ଗଜପତି,(ମନୋଜ କୁମାର ପାଢୀଙ୍କ ରିପୋର୍ଟ) ୨୦/୧୦: ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଶେଷରେ ଚେତିଲା ପ୍ରଶାସନ। ନିର୍ମାଣର ମାତ୍ର ଦୁଇ ମାସ ନପୂରୁଣୁ ଦବିଯାଇଥିବା ଷ୍ଟେଜ୍ ଉପରେ ସିମେଣ୍ଟ କଂକ୍ରିଟ୍ ପକାଇ ମରାମତି କରାଯାଇଛି। ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ୍ ବସ୍ତ୍ରୀଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନିର୍ମିତ ଏହି ଷ୍ଟେଜ୍ର ଅବସ୍ଥାକୁ ନେଇ ପୂର୍ବରୁ ପ୍ରଶ୍ନ ଉଠିଥିବା ବେଳେ ଖବର ପ୍ରକାଶ ପରେ ମରାମତି କାର୍ଯ୍ୟ କରାଯାଇଛି।
ସୂଚନା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ), ଗଜପତି ପକ୍ଷରୁ ଏହି ଷ୍ଟେଜ୍ ନିର୍ମାଣ ପାଇଁ ଏକ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା। ପଞ୍ଚାୟତ କାର୍ଯ୍ୟାଳୟରେ ସଭା, ସଚେତନତା କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ପାଇଁ ଏହା ନିର୍ମାଣ କରାଯାଇଥିଲା। କିନ୍ତୁ ନିର୍ମାଣର ଅଳ୍ପ ଦିନ ମଧ୍ୟରେ ଷ୍ଟେଜ୍ଟି ମଝିରୁ ଦବିଯାଇଥିବା ଦେଖାଯାଇଥିଲା। ଏହାକୁ ନେଇ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଓ ତଦାରଖକୁ ନେଇ ପ୍ରଶ୍ନ ଉଠିଥିଲା।
ବିଭିନ୍ନ ଗଣମାଧ୍ୟମରେ ଏହି ଘଟଣା ପ୍ରସାରିତ ହେବା ପରେ ଷ୍ଟେଜ୍ ଉପରେ ପୁନର୍ବାର ସିମେଣ୍ଟ କଂକ୍ରିଟ୍ ପକାଇ ମରାମତି କରାଯାଇଛି। ତେବେ କେବଳ ଉପରିଭାଗରେ କଂକ୍ରିଟ୍ ପକାଇବା ଦ୍ୱାରା ଷ୍ଟେଜ୍ର ମୂଳ ସମସ୍ୟା ଦୂର ହୋଇଛି କି ନାହିଁ, ତାହା ଯାଞ୍ଚର ବିଷୟ। ଷ୍ଟେଜ୍ ଦବିବାର ପ୍ରକୃତ କାରଣ ନିର୍ଦ୍ଧାରଣ କରିବା ସହ ମରାମତି କାର୍ଯ୍ୟର ଗୁଣବତ୍ତା ଯାଞ୍ଚ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ସରକାରୀ ଅର୍ଥରେ ନିର୍ମିତ ଏହି ଷ୍ଟେଜ୍ ମରାମତି ପରେ କେତେ ଦିନ ସ୍ଥାୟୀ ରହିବ, ତାହା ଏବେ ଦେଖିବାକୁ ବାକି। ଏଥିସହ ନିର୍ମାଣ କାର୍ଯ୍ୟର ମାନ ଯାଞ୍ଚ, ତଦାରଖ ଓ ବିଲ୍ ପୈଠ ପ୍ରକ୍ରିୟା ସମ୍ପର୍କରେ ପ୍ରଶାସନ ସ୍ପଷ୍ଟୀକରଣ ଦେବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।