ଆନନ୍ଦ ଏବଂ ଗୌରବର ବିଷୟ। ଅତ୍ୟନ୍ତ ଉତ୍ସାହର ସହିତ ଲୋକମାନେ ଆଜାଦୀ କା ଅମୃତ ମହୋତ୍ସବକୁ ପାଳନ କରୁଛନ୍ତି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି।

 

 

Comments are closed.